ନୂଆଦିଲ୍ଲୀ, ୧୪/୦୯: ସ୍ୱର୍ଣ୍ଣିମ ରବିବାରରେ ଭାରତୀୟ ପୁରୁଷ ଓ ମହିଳା ଦଳର ୪ ବଡ଼ ବିଜୟ । ଚକ୍ ଦେ ଇଣ୍ଡିଆ.. ଧ୍ୱନିରେ କମ୍ପି ଉଠିଥିଲା ମଇଦାନ । ହକି ଜୁନିୟର ପୁରୁଷ ଏସିଆ କପ୍ ଫାଇନାଲରେ ଭାରତ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ଏବଂ ମହିଳାରେ ୧-୦ ଗୋଲରେ ଚୀନକୁ ହରାଇ ହୋଇଥିଲା ଚାମ୍ପିଅନ । ସେମିତି ମହିଳା ଏସିଆ କପ୍ କ୍ରିକେଟ୍ରେ ଭାରତ ୭୨ ରନରେ ଶ୍ରୀଲଙ୍କାକୁ ହରାଇ ଟାଇଟଲ ଜିତିଥିଲା । ପୁରୁଷ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ୭ ୱିକେଟରେ ଆଫଗାନିସ୍ତାନକୁ ପରାସ୍ତ କରି ୩ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଅଗ୍ରଣୀ ହାସଲ କରିଥିଲା।

ଭାରତୀୟ ଦଳର ସ୍ବର୍ଣ୍ଣିମ ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ହକି ଜୁନିୟର ପୁରୁଷ ଏସିଆ କପ୍ ରେ ଭାରତ ଏକତରଫା ଭାବେ ୪-୧ ଗୋଲରେ ଦକ୍ଷିଣ କୋରିଆକୁ ପରାସ୍ତ କରିଥିଲା । ୯,୧୩,୨୧ ଓ ୫୦ ମିନିଟରେ ଭାରତ ଗୋଲ ଦେଇଥିଲା। ୫୪ ମିନିଟରେ କୋରିଆ ଗୋଟିଏ ଗୋଲ ପରିଶୋଧ କରିଥିଲା। ଅଧିନାୟକ ଓଡ଼ିଆ ଡିଫେଣ୍ଡର ଅନମୋଲ ଏକ୍କା ୧୩ ମିନିଟରେ ଗୋଟିଏ ଗୋଲ ଦେବାରେ ସଫଳ ହୋଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ଗୋଲ ସ୍କୋର କରିଥିଲେ। ପୁଲରୁ ଫାଇନାଲ ପର୍ଯ୍ୟନ୍ତ ୧୭ଟି ଗୋଲ ସ୍କୋର କରି ଶ୍ରେଷ୍ଠ ଗୋଲସ୍କୋରର ବିବେଚିତ ହୋଇଥିଲେ।

ହକି ଜୁନିୟର ମହିଳା ଏସିଆ କପରେ ଭାରତ ୧-୦ ଗୋଲରେ ଚୀନକୁ ପରାଜିତ କରିଥିଲା। ୧୭ ମିନିଟରେ ସନିକା ମାନ ବିଜୟୀ ଗୋଲ ସ୍କୋର କରିଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୭ଟି ଗୋଲ ଦେଇ ଶ୍ରେଷ୍ଠ ଗୋଲସ୍କୋରର ହୋଇଥିଲେ। ମହିଳା ଓ ପୁରୁଷ ଦଳରେ ମୋଟ ୯ ଜଣ ଓଡ଼ିଆ ଖେଳାଳି ସାମିଲ ରହିଥିଲେ । ମହିଳାରେ ଗୋଲକିପର ଏଞ୍ଜିଲ ହର୍ଷ ରାଣୀ ମିଞ୍ଜ,ଡିଫେଣ୍ଡର ପୂଜା ସାହୁ ଓ ମିଡଫିଲ୍ଡର ତନୁଜା ଟପୋ ଏବଂ ପୁରୁଷରେ ଅନମୋଲ,ବିବେକ ଲାକ୍ରା,ରୋହିତ କୁଲୁ,ସଞ୍ଜିତ ତିର୍କୀ,ଆଦ୍ରୋହିତ ଏକ୍କା ଓ ଆର୍ଯ୍ୟନ ଖେସ ସ୍ଥାନ ପାଇଥିଲେ। 

ମହିଳା ଏସିଆ କପ୍ ଫାଇନାଲରେ ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୮୩ ରନ କରିଥିଲା। ସ୍ମୃତି ମନ୍ଧନା ୫୯ ଓ ଶେଫାଳି ବର୍ମା ୬୮ ରନ କରିଥିଲେ। ଜବାବରେ ଶ୍ରୀଲଙ୍କା ୧୧୧ ରନରେ ଅଲଆଉଟ୍ ହୋଇଥିଲା। ଏଥି ସହ ଭାରତ ଅଷ୍ଟମ ଥର ଏସିଆ କପ୍ ଟାଇଟଲ ହାସଲ କରିଥିଲା।

ସେମିତି ଭାରତ ଓ ଆଫଗାନିସ୍ତାନ ପ୍ରଥମ ଟି-ଟ୍ୱେଣ୍ଟିରେ ଆଫଗାନିସ୍ତାନ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ରେ ୧୫୬ ରନ କରିଥିଲା। ଜବାବରେ ଭାରତ ୧୩.୪ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଅଭିଷେକ ଶର୍ମା ୩୨ ବଲରୁ ୮୨ ରନ କରିଥିଲେ ।