ଭୋପାଳ: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କଂଗ୍ରେସର ନେହେରୁ-ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି। ଆଗର ମାଲୱା ଠାରେ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ଯଦି ମଝିରେ ସମୁଦ୍ର ନଥାନ୍ତା, ତେବେ ଗାନ୍ଧୀ ପରିବାରର ନେତାମାନେ ନିର୍ବାଚିତ ହେବା ପାଇଁ ଆରବ ଦେଶକୁ ମଧ୍ୟ ଚାଲିଯାଇଥାନ୍ତେ।

ସିଏମ୍ ମୋହନ ଯାଦବ ପ୍ରଶ୍ନ କରିଛନ୍ତି ଯେ, ଜବାହାରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ କିମ୍ବା ରାଜୀବ ଗାନ୍ଧୀ କେବେ ଦିଲ୍ଲୀରୁ ନିର୍ବାଚନ ଲଢ଼ିନଥିଲେ। ଦିଲ୍ଲୀ ଲୋକେ ସେମାନଙ୍କୁ ଭଲ ଭାବରେ ଜାଣିଥିବାରୁ ସେମାନେ ଉତ୍ତରପ୍ରଦେଶର ଆମେଠି ଓ ରାୟବରେଲିକୁ ନିରାପଦ ଆସନ ଭାବରେ ବାଛିଥିଲେ।

ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କେରଳର ୱାୟନାଡରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗ ଉଠାଇ ସେ କହିଛନ୍ତି ଯେ, ଏହି ପରିବାର ଏବେ ଉତ୍ତର ପ୍ରଦେଶ ଛାଡ଼ି ଦକ୍ଷିଣ ଭାରତ ମୁହାଁ ହୋଇଛି। ଲୋକେ କହୁଛନ୍ତି ସମୁଦ୍ର ମଝିରେ ଆସିଗଲା, ନଚେତ୍ ସେମାନେ ଆରବ ଦେଶରୁ ନିର୍ବାଚନ ଲଢ଼ିବାକୁ ପଛାଇନଥାନ୍ତେ।

ଇନ୍ଦୋରରେ କଂଗ୍ରେସ ଦ୍ୱାରା ସେପ୍ଟେମ୍ବର ୧୯ ରେ ଆୟୋଜିତ ହେବାକୁ ଥିବା 'ଛାତ୍ରୋଁ କି ଗୁଞ୍ଜ' କାର୍ଯ୍ୟକ୍ରମକୁ ନେଇ ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ରାହୁଲ ମଧ୍ୟପ୍ରଦେଶକୁ ‘ମିଛର ଝୁଡ଼ି’ ଧରି ଆସୁଛନ୍ତି। ରାଜ୍ୟରେ ଡକାୟତ ଓ ନକ୍ସଲବାଦ ଦମନ କରିବାରେ ପୂର୍ବ କଂଗ୍ରେସ ସରକାରର ବିଫଳତା ପାଇଁ ସେ ମଧ୍ୟପ୍ରଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବା ଉଚିତ୍।

ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟର ୧.୨୫ କୋଟିରୁ ଅଧିକ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ 'ଲାଡ୍‌ଲି ବହନା ଯୋଜନା' ଅଧୀନରେ ୧,୮୩୫ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି।