ନୂଆଦିଲ୍ଲୀ: ବନ୍ଧୁ ବିଶ୍ୱାସର ଅନ୍ୟନାମ। ହେଲେ ଏଠି ବିଶ୍ୱାସଘାତକ ଚରମସୀମା ଟପିଛନ୍ତି ୩ ବନ୍ଧୁ। ଭୋଜି କରାଇବାକୁ କହି ଜଣେ ଯୁବକଙ୍କୁ ନେଇଗଲେ ୩ ସାଙ୍ଗ। ଭୋଜି କଲେ। ମଦ ପିଆଇଲେ। ହତ୍ୟା କଲେ। ମର୍ଡର ପଛରେ କାରଣ ଅବୈଧ ପ୍ରେମ ସମ୍ପର୍କ। ଏଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗପତର ସିଟି କୋତୱାଲି ଅଞ୍ଚଳ ଅନ୍ତର୍ଗତ ମିଟଲି ଗ୍ରାମର।

ମେ ୨ ତାରିଖ। ସମୟ ସକାଳ ୮ଟା ହେବ।ଏହି ଗ୍ରାମରେ ଥିବା ଟ୍ୟୁବଓ୍ୱେଲ ଜଣେ ଯୁବକ ମୁଲଚାନ୍ଦ ଓରଫ ସୋନୁଙ୍କ ମୃତଦେହ ଠାବ କରାଯାଇଥିଲା। ମୃତକ ମୁଲଚାନ୍ଦ (ଓରଫ ସୋନୁ) ଗାଁ ଭିତରେ ଏକ ଫାଷ୍ଟଫୁଡ୍ ଦୋକାନ ଚଳାଉଥିଲେ। ତାଙ୍କୁ ସାଙ୍ଗମାନେ ଭୋଜି କରିବାକୁ ଡାକିଥିଲେ। ସେ ଜାଣି ନଥିଲେ ଯେ ତାଙ୍କର ତିନି ବନ୍ଧୁ ବିଶାଳ, ଦୀପକ ଏବଂ ରିଙ୍କୁ ଯାହାକୁ ସେ ତାଙ୍କର ସବୁଠାରୁ ବେଷ୍ଟ ଫ୍ରେଣ୍ଡ୍ ବୋଲି ଭାବୁଥିଲେ, ସେମାନେ ହିଁ ତାଙ୍କ ପିଠିରେ ଛୁରି ମାରିବାକୁ କରିଛନ୍ତି ପ୍ଲାନ। ଶେଷରେ ହତ୍ୟା କରିଥିଲେ।

ପୋଲିସ ତଦନ୍ତ ପରେ ସତ ସାମନାକୁ ଆସିଛି। ମୁଲଚାନ୍ଦଙ୍କ ସ୍ତ୍ରୀଙ୍କ ସହିତ ଅବୈଧ ସମ୍ପର୍କ ଯୋଗୁଁ ତିନି ବନ୍ଧୁ- ବିଶାଲ, ଦୀପକ ଏବଂ ରିଙ୍କୁ ଏହି ହତ୍ୟାକାଣ୍ଡ ଘଟାଇଥିଲେ। ଏହି ତିନିଜଣ ମୁଲଚାନ୍ଦଙ୍କୁ ତାଙ୍କ ଘରୁ ନିକଟରେ ଥିବା ଟ୍ୟୁବଓ୍ୱେଲକୁ ଡାକିଥିଲେ। ସେମାନେ ସେଠାରେ ପ୍ରଥମେ ଏକାଠି ବସି ମଦ ଏବଂ ବିୟର ପିଇଥିଲେ। ମୁଲଚାନ୍ଦ ପ୍ରବଳ ନିଶାଗ୍ରସ୍ତ ହେବା ପରେ, ତିନିଜଣ ବ୍ୟକ୍ତି ତାଙ୍କ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିଲେ। ପୋଲିସ ସମସ୍ତ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି। ହତ୍ୟାରେ ବ୍ୟବହୃତ ଇଟା ଜବତ କରିଛି।

ଏହି ତିନି ଜଣ ବ୍ୟକ୍ତି ମୁଲଚାନ୍ଦଙ୍କ ସ୍ତ୍ରୀଙ୍କ ସହିତ ପ୍ରେମ ସମ୍ପର୍କରେ ଜଡିତ ଥିଲେ। ମୁଲଚାନ୍ଦଙ୍କୁ ଏହି ଅବୈଧ ସମ୍ପର୍କରେ ବାଧା ଦେବାରୁ ହତ୍ୟା କରିବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ। ସେମାନଙ୍କ ଷଡ଼ଯନ୍ତ୍ର ଅନୁଯାୟୀ, ଅଭିଯୁକ୍ତମାନେ ପାର୍ଟି ବାହାନାରେ ମୁଲଚାନ୍ଦଙ୍କୁ ଟ୍ୟୁବୱେଲକୁ ନେଇଗଲେ। ସେଠାରେ ଘଣ୍ଟା ଘଣ୍ଟା ଧରି ବିୟର ଏବଂ ମଦ ପିଇବା ଜାରି ରହିଲା। ମୁଲଚାନ୍ଦ ସମ୍ପୂର୍ଣ୍ଣ ନିଶାଗ୍ରସ୍ତ ଅବସ୍ଥାରେ ପହଞ୍ଚିବା ପରେ ତିନି ଜଣ ବ୍ୟକ୍ତି ମିଳିତ ଭାବରେ ପାଖରେ ଥିବା ଏକ ଇଟା ଧରି ଆକ୍ରମଣ ଆରମ୍ଭ କଲେ। ଘଟଣାସ୍ଥଳରୁ ମିଳିଥିବା ବିକ୍ଷିପ୍ତ ମଦ ବୋତଲ ଏବଂ ରକ୍ତ ଲାଗିଥିବା ଇଟା ଏହି ବର୍ବରତାର ପ୍ରମାଣ ଦେଇଥିଲା।

ଘଟଣା ବିଷୟରେ ସୂଚନା ପାଇବା ପରେ, ଏସପି ସୂରଜ ରାୟଙ୍କ ନେତୃତ୍ୱରେ ଟିମ୍ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା। ଅପରାଧ ସ୍ଥଳର ପରିସ୍ଥିତି ଏବଂ କଲ୍ ରେକର୍ଡ ଆଧାରରେ, ପୋଲିସ ତିନି ଜଣ ସନ୍ଦିଗ୍ଧଙ୍କୁ ହେପାଜତକୁ ନେଇଥିଲା। ପଚରାଉଚରା ସମୟରେ, ତିନି ଜଣ ସେମାନଙ୍କର ଅପରାଧ ସ୍ୱୀକାର କରିଛନ୍ତି।