ମୁନିଗୁଡ଼ା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହାତ ହୋଇଛନ୍ତି। ଏହି ଦୁର୍ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଉର୍ଲ୍ଲାଯୋଡ଼ି ଛକ ନିକଟରେ। ମୃତ ଯୁବକ ପଣସଗୁଡ଼ା ଗ୍ରାମର ଜିତୁ କୂଲୁସିକା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ ପଣସଗୁଡ଼ା ଗ୍ରାମର ଜିତୁ କୂଲୁସିକା, ମୁନ୍ନା ହିକକା ଓ ନେପାଳ ହିକକା କୌଣସି କାମରେ ଉର୍ଲ୍ଲାଯୋଡ଼ି ଗ୍ରାମକୁ ଯାଇ ଘରକୁ ଫେରୁଥିଲେ । ହେଲେ ସମୟରେ ଉର୍ଲ୍ଲାଯୋଡ଼ି ଛକ ନିକଟରେ ଦୁର୍ଘଟଣା ଘଟିଥିଲା। ତେବେ ଦୁର୍ଘଟଣା ଫଳରେ ତିନିଜଣ ଯୁବକ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଯିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛନ୍ତି ।

ସେଠାରେ ଡାକ୍ତର ଜିତୁ କୂଲୁସିକାଙ୍କୁ ମୃତ ଘୋଷଣା କରିଥିବା ବେଳେ ଅନ୍ୟ ଦୁଇ ଆହତଙ୍କ ମଧ୍ୟରୁ ମୁନ୍ନା ହିକକାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସ୍ଥାନୀୟ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ବିଷମକଟକ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଛି ।