ନୂଆଦିଲ୍ଲୀ: ମହିଳା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଭାରତ ଅଷ୍ଟମ ଥର ଟାଇଟଲ୍ ଜିତିଛି। ହେଲେ ଗତ ବର୍ଷ ପୁରୁଷ ଏସିଆ କପ ଫାଇନାଲ୍ ମ୍ୟାଚର ପୁରସ୍କାର ସମାରୋହ ସମୟରେ ଘଟିଥିବା ଘଟଣାର ପୁନରାବୃତ୍ତି ଘଟିଛି। ଭାରତୀୟ ଦଳ ଏସୀୟ କ୍ରିକେଟ୍ ପରିଷଦ(ଏସିସି)ର ଅଧ୍ୟକ୍ଷ ମୋହସିନ ନକଭିଙ୍କଠୁ ଟ୍ରଫି ଗ୍ରହଣ କରି ନାହିଁ। ଏହାକୁ ନେଇ କ୍ରିକେଟ୍ ଜଗତରେ ବଡ଼ ବିଦାଦ ସୃଷ୍ଟି ହୋଇଛି। ଏହାକୁ ନେଇ ଏବେ ବିସିସିଆଇ ପକ୍ଷରୁ ପ୍ରତିକ୍ରିୟା ଆସିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ପହଲଗାମ ହମଲା ପରେ ସମଗ୍ର ଦେଶବାସୀଙ୍କ ଚାପ ବୋର୍ଡ ଉପରେ ଥିଲା। ସେହି ଘଟଣାର ପରିସ୍ଥିତି ସଂପୂର୍ଣ୍ଣ ବଦଳାଇ ଦେଇଛି। ଏହା ସହ ସାଇକିଆ ଦେଶବାସୀଙ୍କ ସମ୍ମାନର କଥା କହି କେନ୍ଦ୍ର ସରକାରଙ୍କ ନୀତି ମଧ୍ୟ ଉଲ୍ଲେଖ କରିଛନ୍ତି।

ନ୍ୟୁଜ ଏଜେନ୍ସି IANS ସହ ଆଲୋଚନା ବେଳେ ବିସିସିଆଇ ସଚିବ କହିଛନ୍ତି, ଏସିଆ କପର ଟ୍ରଫି ଏକ ବିବାଦୀୟ ପ୍ରସଙ୍ଗ ପାଲଟିଛି। ପ୍ରାୟ ଏକ ବର୍ଷ ପୂର୍ବେ ଆମର ପୁରୁଷ ଦଳ ଏସିଆ କପ୍ ଜିତିଥିଲା। ୨୦୨୫ ଏପ୍ରିଲରେ ଯେବେ ପହଲଗାମ ଆତଙ୍କୀ ଘଟଣା ଘଟିଲା, ଏହା ପରଠୁ ପୂରା ପରିଦୃଶ୍ୟ ବଦଳି ଯାଇଛି। ସାଇକିଆ ସେହି ବିବାଦୀୟ ମୁହୂର୍ତ୍ତଙ୍କୁ ମଧ୍ୟ ମନେ ପକାଇଛନ୍ତି। ୨୦୨୫ ସେପ୍ଟେମ୍ବର ୨୮ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ଫାଇନାଲରେ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଥିଲା। ପୁରସ୍କାର ସମାରୋହ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏହା ପରେ ମୋହସିନ ନକଭି ଏସିଆ କପର ଟ୍ରଫି ନେଇ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଏଥିପାଇଁ ତାଙ୍କୁ ଟ୍ରଫି ଚୋର ମଧ୍ୟ କୁହାଯାଉଛି।

 

କାହିଁକି ଟ୍ରଫି ନେଲାନି ମହିଳା ଟିମ୍

ସାଇକିଆ ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ ନ କରିବା ଉପରେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ସହ ଆମର ସମ୍ବନ୍ଧ ପୂର୍ବରୁ ଖରାପ ରହିଛି। କିନ୍ତୁ ୨୦୨୫ ଏପ୍ରିଲ ପରଠୁ ସ୍ଥିତି ଆହୁରି ବିଗିଡ଼ିଗଲା। ଉକ୍ତ ପଡ଼ୋଶୀ ଦେଶ ବିରୋଧରେ ଆଜି ବି ଆମର ଅପରେସନ ଚାଲୁ ରହିଛି। ସେହି ଦେଶର ମୁଖ୍ୟ ରାଜନେତା ଯିଏ ଆମ ଦେଶ ବିରୋଧରେ କାମ କରୁଛି, ଆମେ କେମିତି ତାଙ୍କ ହାତରୁ ଟ୍ରଫି ଗ୍ରହଣ କରିବୁ।

ବିସିସିଆଇ ସ୍ପଷ୍ଟ କରିଛି ଯେ, ପୁରୁଷ ଏସିଆ କପ ସମୟରେ ମଧ୍ୟ ଟିମ୍ ଇଣ୍ଡିଆ ମୋହସିନ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରି ନ ଥିଲା। ଏଥର ମଧ୍ୟ ଭାରତୀୟ ମହିଳା ଟିମ୍ ଏକଜୁଟତାର ନିଦର୍ଶନ ଦେଇଛନ୍ତି ଏବଂ ନକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି।

Also Read: ଷ୍ଟେଜରେ ଅପେକ୍ଷା କରି ରହିଲେ ମୋହସିନ ନକଭି, ଟ୍ରଫି ନେଲାନି ଭାରତୀୟ ଟିମ୍

ଟ୍ରଫିରେ କିଛି ଫରକ ପଡ଼େନି

ସାଇକିଆ କହିଛନ୍ତି, ଟ୍ରଫିରେ କିଛି ଫରକ ପଡ଼େନି। ବୋର୍ଡ ଏବଂ ଟିମ୍ ମିଶି ୨୦୨୮ ଟିୃ-୨୦ ବିଶ୍ଵକପ୍ ଏବଂ ଆଗାମୀ ଅନ୍ୟସବୁ ଆହ୍ଵାନର ମୁକାବିଲା ଉପରେ ମିଶି କାମ କରିବେ। ଆମର ଯୋଜନା ୨୦୨୮ ଟି-୨୦ ବିଶ୍ଵକପ୍ ଜିତିବା ଏବଂ ଏହା ଉପରେ ଧ୍ୟାନ ରଖି କାମ କରିବୁ। ତେଣୁ ଏସିଆ କପର ଟ୍ରଫି ଆମ ହାତକୁ ଆସୁ କି ନ ଆସୁ ସେଥିରେ ଆମକୁ କୌଣସି ଫରକ ପଡୁନି।