ପାଣାଜୀ: ଗୋଆ ଫରୱାର୍ଡ ପାର୍ଟି ସହ ମିଶି ଆମ ଆଦମୀ ପାର୍ଟି (ଆପ) ଗୋଆରେ ଆଗାମୀ ବିଧାନସଭା ନିର୍ବାଚନ ଲଢିବ। ଆପ ଜାତୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ରବିବାର ଏହି ମେଣ୍ଟ ଘୋଷଣା କରିଛନ୍ତି। କେଜରିୱାଲ କହିଛନ୍ତି ଯେ ଏହି ମେଣ୍ଟ ନାମ ‘ଗୋଆ ଫାର୍ଷ୍ଟ’ ରଖା ଯାଇଛି। କେଜରିୱାଲ କହିଛନ୍ତି ଯେ ଏହି ମେଣ୍ଟ ଉଦ୍ଦେଶ୍ୟ ହେଉଛି ଭୋଟରଙ୍କୁ ବିଜେପି ଓ କଂଗ୍ରେସ ବ୍ୟତୀତ ଏକ ବିକଳ୍ପ ଦେବା। କେଜରିୱାଲ କଂଗ୍ରେସ ଓ ବିଜେପି ବିରୋଧରେ ଅଭିଯୋଗ କରିଛନ୍ତି ଯେ ସେମାନେ ନିର୍ବାଚନ ବେଳେ ପରସ୍ପର ବିରୋଧରେ ଲଢନ୍ତି, ହେଲେ ସରକାର ଗଠନ ଲାଗି ରୁଦ୍ଧଦ୍ୱାର କୋଠରୀରେ କାମ କରନ୍ତି।

ଏଥିରେ କେଜରିୱାଲ କହିଛନ୍ତି ଯେ ଗୋଆ ଫରୱାର୍ଡ ପାର୍ଟି ଓ ଆମ ଆଦମୀ ପାର୍ଟି ମିଳିତ ‘ଗୋଆ ଫାର୍ଷ୍ଟ’ ଗଢିଛନ୍ତି, ଯାହା ଗୋଆ ଲୋକଙ୍କୁ ଏକ ଅସଲି ବିକଳ୍ପ ଦେବ। କେଜରିୱାଲ କହିଛନ୍ତି ଯେ ଏହି ମେଣ୍ଟ ଏଥି ପାଇଁ ଜରୁରି ଯେ ଗୋଆର ଲୋକେ ଦୀର୍ଘ ବର୍ଷରୁ ରାଜନୀତିର ପରିସ୍ଥିତି ଦେଖି ଆସୁଛନ୍ତି। ଏଣୁ ସେମାନେ ଭାବୁଛନ୍ତି ସେମାନଙ୍କ ନିକଟରେ ଅନ୍ୟ ବିକଳ୍ପ ନାହିଁ। ସେମାନଙ୍କୁ ହୁଏତ କଂଗ୍ରେସକୁ ଭୋଟ ଦେବାକୁ ପଡୁଛି ନଚେତ ବିଜେପିକୁ, ଯେତେବେଳେ ଉଭୟ ପାର୍ଟିଙ୍କ ଭିତିରି ବୁଝାମଣା ରହିଛି।

ଲୋକେ ଏବେ ଏକ ବିକଳ୍ପ ଚାହୁଁଛନ୍ତି। ଯେଉଁ ଲୋକେ କଂଗ୍ରେସ ଅଥବା ବିଜେପିକୁ ଭୋଟ ଦେବାକୁ ଚାହୁଁ ନାହାନ୍ତି ସେମାନେ ଏହି ନୂଆ ମେଣ୍ଟକୁ ଭୋଟ ଦେଇ ପାରିବେ। କେଜରିୱାଲ ଦାବି କରିଛନ୍ତି ଯେ ତାଙ୍କ ମେଣ୍ଟ ନିର୍ବାଚନ ଜିତିବ ଓ ନିଜ ବଳରେ ‘ଗୋଆ ଫାର୍ଷ୍ଟ’ ସରକାର ଗଢିବ। ଆମେ ଆମ ଯୋଗ୍ୟତା ବଳରେ ଜିତିବୁ। ଏହା ଏକ ନିର୍ଭରଯୋଗ୍ୟ ଓ ବିଶ୍ୱସ୍ଥ ମେଣ୍ଟ ଯାହା ଗୋଆର ଲୋକଙ୍କ ଲାଗି ବିଶ୍ୱସ୍ଥହେବ ବୋଲି କେଜରିୱାଲ ଦାବି କରିଛନ୍ତି।