ନୂଆଦିଲ୍ଲୀ: ମଣିଷରୂପୀ ଦେବଦୂତ ! ଜଣେ ଦୋକାନୀଙ୍କ ଉପସ୍ଥିତ ବୁଦ୍ଧି ଏବଂ ସାହାସିକତାକୁ ସାରା ଦୁନିଆ ସଲାମ କରୁଛି । ତାଙ୍କର ଏହି ସାହାସିକ ପଦକ୍ଷେପ ଲାଗି ଜଣେ ୫ ବର୍ଷର ଶିଶୁ ପୁତ୍ରର ଜୀବନ ବଞ୍ଚିଯାଇଛି । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ବେଳେ, ଦୋକାନୀଙ୍କ ଏଭଳି କାର୍ଯ୍ୟକୁ ବିଶ୍ବବାସୀ ପ୍ରଶଂସା କରୁଛନ୍ତି ।

 ଇଜିପ୍ଟର ଗିଜା ନଗରୀର ଅର୍ଦ୍ଦ ଏଲ୍-ଲିୱା ଅଞ୍ଚଳରେ ଘଟିଥିବା ଏକ ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା । ଜଣେ ଦୋକାନୀଙ୍କ ସାହସିକତା ଯୋଗୁଁ ଏକ ପାଞ୍ଚ ବର୍ଷର ଶିଶୁର ଜୀବନ ବଞ୍ଚିଯାଇଛି। ସେପ୍ଟେମ୍ବର ୨୯ ତାରିଖରେ ଏକ ବହୁତଳ ପ୍ରାସାଦର ବାଲକୋନିରୁ ଏକ ଶିଶୁ ହଠାତ୍ ତଳକୁ ଖସିପଡ଼ିଥିଲା। ସେହି ସମୟରେ ବିଲ୍ଡିଂକୁ ଲାଗି ଥିବା ଜନଗହଳିପୂର୍ଣ୍ଣ ରାସ୍ତାରେ ଜଣେ ଲୋକଙ୍କ ପାଟି ଶୁଣି ଦୋକାନୀ ଅହମ୍ମଦ ରଗବ ତୁରନ୍ତ ଉପରକୁ ଚାହିଁଥିଲେ । ଏହି ସମୟରେ ଶିଶୁଟି ବାଲକୋନିରୁ ତଳକୁ ଖସିପଡ଼ିଥିଲା । ହେଲେ ଶିଶୁଟି ତଳେ ପଡ଼ିବା ପୂର୍ବରୁ ବିଜୁଳି ବେଗରେ ଯାଇ ତାକୁ ଧରି ନେଇଥିଲେ ଅହମ୍ମଦ । 

ଏହି ଘଟଣା ପାଖରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, ରଗବ ଶିଶୁଟିକୁ କୋଳେଇ ନେବା ପରେ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ଓ ଆଶଙ୍କାରେ ବାଲକୋନି ଆଡ଼କୁ ଚାହିଁରହିଥିଲେ । ପରେ ନିଜକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। 

ପରବର୍ତ୍ତୀ ସମୟରେ ଏକ ସାକ୍ଷାତକାରରେ ରଗବ କହିଛନ୍ତି ଯେ, ସେହି ସଙ୍କଟଜନକ ମୁହୂର୍ତ୍ତରେ ସେ କିପରି ଏତେ ଶୀଘ୍ର ପ୍ରତିକ୍ରିୟା ପ୍ରକାଶ କଲେ ତାହା ସେ ନିଜେ ମଧ୍ୟ ବୁଝିପାରୁନାହାଁନ୍ତି। ଏପରି ସ୍ଥିତି ଶହେ ଥର ଦୋହରାଗଲେ ମଧ୍ୟ ସେ ପୁଣି ସମାନ ସଫଳତା ପାଇବେ କି ନାହିଁ, ସେନେଇ ଅହମ୍ମଦ ସନ୍ଦେହ ପ୍ରକାଶ କରିଛନ୍ତି । ଏହି ଅଦ୍ଭୁତ କାର୍ଯ୍ୟ ପଛରେ ଥିବା ଆଡ୍ରେନାଲିନର ପ୍ରଭାବକୁ ସେ ସ୍ୱୀକାର କରିଛନ୍ତି।