ନ୍ୟୁୟର୍କ,୩୦ /୦୩:ଇରାନ ଉପରେ ଆକ୍ରମଣ ଆମେରିକା ପାଇଁ ବହୁମାତ୍ରାରେ ମହଙ୍ଗା ସାବ୍ୟସ୍ତ ହେଉଛି । ଇରାନ ଆକ୍ରମଣରେ ଆମେରିକାର ବ୍ୟାପକ ସାମରିକ ସମ୍ପତ୍ତି ନଷ୍ଟ ହେଲାଣି ।ଦ ୱାଲ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟ ଅନୁସାରେ,ଇରାନ ସହ ଯୁଦ୍ଧର ପ୍ରଥମ ୩ ସପ୍ତାହ ମଧ୍ୟରେ ଆମେରିକାର ସାମରିକ କ୍ଷତି ଏବଂ ମରାମତି ବାବଦ ଖର୍ଚ୍ଚ ୧.୪ ବିଲିୟନ ଡଲାରରୁ ୨.୯ ବିଲିୟନ ଡଲାର (ପ୍ରାୟ ୨୯ ହଜାର କୋଟି) ମଧ୍ୟରେ ହେବ ।

ମିସାଇଲ ମାଡରୁ କ୍ଷତି

ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଏହାର ସହଯୋଗୀ ଦେଶରେ ଥିବା ଭିତ୍ତିଭୂମି ଉପରେ ଇରାନର ବାଲିଷ୍ଟିକ୍ ମିସାଇଲ ମାଡ଼ ଓ ଡ୍ରୋନ୍ ଆକ୍ରମଣ ଯୋଗୁ ଏହି କ୍ଷତି ହୋଇଛି । ପେଣ୍ଟାଗନ୍ ଏହି କ୍ଷତିର ଭରଣା ପାଇଁ ହ୍ୱାଇଟ୍ ହାଉସକୁ ପଠାଇଥବା ୨୦୦ ବିଲିୟନ ଡଲାରର ଅତିରିକ୍ତ ବ୍ୟୟ ପ୍ରସ୍ତାବରେ ଏହାକୁ ଅନ୍ତର୍ଭୂକ୍ତ କରିପାରେ । ଆମେରିକାର ସାମରିକ କ୍ଷତି ମଧ୍ୟରେ ସର୍ବାଧିକ କ୍ଷତି ଘଟିଛି ଏହାର ଅତ୍ୟାଧୁନିକ ଯୁଦ୍ଧବିମାନକୁ । ମାର୍ଚ୍ଚ ୧ରେ କୁଏତରେ ଏକ ଏଫ୍/ଏ-୧୮ ବିମାନ ଦ୍ୱାରା ଭୁଲ୍ବଶତଃ ୩ଟି ଏଫ୍-୧୫ଇ ଷ୍ଟ୍ରାଇକ୍ ଇଗଲ ବିମାନକୁ ଖସାଇ ଦିଆଯାଇଥିଲା । ଏଥିରୁ ସମସ୍ତ ୬ କ୍ରୁ ସଦସ୍ୟ ସୁରକ୍ଷିତ ଭାବେ ବାହାରି ଆସିଥିଲେ ହେଁ ବିମାନଗୁଡ଼ିକ ଧ୍ୱଂସ ହୋଇଯାଇଥିଲା । ପ୍ରତ୍ୟେକ ଜେଟର ମୂଲ୍ୟ ପ୍ରାୟ ୧୦୦ ମିଲିୟନ ଡଲାର ହେବ । ସେହିପରି ମାର୍ଚ୍ଚ ୧୯ରେ ଏକ ଏଫ୍-୩୫ଏ ଲାଇଟନିଂ-୨ କ୍ଷତିଗ୍ରସ୍ତ ହୋଇ ଏମର୍ଜେନ୍ସି ଲ୍ୟାଣ୍ଡିଂ କରିଥିଲା । ଇରାନ ଏହି ବିମାନକୁ ଟାର୍ଗେଟ କରି ଆକ୍ରମଣ କରିଥିବା ଦାବି କରିଥିଲା । ଏହି ବିମାନର ମୂଲ୍ୟ ପ୍ରାୟ ୮୨.୫ ମିଲିୟନ ଡଲାର ହେବ ।

​​​​​​​Also Read :-ଟ୍ରମ୍ପଙ୍କ ଟାର୍ଗେଟରେ ଇରାନର ତେଲ ଏବଂ ୟୁରାନିୟମ : ତେହେରାନକୁ ପୁଣି ଧମକ ଦେଲେ ଟ୍ରମ୍ପ୍, କହିଲେ...

