ନୂଆଦିଲ୍ଲୀ: ଜାପାନରେ ରହୁଥିବା ଭାରତୀୟ ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର୍ ପ୍ରଗତି, ନିଜର ଦାମୀ ଆଇଫୋନ୍ ୧୬ ପ୍ରୋ (iPhone 16 Pro) ହଜାଇବା ଓ ତାହାକୁ ପୁଣି ସୁରକ୍ଷିତ ଭାବରେ ଫେରିପାଇବା ନେଇ ଏକ ସ୍ୱତନ୍ତ୍ର ଭିଡିଓ ଶେୟାର କରିଛନ୍ତି। ସେ କହିଛନ୍ତି ଯେ, ଜାପାନରେ ଏହା ତାଙ୍କର ୫ମ ଥର ପାଇଁ ଫୋନ୍ ହଜିବାର ଘଟଣା ଥିଲା, ମାତ୍ର ପ୍ରତ୍ୟେକ ଥର ଭଳି ଏଥର ମଧ୍ୟ ସେ ଯେଉଁ ସ୍ଥାନରେ ଫୋନ୍ ଛାଡ଼ି ଆସିଥିଲେ, ସେହି ନିର୍ଦ୍ଦିଷ୍ଟ ସ୍ଥାନରୁ ହିଁ ଫୋନଟି ପାଇଥିଲେ ।

ପ୍ରଗତି ନିଜ ଭିଡିଓରେ ମଜାଳିଆ ଢଙ୍ଗରେ କହିଛନ୍ତି, ‘ସମସ୍ତେ କୁହନ୍ତି ଫୋନର ନିଶା ଖରାପ, ମାତ୍ର ମୋ ପାଇଁ ଆସକ୍ତି ନରହିବା ହିଁ ସବୁଠାରୁ ବଡ଼ ସମସ୍ୟା। ମୁଁ ଯେକୌଣସି ସ୍ଥାନରେ ଫୋନ୍ ରଖି ଭୁଲିଯାଏ ଏବଂ ୨-୩ ଘଣ୍ଟା ପରେ ମୋର ମନେପଡ଼େ।’ଫୋନ୍ ଭୁଲିଯିବା ପରେ, ସେ ତାଙ୍କ ସ୍ୱାମୀଙ୍କ ଫୋନ୍ ବ୍ୟବହାର କରି ଆପଲର 'ଫାଇଣ୍ଡ୍ ମାଇ' ଫିଚର ସାହାଯ୍ୟରେ ଫୋନର ସ୍ଥିତି ଜାଣିଥିଲେ । ମ୍ୟାପରେ ଦର୍ଶାଯାଇଥିବା ସ୍ଥାନ ଆଡ଼କୁ ଯିବା ସମୟରେ, ସେ କେଉଁଠାକୁ ଯାଇଥିଲେ ମନେ ପକାଇଥିଲେ।

ସେ କହିଛନ୍ତି ଯେ, ଏହା ପୂର୍ବରୁ ସେ ଥରେ ପୋଲିସ ଷ୍ଟେସନରୁ ନିଜ ଫୋନ୍ ଫେରି ପାଇଥିଲେ। ଆଉ ଥରେ ପନିପରିବା ବଜାରରୁ ଫୋନ୍ ମିଳିଥିଲା। ଦୁଇଥର ଶପିଂ ମଲର ଟ୍ରାଏଲ୍ ରୁମରେ ଫୋନ୍ ଛାଡ଼ି ଆସିବା ପରେ ମଧ୍ୟ ସୁରକ୍ଷିତ ମିଳିଥିଲା। ଜାପାନର ନ୍ୟାସନାଲ୍ ପୋଲିସ୍ ଏଜେନ୍ସି ଅନୁଯାୟୀ, ଜାପାନରେ କୌଣସି ହଜିଯାଇଥିବା ସାମଗ୍ରୀ ମିଳିଲେ ଲୋକମାନେ ତାହାକୁ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ସମ୍ପୃକ୍ତ ସଂସ୍ଥାର ମ୍ୟାନେଜରଙ୍କ ନିକଟରେ ଜମା କରିଦିଅନ୍ତି। ପୋଲିସ ହଜିଯାଇଥିବା ରିପୋର୍ଟ ସହ ମିଳିଥିବା ସାମଗ୍ରୀକୁ ମିଳାଇ ପ୍ରକୃତ ମାଲିକଙ୍କୁ ଫେରାଇଥାଏ।

ପ୍ରଗତି ନିଜ ଭିଡିଓରେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଛନ୍ତି,‘ମୁଁ ଜାଣିନି ଅନ୍ୟ କୌଣସି ଦେଶରେ ଏହା ସମ୍ଭବ କି ନୁହେଁ, ମାତ୍ର ଜାପାନରେ ମୋ ସହ ୪-୫ ଥର ଏପରି ଘଟିସାରିଛି।’ ଏହି ଭିଡିଓ ପୋଷ୍ଟ ହେବା ପରେ ନେଟିଜେନ୍ସମାନଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କେତେକ ବ୍ୟକ୍ତି ଦୁବାଇରେ ମଧ୍ୟ ଏହିପରି ସୁରକ୍ଷା ବ୍ୟବସ୍ଥା ରହିଥିବା ବିଷୟରେ ଉଲ୍ଲେଖ କରିଥିବା ବେଳେ, ଅନ୍ୟମାନେ ଭାରତୀୟ ପରିବେଶ ସହ ଏହାର ତୁଳନା କରି ମଜାଳିଆ କମେଣ୍ଟ ଦେଇଛନ୍ତି ।