ନୂଆଦିଲ୍ଲୀ, ୧୪/୦୯: ଭାରତ ନେଲାନି ଟ୍ରଫି । ଏସିଆ କପ୍ ଟ୍ରଫି ଏସିସି ମୁଖ୍ୟ ମୋହସିନ ନକଭିଙ୍କଠୁ ଗ୍ରହଣ କରିବାକୁ ମନା କରିଦେଲା ଭାରତୀୟ ମହିଳା କ୍ରିକେଟ୍ ଟିମ୍ । କିଛି ଏପରି ଘଟିଛି ଏସିଆ କପ୍ ଫାଇନାଲରେ ।

Also Read :- ଇଣ୍ଡୋନେସିଆରେ ଜାହାଜ ବୁଡ଼ି ଘଟଣା : ମିଳିଲା ୬ ଜଣଙ୍କ ମୃତଦେହ, ଏବେବି ୧୩୦ ନିଖୋଜ

ଭାରତୀୟ ମହିଳା ଦଳ ଚମତ୍କାର ପ୍ରଦର୍ଶନ ସହିତ ଶ୍ରୀଲଙ୍କାକୁ ପରାସ୍ତ କରି ଅଷ୍ଟମ ଥର ପାଇଁ ଏସିଆ କପ୍ ଟାଇଟଲ ଜିତିଛି । ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରିଛି । ଭାରତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ୍ କରିଥିଲା । ଜବାବରେ, ଶ୍ରୀଲଙ୍କା ଦଳ ୨୦ ଓଭରରେ ୧୧୧ ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଅଷ୍ଟମ ଥର ପାଇଁ ଏସିଆ କପ୍ ଜିତିଛି । ଭାରତ ୨୦୦୪, ୨୦୦୫, ୨୦୦୬ ଏବଂ ୨୦୦୮ରେ ଦିନିକିଆ ଟାଇଟଲ ଜିତିଥିଲା । ଟି-୨୦ ଫର୍ମାଟରେ ଏହା ୨୦୧୨, ୨୦୧୬, ୨୦୨୨ ଏବଂ ୨୦୨୬ରେ ଟ୍ରଫି ଜିତିଛି ।

ଟ୍ରଫି ନେଲାନି ଟିମ୍

ମ୍ୟାଚ୍ ସରିବାକୁ ବସିଥିବା ବେଳେ କ୍ୟାମେରା ମୋହସିନ ନକଭି ତଥା ଅନ୍ୟ ଅତିଥିଙ୍କ ଉପରେ ପଡ଼ିଥିଲା । ସେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ଏବଂ ସଚିବ ଦେବଜିତ ସାଇକିୟାଙ୍କ ପାଖରେ ବସିଥିଲେ । ମ୍ୟାଚ୍ ପରେ ନକଭି ମଞ୍ଚରେ ପହଁଚିଥିଲେ । ଶ୍ରୀଲଙ୍କା ଟିମକୁ ରନର୍ ଅପ୍ ପୁରସ୍କାର ପ୍ରଦାନ କରିଥିଲେ । ଏହାପରେ କିନ୍ତୁ ଭାରତୀୟ ଦଳ ଟ୍ରଫି ନେବାକୁ ଆସିନଥିଲା । ଷ୍ଟେଜରେ ନକଭି ଅପେକ୍ଷା କରିଥିଲେ ବି ଦଳ ଟ୍ରଫି ଗ୍ରହଣ କରିନଥିଲା ।

ଏହାକୁ ନେଇ ବିସିସିଆଇ ସଚିବ କହିଛନ୍ତି ଯେ, ଭାରତ ଆରମ୍ଭରୁ ନକଭିଙ୍କଠୁ ଟ୍ରଫି ନେବା ପାଇଁ ରାଜି ନଥିଲା । ତଥାପି ନକଭିଙ୍କୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା । ପ୍ରଥମେ ଏସିସି ଉପାଧ୍ୟକ୍ଷ ଖାଲିଦ୍ ଅଲ୍ ଜରୁନୀ ଭାରତୀୟ ଦଳକୁ ଟ୍ରଫି ଦେବେ ବୋଲି କୁହାଯାଇଥିଲା । ଦ୍ୱିତୀୟରେ ବିଜୟୀ ଦଳର ପ୍ରତିନିଧି ନିଜ ଟିମକୁ ଟ୍ରଫି ଦେବେ । ହେଲେ ନକଭି କୌଣସି ବିକଳ୍ପରେ ରାଜି ନଥିଲେ ।

ସୂଚନାଯୋଗ୍ୟ, ୨୦୨୫ ପୁରୁଷ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ୍ ହୋଇଥିଲା । ଏହାପରେ ଦଳ ନକଭିଙ୍କଠୁ ଟ୍ରଫି ନେଇ ନଥିଲା । ଯାହାକୁ ନେଇ ବିବାଦ ହୋଇଥିଲା ।