ନୂଆଦିଲ୍ଲୀ: ଶାସନରୁ ହଟିବା ପରଠୁ ଇମରାନ ଖାନଙ୍କ ଜୀବନ ସେତେଟା ସହଜ ହୋଇନାହିଁ। ପ୍ରାୟ ୩ ବର୍ଷରୁ ଅଧିକ ସମୟ ହେବ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ସେମାନଙ୍କ ପରିବାର କିମ୍ବା ସମର୍ଥକଙ୍କୁ ତାଙ୍କୁ ଦେଖିବାକୁ ମଧ୍ୟ ଅନୁମତି ନାହିଁ। ଏମିତିକି ବ୍ୟକ୍ତିଗତ ଡାକ୍ତର ଏବଂ ଓକିଲଙ୍କୁ ମଧ୍ୟ ଦେଖାକରିବାକୁ ଦିଆଯାଉନାହିଁ। ଏହାରି ମଧ୍ୟରେ ମଙ୍ଗଳବାର ଇମରାନଙ୍କୁ ନେଇ ଏକ ଘଟଣା ହଇଚଇ ସୃଷ୍ଟି କରିଛି।

ଇମରାନଙ୍କ ସମର୍ଥକ କହିଛନ୍ତି ଇମରାନ ଖାନଙ୍କୁ ରାତି ୨ ଟାରେ ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ନିଆଯାଇଥିଲା। ଏହି ହସ୍ପିଟାଲ ଇସଲାମାବାଦରେ ଅଛି। ତାଙ୍କ ଆଖିରେ ସମସ୍ୟା ରହିଛି ଏଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ସେଠାକୁ ନିଆଯାଇଥିଲା। ସେପଟେ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଇମରାନଙ୍କୁ ତିନିଟି ଇଞ୍ଜେକ୍ସନ ଦିଆଯିବ। ଏହା ଦ୍ବିତୀୟ ଇଞ୍ଜେକ୍ସନ ଥିଲା। ଜଣାପଡ଼ିଛି ଇମରାନଙ୍କ ଡାହାଣ ଆଖିରେ ଦୃଷ୍ଟି ଶକ୍ତି ଆଉ ମାତ୍ର ୧୫ ପ୍ରତିଶତ ରହିଛି। ଏବେ ତୃତୀୟ ଇଞ୍ଜେକ୍ସନ ମାର୍ଚ୍ଚ ୨୪ରେ ଲଗାଯିବ। ତାଙ୍କୁ ରାତି ୨ ଟାରେ ହସ୍ପିଟାଲ ନେବାର ଭିଡିଓ ଭାଇରାଲ ହେଉଛି।

ସେପଟେ ଘଟଣାକୁ ନେଇ ପାକିସ୍ତାନ ତେହରିକ- ଏ- ଇନସାଫର ନେତା ବାରିଷ୍ଟର ଗୌହର ଖାନ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି, ରାତି ୨ଟାରେ ଏଭଳି ଲୁଚା ଛପା ଭାବରେ କ’ଣ ଚିକିତ୍ସା ହେଉଛି ? ଇମରାନ ଖାନଙ୍କ ଚିକିତ୍ସା ସୂଚନା ତାଙ୍କ ସମର୍ଥକଙ୍କୁ ଦିଆଯିବା ଦରକାର। ତାଙ୍କର ଚିକିତ୍ସା ଶିଫା ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ହେବା ଦରକାର। ତା’ ସହ ଇମରାନଙ୍କ ବ୍ୟକ୍ତିଗତ ଡାକ୍ତର ଏବଂ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଚିକିତ୍ସା କରାଯିବା ଦରକାର। 

ଡାକ୍ତରଙ୍କ କହିବା ଅନୁସାରେ, ଇମରାନ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଇଞ୍ଜେକ୍ସନ ଦିଆଯିବା ପରେ ମଧ୍ୟ ତାଙ୍କ ଉପରେ ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖାଯାଇଛି। ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ତାରିକ୍ ଫଜଲ ମଧ୍ୟ ଏନେଇ ସୂଚନା ଦେଇଛନ୍ତି।

ସେପଟେ ଚିକିତ୍ସା ପରେ ତାଙ୍କୁ ଆଦିୟାଲା ଜେଲକୁ ସ୍ଥାନାନ୍ତର କରଯାଇଛି। ଏହି ଘଟଣାକୁ ନେଇ ଇମରାନଙ୍କ ଭଉଣୀ ଅଲୀମା ମଧ୍ୟ ଆପତ୍ତି ଉଠାଇଛନ୍ତି। ସେ କହିଛନ୍ତି, ସରକାରୀ ଚିକିତ୍ସା ଏବଂ ଟେଷ୍ଟ ରିପୋର୍ଟକୁ ବିଶ୍ବାସ କରାଯାଇପାରିବନି। ସେ କହିଛନ୍ତି ଯଦି କୌଣସି କଏଦୀଙ୍କୁ ଚିକିତ୍ସା ପାଇଁ ନିଆଯାଏ ତେବେ ତାଙ୍କ ପରିବାରକୁ ସୂଚିତ କରାଯାଏ। ଆମକୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ଅଲିମା କହିଛନ୍ତି ଯେ, ଡାକ୍ତରଙ୍କୁ ଧମକ ଦିଆଯାଇଛି ଯଦି ସେମାନେ କିଛିବି ବାହାରେ କହିଲେ ତେବେ ସେମାନଙ୍କ ପାଇଁ ଭଲ ହେବ ନାହିଁ। ଅଲୀମା କହିଛନ୍ତି ଯଦି ସରକାର ରିପୋର୍ଟ ସାର୍ବଜନୀନ ମଧ୍ୟ କରନ୍ତି ତାହେଲେ ବି ତାଙ୍କ ଉପରେ ଭରସା ହେବନାହିଁ।