ନୂଆଦିଲ୍ଲୀ: ଇରାନରେ ଯୁଦ୍ଧ ମଧ୍ୟରେ ଆମେରିକା ଆଉ ଏକ ବଡ଼ ପଦକ୍ଷେପ ନେଇଛି । ଚୀନ୍, ଉତ୍ତର କୋରିଆ ଏବଂ ରୁଷ ନିକଟରେ ନିଜର ବାୟୁ ଶକ୍ତି ବୃଦ୍ଧି କରିବାକୁ ଏଭଳି ନିଷ୍ପତ୍ତି ନେଇଛି ଆମେରିକା । ଆମେରିକୀୟ ବାୟୁସେନା ଉତ୍ତର ଜାପାନର ମିସାୱା ବାୟୁ ଘାଟିରେ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ, F-35A ମୁତୟନ କରିବା ଆରମ୍ଭ କରିଛି । ମିଲିଟାରୀ ୱାଚ୍ ପତ୍ରିକାର ଏକ ରିପୋର୍ଟ ଅନୁଯାୟୀ, ମିସାୱା ବାୟୁ ଘାଟିରେ ପୂର୍ବରୁ ମୁତୟନ F-16CJର ସ୍ଥାନ ନେବେ ୪୮ ଟି F-35A ।

ପଞ୍ଚମ ପିଢ଼ିର ଯୁଦ୍ଧ ବିମାନ ମୁତୟନ କରିବା ଦ୍ବାରା ଆମେରିକୀୟ ବାୟୁସେନାର ଶକ୍ତି ବୃଦ୍ଧି ପାଇବ । ବିଶେଷକରି ଚୀନ୍, ଉତ୍ତର କୋରିଆ ଏବଂ ରୁଷକୁ ଚେକ୍ ଦେବାକୁ ଆମେରିକାର ଏହି ରଣନୀତି । ଜାପାନର ମିସାୱା ବାୟୁ ଘାଟିରେ F-35A ମୁତୟନ କରିବାକୁ ଆମେରିକା ନିଜର ଏହି ଯୋଜନା ସଂପର୍କରେ ୨୦୨୪ ଘୋଷଣା କରିଥିଲା ।

ଆମେରିକାର ବାୟୁସେନାର F-16CJ ବିମାନଗୁଡ଼ିକ ମୁଖ୍ୟତଃ ବାୟୁ ପ୍ରତିରକ୍ଷା କାର୍ଯ୍ୟରେ ମାହିର ଥିଲେ । କିନ୍ତୁ F-35ଏ ଅତ୍ୟାଧୁନିକ । F-35କୁ ସ୍ୱତନ୍ତ୍ର ଭାବରେ ଏକ ୱାଇଲ୍ଡ ୱିଜେଲ୍ ପ୍ଲାଟଫର୍ମ ଭାବରେ ଡିଜାଇନ୍ କରାଯାଇଥିଲା। F-35ରେ ସେନ୍ସର ଫ୍ୟୁଜନ୍ ଏବଂ କ୍ୱାର୍ଟରବ୍ୟାକ୍ କ୍ଷମତା ଅନ୍ତର୍ଭୁକ୍ତ ।

Also Read: ଆମ ସୀମାରେ ପଶିଲେ, ଚାରିପଟୁ ଆକ୍ରମଣ କରିବୁ; ଇରାନର ଧମକ ପରେ ଆମେରିକା ଛାନିଆ

F-35A ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଷ୍ଟିଲ୍ଥ କ୍ଷମତା। ଏହାର ଡିଜାଇନ୍ ଏବଂ ଏଥିରେ ବ୍ୟବହୃତ ହୋଇଥିବା ବିଶେଷ ପଦାର୍ଥ ଯୋଗୁଁ ଶତ୍ରୁପକ୍ଷର ରାଡାର (Radar) ଏହାକୁ ସହଜରେ ଚିହ୍ନଟ କରିପାରେ ନାହିଁ। ଏହା ଶତ୍ରୁ ସୀମା ଭିତରକୁ ଗୁପ୍ତ ଭାବରେ ପଶି ଆକ୍ରମଣ କରିବାରେ ସକ୍ଷମ।

ଏହି ବିମାନ କେବଳ ଆକାଶରୁ ଆକାଶକୁ ନୁହେଁ, ବରଂ ଆକାଶରୁ ଭୂମିକୁ ମଧ୍ୟ ସଠିକ୍ ଭାବରେ ଆକ୍ରମଣ କରିପାରେ । ଏହା ଗୁପ୍ତଚର ତଥ୍ୟ ସଂଗ୍ରହ, ନଜର ରଖିବା ଏବଂ ଶତ୍ରୁର ଯୋଗାଯୋଗ ବ୍ୟବସ୍ଥାକୁ ନଷ୍ଟ କରିବାରେ ବ୍ୟବହୃତ ହୁଏ । F-35A ରେ ଅତ୍ୟାଧୁନିକ ସେନ୍ସର ଏବଂ କମ୍ପ୍ୟୁଟର ସିଷ୍ଟମ ରହିଛି। ଏହାର ହେଲମେଟ୍ ମାଉଣ୍ଟେଡ୍ ଡିସପ୍ଲେ ଯୋଗୁଁ ପାଇଲଟ୍ ବିମାନର କକ୍ପିଟ୍ ଦେଇ ତଳକୁ କିମ୍ବା ପଛକୁ ମଧ୍ୟ ଦେଖିପାରନ୍ତି।