ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବାନ୍ଦା ବୁଧବାର ଦେଶର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ସହରର ତାପମାତ୍ରା ୪୮ ଡିଗ୍ରି ସେଲସିୟସକୁ ପହଞ୍ଚିଛି। ମାତ୍ର ୨ ଦିନ ପୂର୍ବରୁ ଜିଲ୍ଲାର ତାପମାତ୍ରା ୪୭.୬ ଡିଗ୍ରି ସେଲସିୟସକୁ ପହଞ୍ଚିଥିଲା, ଯାହା ଚଳିତ ଋତୁର ବୈଶ୍ୱିକ ସ୍ତରରେ ରେକର୍ଡ କରାଯାଇଥିବା ଦିନର ସବୁଠୁ ଅଧିକ ତାପମାତ୍ରା ମଧ୍ୟରେ ଅନ୍ୟତମ। ବୃଦ୍ଧି ପାଉଥିବା ତାପମାତ୍ରାରୁ ବାନ୍ଦା ପୁଣି ଥରେ ୧୦ ଜୁନ ୨୦୧୯ରେ ହୋଇଥିବା ସର୍ବକାଳୀନ ତାପମାତ୍ରା ୪୯.୨ ଡିଗ୍ରି ସେଲସିୟସ ରେକର୍ଡ ନ ଭାଙ୍ଗିବ ତାହା ଏବେଠୁ କୁହାଯାଇ ପାରିବନି।

ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଉତ୍ତରପ୍ରଦେଶର ଏହି ଭୂ-ଖଣ୍ଡ ଧିରେ ଧିରେ ତାପ ଦ୍ୱୀପରେ ରୂପାନ୍ତରିତ ହେବାକୁ ଯାଉଛି। ଏଠାରେ ହ୍ରାସ ହେଉଥିବା ସବୁଜିମା, ଶୁଷ୍କ ନଦୀ, ଅନ୍ଧାଦୁନିଆ ବାଲି ଉଠାଣ ଓ ଜଳବାୟୁ ପରିବର୍ତ୍ତନ ସବୁ ମିଶି ବାନ୍ଦାକୁ ଉତ୍ତପ୍ତ ସହରରେ ପରିଣତ କରିଛି। ଏଥିରେ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ବାନ୍ଦା ଓ ଦକ୍ଷିଣ ଉତ୍ତରପ୍ରଦେଶର କେତେକ ଜିଲ୍ଲା ପାଇଁ ଭୀଷଣ ହିଟୱେଭ୍ ଚେତାବନୀ ଜାରି କରିଛନ୍ତି। ଆଇଏମଡି ଲକ୍ଷ୍ନୌ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ମହମଦ ଦାନିଷ କହିଛନ୍ତି ଯେ ବୁନ୍ଦେଲଖଣ୍ଡର ପରିସ୍ଥିତି ବାସ୍ତବିକ ଜଟିଳ। କାରଣ ଏହି କ୍ଷେତ୍ରରେ ଅନେକ ଦିନରୁ ବର୍ଷା ଛାଡିଗଲାଣି।

ପାଣିପାଗ ବୈଜ୍ଞାନିକଙ୍କ ଅନୁସାରେ ଦକ୍ଷିଣ ଉତ୍ତରପ୍ରଦେଶର ଗ୍ରୀଷ୍ମର ପ୍ରଭାବ ସବୁଠୁ ଅଧିକ ହୁଏ। କାରଣ ୱେଷ୍ଟର୍ଣ୍ଣ ଡିଷ୍ଟର୍ବାନ୍ସ ଅନେକ କ୍ଷେତ୍ରକୁ ଆଶ୍ୱସ୍ତ କରିଥିଲେ ହେଁ ବୁନ୍ଦେଲଖଣ୍ଡ ଉପରେ ଏହାର ଖୁବ୍ କ୍ୱଚିତ ପ୍ରଭାବ ପଡିଛି। ଏହି କାରଣରୁ ବାନ୍ଦା ଜିଲ୍ଲା ପ୍ରଥମରୁ ହିଟୱେଭର ଶିକାର ହୋଇ ସାରିଛି। ପଥୁରିଆ ଅଞ୍ଚଳ ହୋଇଥିବାରୁ ଖରା ଟାଣ ହେବା ସହ ଉତ୍ତାପ ବଢିବାରେ ଲାଗୁଛି। ପାଣିପାଗ ବିଭାଗ ଅନୁସାରେ ଥାର ମରୁଭୂମିରୁ ଆସୁଥିବା ଶୁଷ୍କ ପଶ୍ଚିମା ପବନ ଗରମକୁ ଆହୁରି ବଢାଉଛି। ଏଣୁ ଦିନ ତ ଦିନ ରାତିରେ ବି ଭୀଷଣ ଗରମ ହେଉଛି।