ନୂଆଦିଲ୍ଲୀ: ଶତ୍ରୁ ଦେଶର ମାଟିରେ ଦୁଇ ଦିନ l ଭାଙ୍ଗିଯାଇଥିଲା ପିଠି, ହାତ ଓ କାନ୍ଧ। ଉପରକୁ ଚାହିଁ ଦେଖିଲେ ଆକାଶରେ ନାହିଁ ପାରାସୁଟ୍। ତଳେ ଇରାନର ପାହାଡ଼ିଆ ମରୁଭୂମି ଏବଂ ଚାରିଆଡ଼େ ଶତ୍ରୁ ସୈନ୍ୟର ଖୋଜାଖୋଜି। ଏଭଳି ଭୟଙ୍କର ପରିସ୍ଥିତିରେ ପ୍ରାୟ ୫୦ ଘଣ୍ଟା ଧରି ଜୀବନ ସହ ଲଢ଼ି ଶେଷରେ ଉଦ୍ଧାର ହୋଇଛନ୍ତି ଆମେରିକୀୟ ବାୟୁସେନାର କର୍ଣ୍ଣେଲ୍ ‘ଡ୍ୟୁଡ୍ ବ୍ରାଭୋ’।

ଆମେରିକାର ୩୦ ମିଲିୟନ୍ ଡଲାର ମୂଲ୍ୟର ଦୁଇ ସିଟ୍ ବିଶିଷ୍ଟ F-15E ଯୁଦ୍ଧବିମାନ ଇରାନର ଏକ ଶୋଲ୍ଡର୍-ଫାୟାର୍ଡ ମିସାଇଲ୍ ଆକ୍ରମଣରେ ଧ୍ୱଂସ ହେବା ପରେ ପାଇଲଟ୍ ‘ଆଲ୍ଫା’ ଏବଂ କର୍ଣ୍ଣେଲ୍ ‘ବ୍ରାଭୋ’ଙ୍କୁ ବିମାନରୁ ଇଜେକ୍ଟ କରିବାକୁ ପଡ଼ିଥିଲା। ଦୁହେଁ ଇରାନର ଏକ ପାହାଡ଼ିଆ ମରୁଭୂମି ଅଞ୍ଚଳରେ ଅବତରଣ କରିଥିଲେ। କିନ୍ତୁ ବ୍ରାଭୋଙ୍କ ପାଇଁ ବିପଦ ସେତେବେଳେ ଆହୁରି ବଢ଼ିଗଲା, ଯେତେବେଳେ ସେ ଜାଣିଲେ ତାଙ୍କ ପାରାସୁଟ୍ ଖରାପ ହୋଇଯାଇଛି। ଫଳରେ ପ୍ରାୟ ୭୦ରୁ ୧୦୦ ମାଇଲ୍ ପ୍ରତି ଘଣ୍ଟା ବେଗରେ ସେ ମୁକ୍ତ ଭାବେ ତଳକୁ ଖସିଥିଲେ। ମାଟିରେ ପଡ଼ିବା ପରେ ତାଙ୍କ ପିଠି, ଗୋଟିଏ ହାତ ଓ କାନ୍ଧରେ ଗୁରୁତର ଆଘାତ ଲାଗିଥିଲା।

