ୱାଶିଂଟନ୍: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇର ବିକାଶକୁ ଧୀମା କରିବା କିମ୍ବା ଏହା ଉପରେ କଡ଼ା ନିୟମ ଲାଗୁ କରିବା ଦାବିକୁ ଖାରଜ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକା ଏଆଇ କ୍ଷେତ୍ରରେ ଚୀନଠାରୁ ଆଗରେ ରହିଛି ଏବଂ ଏହି ଅଗ୍ରଣୀ ସ୍ଥାନକୁ ହାତଛଡ଼ା କରିବାକୁ ସେ ଚାହୁଁନଥିବା କହିଛନ୍ତି।

ଏଆଇର ବିକାଶକୁ ଧୀମା କରିବା କିମ୍ବା ଅଧିକ ନିୟନ୍ତ୍ରଣ ଲଗାଇବା ଉଚିତ କି ବୋଲି ପଚରାଯିବାରୁ ଟ୍ରମ୍ପ କହିଛନ୍ତି, “ଆମେ ଏଆଇରେ ଚୀନ୍ଠାରୁ ଆଗରେ ଅଛୁ। ଆମେ ବିଶ୍ୱର ସବୁଠାରୁ ଉନ୍ନତ ଦେଶ। ମୁଁ ଏହି ସ୍ଥିତିକୁ କାଏମ ରଖିବାକୁ ଚାହୁଁଛି, କାରଣ ଯିଏ ଏଆଇ ଜିତିବ, ସିଏ ହିଁ ଶେଷରେ ଜିତିବ।”

ଟ୍ରମ୍ପ ସ୍ୱୀକାର କରିଛନ୍ତି ଯେ ଏଆଇ ପାଇଁ କିଛି ସୁରକ୍ଷା ବ୍ୟବସ୍ଥା ବା ‘ଗାର୍ଡରେଲ୍ସ’ ଲାଗୁ କରାଯାଇପାରେ। ତେବେ ଏଆଇକୁ ନେଇ ଉଠୁଥିବା କିଛି ଆଶଙ୍କାକୁ ସେ ଅତିରଞ୍ଜିତ ବୋଲି କହିଛନ୍ତି। ତାଙ୍କ ଅନୁସାରେ, ଏଆଇ ବିରୋଧରେ କିଛି “ଅତ୍ୟନ୍ତ ନକାରାତ୍ମକ ଶକ୍ତି” ଏଭଳି ଚିନ୍ତାକୁ ବଢ଼ାଇ ଚାଲିଛି।

ଏଆଇ ବିକାଶକୁ ଧୀମା କରିବାକୁ ବିଶେଷଜ୍ଞଙ୍କ ଆହ୍ୱାନ

ଟ୍ରମ୍ପଙ୍କ ଏହି ମତ ଏଭଳି ସମୟରେ ଆସିଛି, ଯେତେବେଳେ ଏଆଇ ଶିଳ୍ପର କିଛି ବଡ଼ ବଡ଼ ହସ୍ତି ଅଧିକ ସତର୍କତାର ସହ ଏଆଇ ବିକାଶ କରିବାକୁ ଆହ୍ୱାନ ଦେଇଛନ୍ତି। ଆନ୍ଥ୍ରୋପିର ସିଇଓ ଡାରିଓ ଆମୋଡେଇ ‘ୱି ମଷ୍ଟ ପେସ୍ ଦ ଫ୍ରଣ୍ଟିୟର’ ଶୀର୍ଷକ ଏକ ଲେଖାରେ ଏଆଇ ବିକାଶର ଗତିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ, ଗତ କିଛି ମାସରେ ଏଆଇ ବିକାଶର ଗତି ବହୁତ ବଢ଼ିଛି। ଏହାର ଏକ କାରଣ ହେଉଛି, ଏଆଇ ସିଷ୍ଟମ୍ଗୁଡ଼ିକ ନିଜ ପରବର୍ତ୍ତୀ ପିଢ଼ିର ଏଆଇ ମଡେଲ୍ ତିଆରିରେ ମଧ୍ୟ ବ୍ୟବହୃତ ହେଉଛନ୍ତି।

ଏହାକୁ ସେ ‘ରିକର୍ସିବ ସେଲ୍ଫ ଇମ୍ପ୍ରୁଭ୍ମେଣ୍ଚ’ ବା ନିଜକୁ ନିଜେ ଉନ୍ନତ କରିବାର ଏକ ସାଇକେଲ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପ୍ରକ୍ରିୟା ଆଗକୁ ଯାଇ ମଣିଷର ବୁଝିବା ଓ ନିୟନ୍ତ୍ରଣ କ୍ଷମତାକୁ ଅତିକ୍ରମ କରିପାରେ ବୋଲି ଆମୋଡେଇ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଏଆଇ ମଡେଲ୍ର କ୍ଷମତା ବଢ଼ାଇବାର ଗତିକୁ ଧୀମା କରିବା ଆବଶ୍ୟକ। ଏହା ଏଆଇ ବିକାଶକୁ ବନ୍ଦ କରିବା ନୁହେଁ, ବରଂ ସୁରକ୍ଷା ପାଇଁ ଅଧିକ ସମୟ ହାସଲ କରିବାର ପ୍ରୟାସ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏଆଇ ଏଜେଣ୍ଟ ନେଇ ବଢ଼ିଲା ଚିନ୍ତା

