ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୀର୍ଘାୟୁ ହେବା ସହ ସୁସ୍ଥ ରହିବା ପ୍ରାୟ ଅସମ୍ଭବ ପରି ମନେହେଉଛି । ଅନେକ ମାରାତ୍ମକ ରୋଗରେ ପୀଡ଼ିତ ହୋଇ ଲୋକଙ୍କ ଜୀବନ ଚାଲିଯାଉଛି । ଏଭଳି ସ୍ଥିତିରେ, ଶତାୟୁ ଲୋକଙ୍କ ଜୀବନଶୈଳୀ କେମିତି ଏବଂ ସେମାନେ ଜୀବନର ଶେଷ ପର୍ଯ୍ୟନ୍ତ କିଭଳି ସୁସ୍ଥ ରହୁଛନ୍ତି, ତାକୁ ନେଇ ଅଧ୍ୟୟନ ଜାରି ରହିଛି । ସାଧାରଣତଃ ଜାପାନରେ ଶତାୟୁ ଲୋକଙ୍କ ସଂଖ୍ୟା ଅଧିକ । ବୈଜ୍ଞାନିକମାନେ ଏହା ଉପରେ ଅଧ୍ୟୟନ ଜାରି ରଖିଥିବା ବେଳେ, ଦୁନିଆର ସବୁଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି । ସେ ୧୧୭ ବର୍ଷ ୧୬୮ ଦିନ ଜୀବିତ ଥିଲେ । ଯଦିଓ ତାଙ୍କର ମୃତ୍ୟୁ ହୋଇସାରିଛି, ତଥାପି ତାଙ୍କ ଶରୀରରୁ ନେଇ ହୋଇଥିବା ଅଧ୍ୟୟନରୁ ଅନେକ ଆଶ୍ଚର୍ଯ୍ୟକର ତଥ୍ୟ ପାଇଛନ୍ତି ବୈଜ୍ଞାନିକ ।

ଦୁନିଆର ସବୁଠାରୁ ବୟସ୍କ ମାରିଆ ବ୍ରାନ୍ୟାସ୍ ମୋରେରା ୧୧୭ ବର୍ଷ ୧୬୮ ଦିନ ବୟସରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଡାକ୍ତରମାନଙ୍କୁ ନିଜ ଶରୀର ଓ କୋଷଗୁଡ଼ିକର ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ଏକ ଅନ୍ତର୍ଜାତୀୟ ଗବେଷକ ଦଳ 'ସେଲ୍ ରିପୋର୍ଟସ ମେଡିସିନ୍' ପତ୍ରିକାରେ ‘ସବୁଠାରୁ ଅଧିକ ଆୟୁଷ ବିଶିଷ୍ଟ ବ୍ୟକ୍ତିଙ୍କ ମଲ୍ଟିଓମିକ୍ସ ବ୍ଲୁପ୍ରିଣ୍ଟ’ ଶୀର୍ଷକ ଏକ ଗବେଷଣାତ୍ମକ ତଥ୍ୟ ପ୍ରକାଶ କରିଥିଲେ। ୧୧୬ ବର୍ଷ ବୟସରେ ତାଙ୍କ ରକ୍ତ, ଲାଳ ଓ ମଳର ନମୂନା ପରୀକ୍ଷା କରିଥିଲେ ବୈଜ୍ଞାନିକ । ଏଥିରୁ ଯେଉଁ ଫଳାଫଳ ମିଳିଥିଲା ତାହା ସେମାନଙ୍କୁ ସ୍ତବ୍ଧ କରିଦେଇଥିଲା । ତାଙ୍କ ଶରୀରରେ କେ​‌ତେକ ଜୈବିକ ପ୍ରଣାଳୀ ତାଙ୍କର ପ୍ରକୃତ ବୟସ ତୁଳନାରେ ଯଥେଷ୍ଟ କମ୍‌ ଥିଲା ।