ବ୍ରାଭୋଙ୍କ କହିବା ଅନୁସାରେ, ଉପରକୁ ଚାହିଁ ପାରାସୁଟ୍ ନଥିବା ଦେଖିବା ତାଙ୍କ ଜୀବନର ସବୁଠୁ ଭୟଙ୍କର ମୁହୂର୍ତ୍ତ ଥିଲା। ସେହି ସମୟରେ ସେ ପ୍ରାର୍ଥନା କରିଥିଲେ ଏବଂ ଭଗବାନଙ୍କ ଉପରେ ଭରସା ରଖିଥିଲେ। ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ଘଟଣାସ୍ଥଳରେ ରହିନଥିଲେ। ନିଜ ପ୍ରଶିକ୍ଷଣକୁ ବ୍ୟବହାର କରି ସେ ତୁରନ୍ତ ସେଠାରୁ ଦୂରକୁ ଚାଲିଯାଇଥିଲେ। ପାହାଡ଼, ଥଣ୍ଡା ପବନ ଓ ମରୁଭୂମି ମଧ୍ୟରେ ସେ ନିରାପଦ ସ୍ଥାନ ଖୋଜି ଏକ ୭ ହଜାର ଫୁଟ୍ ଉଚ୍ଚ ପାହାଡ଼ିଆ ଅଞ୍ଚଳକୁ ଚଢ଼ି ଯାଇଥିଲେ। ଅନ୍ୟପଟେ ‘ଆଲ୍ଫା’ଙ୍କୁ ଦିନବେଳା ଅପରେସନ୍ରେ ଉଦ୍ଧାର କରାଯାଇଥିଲା। ଏହି ଅପରେସନ୍ରେ ଇରାନୀ ସେନା ସହ ଗୁଳି ବିନିମୟ ମଧ୍ୟ ହୋଇଥିଲା।

ଆଲ୍ଫା ଉଦ୍ଧାର ହୋଇଯାଇଥିବା ବେଳେ ବ୍ରାଭୋ ଇରାନର ପାହାଡ଼ ମଧ୍ୟରେ ଏକାକୀ ରହିଥିଲେ। ଏକ ପାହାଡ଼ିଆ ଫାଟରେ ଲୁଚି ରହିବା ସହିତ ନିଜକୁ ଚିହ୍ନଟ ହେବାରୁ ବଞ୍ଚାଇବା ପାଇଁ ଲୋକେଟର୍ ବିକନ୍କୁ ମଧ୍ୟ ସୀମିତ ଭାବେ ବ୍ୟବହାର କରିଥିଲେ। ରିପୋର୍ଟ ଅନୁସାରେ ଇରାନୀ ସେନା ତାଙ୍କଠାରୁ ମାତ୍ର କିଛି ଶହ ମିଟର ଦୂର ପର୍ଯ୍ୟନ୍ତ ପହଞ୍ଚିଥିଲା।

ଖାଦ୍ୟ ଓ ପାଣି ପ୍ରାୟ ନଥିବା ସତ୍ତ୍ୱେ ବରଫ ଭଳି ଥଣ୍ଡା ପବନ ଓ ଉଚ୍ଚ ପାହାଡ଼ିଆ ମରୁଭୂମିରେ ସେ ଆଉ ଗୋଟିଏ ପୂରା ଦିନ ବଞ୍ଚି ରହିଥିଲେ। ବ୍ରାଭୋଙ୍କୁ ଖୋଜିବା ପାଇଁ CIA ପକ୍ଷରୁ ଏକ ଗୁପ୍ତ ଅପରେସନ୍ ଚାଲିଥିଲା। ତେହରାନ୍କୁ ବ୍ରାଭୋଙ୍କୁ ଆଗରୁ ଉଦ୍ଧାର କରାଯାଇଥିବା ଭ୍ରମ ଦେବା ପାଇଁ ଡିସେପ୍ସନ୍ ଅପରେସନ୍ କରାଯାଇଥିଲା। ଏହା ସହ ଗୁପ୍ତ ପ୍ରଯୁକ୍ତିର ସହାୟତାରେ ତାଙ୍କ ଅବସ୍ଥାନ ଚିହ୍ନଟ କରାଯାଇଥିଲା। ଉଦ୍ଧାର ପଥ ସଫା କରିବା ପାଇଁ ଆମେରିକୀୟ ବୋମାବର୍ଷୀ ବିମାନ ଓ ଡ୍ରୋନ୍ ଇରାନର ରିଭଲ୍ୟୁସନାରୀ ଗାର୍ଡ୍ର ନିକଟସ୍ଥ ବଳ ଉପରେ ଆକ୍ରମଣ କରିଥିଲା। ଏହା ପରେ ଆମେରିକୀୟ ସେନା ବ୍ରାଭୋଙ୍କୁ ଉଦ୍ଧାର କରିବାକୁ ଆଗକୁ ବଢ଼ିଥିଲା।

