ନୂଆଦିଲ୍ଲୀ: ଦକ୍ଷିଣ ନାଇଜେରିଆରେ ସୋମବାର ୨୫ ଜଣ ଯାତ୍ରୀ ଏବଂ ସାତ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ବିମାନର ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜୀବନହାନି ନେଇ କୌଣସି ସୂଚନା ସାମନାକୁ ଆସିନାହିଁ । ନାଇଜେରିଆର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କିଆମୋ କହିଛନ୍ତି, ବିମାନଟି ନାଇଜେରିଆର ଅର୍ଥନୈତିକ କେନ୍ଦ୍ର ଲାଗୋସକୁ ଏକ ନିୟମିତ ମିଶନରେ ଉଡାଣ ଭରିଥିବା ବେଳେ ଓଣ୍ଡୋ ରାଜ୍ୟର ଇଗବୋକୋଡା ଅଞ୍ଚଳରେ କ୍ରାସ୍ ହୋଇଛି ।

ବିମାନଟି ATR-42 ବୋଲି ନାଇଜେରିଆନ ବାୟୁସେନା ଚିହ୍ନଟ କରିଛି । କିଆମୋ କହିଛନ୍ତି ଯେ ବିମାନଟି ପ୍ରଥମେ ସ୍ଥାନୀୟ ସମୟ ପ୍ରାୟ ସକାଳ ୯ଟାରେ ରାଡାରରୁ ଅଦୃଶ୍ୟ ହୋଇଯାଇଥିଲା । ପରେ ଜଣାପଡିଥିଲା ଯେ ଏହା ଏଡୋ ରାଜ୍ୟରୁ ଲାଗୋସ ଯାତ୍ରାର ମଝି ରାସ୍ତାରେ କ୍ରାସ୍ ହୋଇଛି ।

Also Read: ଲଣ୍ଡନରୁ ଆମେରିକା ଯାଉଥିଲା ବିମାନ, ଅଚାନକ ୯୦୦୦ ଫୁଟ ତଳକୁ ଖସିଲା

ମିଡିଆ ରିପୋର୍ଟ ଅନୁସାରେ, ଓଣ୍ଡୋ ରାଜ୍ୟ ପୋଲିସ କମାଣ୍ଡର ମୁଖପାତ୍ର ଆବାୟୋମି ଜିମୋହ ଦୁର୍ଘଟଣାକୁ ସ୍ପଷ୍ଟ କରିଛନ୍ତି । ଜିମୋହ କହିଛନ୍ତି, ଇଗବୋକୋଡା ଏବଂ ଆଖପାଖ ସମ୍ପ୍ରଦାୟର ଲୋକମାନଙ୍କୁ ଶାନ୍ତ ରହିବା ଏବଂ ଗୁଜବ ନିବୃତ୍ତ ରହିବାକୁ ଅନୁରୋଧ କରାଯାଉଛି । ଘଟଣା ସଂପର୍କେ ଅଧିକ ସୂଚନା ଉପଲବ୍ଧ ହେଲେ, ଜନସାଧାରଣଙ୍କୁ ସୂଚିତ କରାଯିବ ।