କ୍ରୋମୋଜୋମର ଶେଷ ଭାଗରେ ଥିବା ଟେଲୋମିୟରଗୁଡ଼ିକ ଅତ୍ୟନ୍ତ ଛୋଟ ହୋଇଯାଇଥିଲା । ରକ୍ତରେ ବୟସାଧିକ୍ୟ ଜନିତ କେତେକ ପରିବର୍ତ୍ତନ ଦେଖାଯାଇଥିଲା । ମାତ୍ର ତାଙ୍କର ଅନେକ ଜୈବିକ ପ୍ରଣାଳୀ ତାଙ୍କ ପ୍ରକୃତ ବୟସ ତୁଳନାରେ ଯଥେଷ୍ଟ ସୁସ୍ଥ ଜଣାପଡ଼ୁଥିଲା। ସବୁଠାରୁ ଚମତ୍କାରୀ ଆବିଷ୍କାର ଥିଲା ତାଙ୍କର epigenetics ବା ଡିଏନ୍ଏ ମିଥାଇଲେସନ୍ ନମୁନା। ବୈଜ୍ଞାନିକମାନେ ଜୈବିକ ବୟସ ଆକଳନ କରୁଥିବା ଏପିଜେନେଟିକ୍ କ୍ଲକ୍ ପ୍ରୟୋଗ କରିଥିଲେ । ମାରିଆଙ୍କ ଜୈବିକ ବୟସ ତାଙ୍କ ଜନ୍ମପତ୍ରିକାର ବୟସଠାରୁ ହାରାହାରି ୨୩ ବର୍ଷ କମ୍ ଥିଲା । ଅର୍ଥାତ୍ ତାଙ୍କ ଶରୀର ଭିତରର କୋଷଗୁଡ଼ିକ ପ୍ରାୟ ୯୪ ବର୍ଷର ବ୍ୟକ୍ତିଙ୍କ ଭଳି ଆଚରଣ କରୁଥିଲା। 

ତାଙ୍କ ପାଚନ ତନ୍ତ୍ରରେ ଲାଭଦାୟକ ବ୍ୟାକ୍ଟେରିଆ ଥିଲେ । ଯାହା ସାଧାରଣତଃ ବୟସ ବୃଦ୍ଧି ସହ କମିଯାଇଥାଏ। ତାଙ୍କ ରକ୍ତରେ ସ୍ୱଳ୍ପ ପ୍ରଦାହ, ଚର୍ବି ଓ କୋଲେଷ୍ଟ୍ରୋଲ ଉତ୍ତମ ପରିଚାଳନା ଏବଂ ଉନ୍ନତ ଆଣ୍ଟିଅକ୍ସିଡାଣ୍ଟ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ଏହା ହୃଦ୍‌ରୋଗ ଓ ବୟସାଧିକ୍ୟ ଜନିତ ରୋଗରୁ ତାଙ୍କୁ ସୁରକ୍ଷା ଦେଉଥିଲା।

ଗବେଷକମାନେ ତାଙ୍କ ଜିନ୍‌ରେ କେତେକ ଦୁର୍ଲଭ ଭାରିଆଣ୍ଟ ପାଇଥିଲେ । ଯାହା ଦୀର୍ଘାୟୁ, ପ୍ରତିରୋଧକ ଶକ୍ତି, ହୃଦୟ ଓ ମସ୍ତିଷ୍କର ସୁରକ୍ଷା ପାଇଁ ସହାୟକ ।  ତେବେ କେବଳ ଜିନ୍ ନୁହେଁ, ତାଙ୍କର ନିୟମିତ ଜୀବନଶୈଳୀ ମଧ୍ୟ ଏହି ଦୀର୍ଘାୟୁର ପ୍ରମୁଖ କାରଣ ଥିଲା। ସେ ମଦ୍ୟପାନ କିମ୍ବା ଧୂମପାନ କରୁନଥିଲେ ।  ପନିପରିବା, ଫଳ, ଶସ୍ୟ  ଆହାର ଭାବରେ ଗ୍ରହଣ କରୁଥିଲେ । ନିୟମିତ ଦହି ଖାଉଥିଲେ। ଜାନୁଆରୀ ୨୦୨୩ରୁ ବିଶ୍ୱର ସବୁଠାରୁ ବୟସ୍କ ଜୀବିତ ବ୍ୟକ୍ତିର ମାନ୍ୟତା ପାଇଥିବା ମାରିଆ ୧୯୧୮ର ଇନ୍‌ଫ୍ଲୁଏଞ୍ଜା ମହାମାରୀ, ଦୁଇଟି ବିଶ୍ୱଯୁଦ୍ଧ, ସ୍ପେନ ଗୃହଯୁଦ୍ଧ ଏବଂ କୋଭିଡ୍-୧୯ ମହାମାରୀକୁ ମଧ୍ୟ ସଫଳତାର ସହ ପରାସ୍ତ କରିଥିଲେ । ତେବେ ଅଗଷ୍ଟ ୧୯, ୨୦୨୪ରେ ଆଖି ବୁଜିଥିଲେ ମାରିଆ ।