ଏହି ଅପରେସନ୍ରେ ୯୦ରୁ ଅଧିକ ଆମେରିକୀୟ ସେନା ସଦସ୍ୟ ଇରାନର ମାଟିରେ ଥିଲେ। ରିପୋର୍ଟ ଅନୁସାରେ, ୪୬ ବର୍ଷ ପରେ ଇରାନରେ ଆମେରିକାର ସେନା ମାଟିରେ ପାଦ ରଖିଥିବା ଏହା ପ୍ରଥମ ଘଟଣା ଥିଲା। ଶହ ଶହ ସେନା ଆକାଶରେ ଏବଂ ହଜାର ହଜାର ସଦସ୍ୟ ଉଦ୍ଧାର ଅପରେସନ୍କୁ ସହଯୋଗ କରୁଥିଲେ। ଶେଷରେ ଆମେରିକୀୟ ସ୍ପେଶାଲ୍ ଅପରେସନ୍ସ ବଳ ଇରାନ ଭିତରେ ଏକ ଅସ୍ଥାୟୀ ଲ୍ୟାଣ୍ଡିଂ ଷ୍ଟ୍ରିପ୍ ତିଆରି କରିଥିଲା। ଦୁଇଟି C-130 ବିମାନ ସେଠାରେ ଅଟକି ଯିବା ପରେ ଆଉ ତିନୋଟି ବିମାନ ପଠାଯାଇଥିଲା। ଅଟକିଥିବା ବିମାନ ଓ ହେଲିକପ୍ଟରଗୁଡ଼ିକୁ ସେମାନଙ୍କ ସମ୍ବେଦନଶୀଳ ପ୍ରଯୁକ୍ତି ଶତ୍ରୁ ହାତକୁ ଯେପରି ନଯାଏ, ସେଥିପାଇଁ ପରେ ଆମେରିକୀୟ ବଳ ଧ୍ୱଂସ କରିଦେଇଥିଲା।

 

ALSO READ - ଏଆଇ ନିୟନ୍ତ୍ରଣକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ, କହିଲେ- ‘ଯିଏ ଏଆଇ ଜିତିବ, ସିଏ ବିଶ୍ୱ ଜିତିବ’, ଚୀନ ଠାରୁ ଆଗରେ ରହିବାକୁ ନେଲେ ଶପଥ

ଶେଷରେ ବିମାନ ଗୁଳିରେ ଧ୍ୱଂସ ହେବାର ପ୍ରାୟ ୫୦ ଘଣ୍ଟା ପରେ, ଇଷ୍ଟର୍ ସଣ୍ଡେ ସକାଳେ ବ୍ରାଭୋଙ୍କୁ ଉଦ୍ଧାର କରାଯାଇଥିଲା। ଏହି ମୁହୂର୍ତ୍ତକୁ ସେ ନିଜ ଜୀବନର ସବୁଠୁ ବଡ଼ ମୁହୂର୍ତ୍ତଗୁଡ଼ିକ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି। ଶତ୍ରୁ ଦେଶରେ ଗୁରୁତର ଆହତ ଅବସ୍ଥାରେ ଦୁଇ ଦିନ ଧରି ବଞ୍ଚି ରହିବା ଏବଂ ଶେଷରେ ସୁରକ୍ଷିତ ଭାବେ ଫେରିବାର ଏହି କାହାଣୀ ଏବେ ଆମେରିକୀୟ ସେନାର ପ୍ରଶିକ୍ଷଣ, ଟିମ୍ୱର୍କ, ନେତୃତ୍ୱ ଓ ସାହସର ଉଦାହରଣ ଭାବେ ଚର୍ଚ୍ଚାରେ ରହିଛି