ଇନ୍ଧନ ଭର୍ତ୍ତି କାର୍ଯ୍ୟ ବାଧାପ୍ରାପ୍ତ

ଯୁଦ୍ଧ ଯୋଗୁ ଆକାଶମାର୍ଗରେ ଇନ୍ଧନ ଭର୍ତ୍ତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଇରାକ ବାୟୁସୀମାରେ ଅନ୍ୟ ଏକ ଟ୍ୟାଙ୍କର ବିମାନ ସହ ଧକ୍କା ହୋଇ ଏକ କେସି୧୩୫ ଷ୍ଟ୍ରାଟୋଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୬ କ୍ରୁ ସଦସ୍ୟଙ୍କ ମୃତ୍ୟୁ ଘଟିଥିଲା । ଏହା ବ୍ୟତୀତ ସାଉଦି ଆରବର ପ୍ରିନ୍ସ ସୁଲତାନ ଏୟାର ବେସ୍ରେ ଇରାନର ମିସାଇଲ ଆକ୍ରମଣରେ ୫ଟି କେସି-୧୩୫ ବିମାନ କ୍ଷତିଗ୍ରସ୍ତ ହୋଇଛି । ଏହି ବିମାନ ଆଉ ନିର୍ମାଣ ହେଉ ନ ଥିବାରୁ ଏହା ବଦଳରେ କେସି-୪୬ ପେଗାସସ୍ ବ୍ୟବହାର କରାଯିବ,ଯାହାର ମୂଲ୍ୟ ପ୍ରାୟ ୧୬୫ ମିଲିୟନ ଡଲାର । ସେହିପରି ଇରାନ ଆକ୍ରମଣରେ ଆମେରିକାର ବ୍ୟାପକ ମାନବରହିତ ଡ୍ରୋନ୍ ନଷ୍ଟ ହୋଇଛି । ଏ ପର୍ଯ୍ୟନ୍ତ ଡଜନେରୁ ଅଧିକ ଏମକ୍ୟୁ-୯ ରିପର ଡ୍ରୋନ୍ ନଷ୍ଟ ହେଲାଣି । ପ୍ରତି ଏମକ୍ୟୁ-୯ର ମୂଲ୍ୟ ଅନ୍ୟୁନ ୧୬ ମିଲିୟନ ଡଲାର ହୋଇଥିବାବେଳେ ନୂଆ ଏମକ୍ୟୁ-୯ବି ଭାରିଆଣ୍ଟର ମୂଲ୍ୟ ପ୍ରାୟ ୩୦ ମିଲିୟନ ଡଲାର ହେବ ।

ଇରାନର ଟାର୍ଗେଟ୍

ଇରାନ ଆମେରିକାର ସର୍ଭିଲାନ୍ସ ଏବଂ ମିସାଇଲ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଟାର୍ଗେଟ କରିଛି । ଜୋର୍ଡାନରେ ଥିବା ଆମେରିକାର ଏକ ଏନ୍/ଟିପିୱାଇ-୨ ରାଡାର ଉପରେ ଆକ୍ରମଣ ହୋଇଛି,ଯାହାର ମୂଲ୍ୟ ୩୦୦ ମିଲିୟନ ଡଲାରରୁ ଅଧିକ ହେବ । କାତାରର ଅଲ୍-ଉଦେଦ୍ ଏୟାର ବେସରେ ଥିବା ଏକ ଏଏନ୍/ ଏଫପିଏସ୍-୧୩୨ ରାଡାର କ୍ଷତିଗ୍ରସ୍ତ ହୋଇଛି । ଏହା ଆମେରିକା ପାଇଁ ଅତ୍ୟନ୍ତ ମୂଲ୍ୟବାନ ପ୍ରତିରକ୍ଷା ବ୍ୟବସ୍ଥା,ଯାହା ଅନେକ ବିପଦକୁ ଚିହ୍ନଟ କରିପାରେ । ଏହାର ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର ହେବ । ଏହା ବ୍ୟତୀତ ୟୁଏଇ,ବାହାରିନ୍,କୁଏତ ଏବଂ ସାଉଦି ଆରବରେ ମଧ୍ୟ ରାଡାର ଏବଂ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହୋଇଛି । ଆମେରିକାର ନୌସେନା ମଧ୍ୟ ଇରାନ ଆକ୍ରମଣରେ କ୍ଷତି ସହିଛି । ଗତ ୧୨ ତାରିଖରେ ୟୁଏସଏସ୍ ଜିରାଲ୍ଡ ଆର୍ ଫୋର୍ଡ ନାମକ ଯୁଦ୍ଧପୋତରେ ନିଆଁ ଲାଗିଯାଇଥିଲା । ଏବେ ଗ୍ରୀସ୍ରେ ତାହାର ମରାମତି ଚାଲିଛି । ଯୁଦ୍ଧ ଜାରି ରହିଲେ ଏହି କ୍ଷତି ପରିମାଣ ଆହୁରି ବଢ଼ିପାରେ ।