ଆମୋଡେଇ ଏକ ସାମ୍ପ୍ରତିକ ଘଟଣାର ମଧ୍ୟ ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଏକ ଏଆଇ ଏଜେଣ୍ଟ ସ୍ୱାର୍ମ କଥା କହିଛନ୍ତି। ଏହି ଏଆଇ ଏଜେଣ୍ଟକୁ ଦିଆଯାଇଥିବା କାମର ସୀମା ଅତିକ୍ରମ କରି ସେ ସାଇବର ଆକ୍ରମଣ କରିଥିଲା। ଏହା ସାଂଘାତିକ। ଏଆଇ କ୍ଷମତା ଆହୁରି ବଢ଼ିଲେ ଏଭଳି ଅଧିକ ଶକ୍ତିଶାଳୀ ସିଷ୍ଟମ୍ ବ୍ୟାପକ କ୍ଷତି ଘଟାଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ସୁରକ୍ଷା ବ୍ୟବସ୍ଥା ଯଦି ଏଆଇ ବିକାଶର ଗତି ସହ ତାଳ ମିଳାଇ ନପାରେ, ତେବେ ଆସନ୍ତା ୬ରୁ ୧୨ ମାସ ମଧ୍ୟରେ ଏଭଳି ସିଷ୍ଟମ୍ ଇଣ୍ଟରନେଟ୍ର ବଡ଼ ଅଂଶକୁ ନିୟନ୍ତ୍ରଣ କରିବା ଭଳି କ୍ଷମତା ହାସଲ କରିପାରେ ବୋଲି ଆମୋଡେଇ ଚେତାବନୀ ଦେଇଛନ୍ତି।

ମସ୍କ ଓ ଅଲ୍ଟମ୍ୟାନଙ୍କ ସମର୍ଥନ

ଆମୋଡେଇଙ୍କ ଆହ୍ୱାନକୁ ଏଆଇ ଶିଳ୍ପର ଅନ୍ୟ ଦୁଇ ପ୍ରମୁଖ ବ୍ୟକ୍ତିମାନେ ମଧ୍ୟ ସମର୍ଥନ କରିଛନ୍ତି। ଏଲନ୍ ମସ୍କ କହିଛନ୍ତି,ଡାରିଓ ଠିକ୍ କହିଛନ୍ତି। ସେହିପରି ଓପନ ଏଆଇ ସିଇଓ ସାମ୍ ଅଲ୍ଟମ୍ୟାନ୍ ମଧ୍ୟ ଏଆଇର ବିକାଶର ଗତିକୁ ସତର୍କତାର ସହ ଆଗକୁ ବଢ଼ାଇବା ଆବଶ୍ୟକ ଅଛି ବୋଲି କହିଛନ୍ତି।

ଟ୍ରମ୍ପଙ୍କ ନୀତି ବନାମ ଏଆଇ ଶିଳ୍ପର ସତର୍କତା

ଏହାଦ୍ୱାରା ଏଆଇକୁ ନେଇ ଆମେରିକାରେ ଦୁଇଟି ଭିନ୍ନ ମତ ସାମ୍ନାକୁ ଆସିଛି। ଗୋଟିଏ ପଟେ ଏଆଇ ଶିଳ୍ପର କିଛି ନେତା ସୁରକ୍ଷା ଓ ନିୟନ୍ତ୍ରଣ ପାଇଁ ବିକାଶର ଗତି କମାଇବାକୁ କହୁଛନ୍ତି। ଅନ୍ୟପଟେ ଟ୍ରମ୍ପ ଆମେରିକାର ଏଆଇ ଦୌଡ଼ରେ ସର୍ବାଧିକ ଗତି ବଜାୟ ରଖିବା ଉପରେ ଜୋର ଦେଉଛନ୍ତି।

ଚୀନ୍ ଯେପରି ଏଆଇ କ୍ଷେତ୍ରରେ ଆମେରିକାର ଅଗ୍ରଣୀ ସ୍ଥାନକୁ ଚ୍ୟାଲେଞ୍ଜ୍ ନ କରେ, ଏହାକୁ ନେଇ ୱାଶିଂଟନ୍ର ଚିନ୍ତା ରହିଛି। ତେଣୁ ଆଗାମୀ ଦିନରେ ଏଆଇର ସୁରକ୍ଷା ବନାମ ଆମେରିକାର ବିଶ୍ୱ ଏଆଇ ନେତୃତ୍ୱ ଏହି ଦୁଇଟି ମଧ୍ୟରେ ସନ୍ତୁଳନ କିପରି ରଖାଯିବ, ତାହା ଏକ ବଡ଼ ନୀତିଗତ ପ୍ରଶ୍ନ ହୋଇ ଉଭା ହୋଇଛି।