ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ଠାରେ 'ଇଣ୍ଡିଆନ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ ରିଜର୍ଭ ଲିମିଟେଡ୍' (ଆଇଏସପିଆରଏଲ)ର ଡେପୁଟି ସିଇଓ ଅତୁଲ ଗୁପ୍ତାଙ୍କ ସହ ସାକ୍ଷାତ୍ କରିଛନ୍ତି । ଏହି ଅବସରରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ପ୍ରତିଷ୍ଠା ହେବାକୁ ଯାଉଥିବା 'ଷ୍ଟ୍ରାଟେଜିକ ପେଟ୍ରୋଲିୟମ ରିଜର୍ଭ' ପ୍ରକଳ୍ପର ସାମ୍ପ୍ରତିକ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି, ୪ ମିଲିୟନ୍ ମେଟ୍ରିକ୍ ଟନ୍ (ଏମଏମଟି) କ୍ଷମତା ବିଶିଷ୍ଟ ଏହି ବିଶାଳ ତୈଳ ଭଣ୍ଡାର ପ୍ରକଳ୍ପ ଆଗାମୀ ଦିନରେ ଓଡ଼ିଶାରେ ବିକାଶ ଓ ନିଯୁକ୍ତିର ନୂଆ ସୁଯୋଗ ତିଆରି କରିବ। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ 'ପୂର୍ବୋଦୟ' ମିଶନ ମାଧ୍ୟମରେ ଓଡ଼ିଶାକୁ ଦେଶର ଏକ ପ୍ରମୁଖ 'ଉର୍ଜା ହବ୍' ଭାବେ ଗଢି ତୋଳିବା ସହ ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତର ଉର୍ଜା ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର କ୍ୟାବିନେଟ୍ ୨୦୧୮ ଜୁନ୍ ୨୭ରେ ଏହି ପ୍ରକଳ୍ପ ପାଇଁ ଅନୁମୋଦନ ଦେଇଥିଲେ। ଶ୍ରୀ ପ୍ରଧାନଙ୍କ ନିରନ୍ତର ପ୍ରୟାସ ପରେ ଏହି ପ୍ରକଳ୍ପ ପାଇଁ ନିକଟରେ ଯାଜପୁର ଜିଲ୍ଲାର ଧର୍ମଶାଳା ସବ-ରେଜିଷ୍ଟ୍ରାର ଅଫିସରେ ଆଇଏସପିଆରଏଲ ଦ୍ୱାରା ୪୦୦ ଏକର ଜମିର ଲିଜ୍ ଡିଡ୍ ପଞ୍ଜିକରଣ ସହ ଦଖଲ ପ୍ରକ୍ରିୟା ସଫଳତାର ସହ ସମ୍ପନ୍ନ ହୋଇଛି । ପ୍ରାୟ ୮,୭୪୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ୫,୦୦୦ରୁ ଅଧିକ ନିଯୁକ୍ତି ସୃଷ୍ଟି କରିବା ସହ ବିଶ୍ୱ ବଜାରରେ ତୈଳ ଦର ଅସ୍ଥିରତା ସମୟରେ ଦେଶ ପାଇଁ ଏକ ମଜଭୁତ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବ ।