ନୂଆଦିଲ୍ଲୀ: ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପରେ ଆଲୋଚନା ସମୟରେ ଅନୁସୂଚିତ ଜାତି (ଏସି) ଓ ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ସାଂସଦମାନଙ୍କୁ ଅଧିକ ସମୟ ଦେବାକୁ ଦାବି ହୋଇଛି। ଏନେଇ କେନ୍ଦ୍ରମନ୍ତ୍ରୀ ତଥା ଏନ୍‌ଡିଏ ସହଯୋଗୀ ଜିତନ ରାମ ମାଝୀ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଚିଠି ଲେଖିଛନ୍ତି।

ମାଝୀ ଲେଖିଥିବା ଚିଠିରେ ସେ କହିଛନ୍ତି ଯେ ଅଗଷ୍ଟ ୫ ତାରିଖରେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ହୋଇଥିବା ‘ଏନଡିଏ ସାଂସଦଙ୍କ ଗ୍ରୁପ ଆଲୋଚନା ବୈଠକ'ରେ ବିଜେପି ସାଂସଦ ଗଜେନ୍ଦ୍ର ସିଂହ ପଟେଲ ଏହି ପ୍ରସଙ୍ଗ ଉଠାଇଥିଲେ । ମଧ୍ୟପ୍ରଦେଶର ଖରଗୋନ ଲୋକସଭା ଆସନରୁ ନିର୍ବାଚିତ ପଟେଲ କହିଥିଲେ, ଏସସି/ଏସଟି ସାଂସଦମାନଙ୍କୁ ନିଜ ସମ୍ପ୍ରଦାୟ ସହ ଜଡ଼ିତ ପ୍ରସଙ୍ଗ ସଂସଦରେ ଉଠାଇବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିବା ଆବଶ୍ୟକ। ତେଣୁ ଏହି ଦାବି ଉପରେ ଆବଶ୍ୟକ ପଦକ୍ଷେପ ନେବା ସହ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ମାଝୀ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ପିଟିଆଇକୁ ପ୍ରତିକ୍ରିୟା ଦେଇ ଗଜେନ୍ଦ୍ର ସିଂହ ପଟେଲ କହିଛନ୍ତି ଯେ ଏସସି/ଏସଟି ସାଂସଦମାନଙ୍କୁ ଅଧିକ ସମୟ ମିଳିବା ଦରକାର। କାରଣ, ପ୍ରତ୍ୟେକ ଦଳକୁ ମିଳୁଥିବା କଥା କହିବା ସମୟ ଦଳର ସମସ୍ତ ସାଂସଦଙ୍କ ମଧ୍ୟରେ ବଣ୍ଟାଯାଏ। ତାଙ୍କ କହିବା ଅନୁସାରେ, ଏସସି/ଏସଟି ସାଂସଦମାନେ ସମୟ ପାଉନାହାନ୍ତି ତାହା ନୁହେଁ, କିନ୍ତୁ ସେମାନଙ୍କୁ ଆହୁରି ସମୟ ମିଳିବା ଉଚିତ। ଏହା ଦ୍ୱାରା ସେମାନଙ୍କ ସମ୍ପ୍ରଦାୟ ସହ ଜଡ଼ିତ ଅଧିକ ପ୍ରସଙ୍ଗ ସଂସଦରେ ଉଠାଯାଇପାରିବ ବୋଲି ସେ କହିଛନ୍ତି।

ସଂରକ୍ଷଣ ପ୍ରସଙ୍ଗରେ ଏନଡିଏ ମଧ୍ୟରେ ମତଭେଦ

ବର୍ତ୍ତମାନ ଏସସି/ଏସଟି ସଂରକ୍ଷଣରେ ସବ୍-କାଟାଗୋରାଇଜେସନ୍‌ ବା ଉପ-ବର୍ଗୀକରଣ ପ୍ରସଙ୍ଗକୁ ନେଇ ଏନଡିଏ ମଧ୍ୟରେ ମତଭେଦ ରହିଛି। ଏହି ସମୟରେ ଜିତନ ରାମ ମାଝୀଙ୍କ ଏଭଳି ଦାବି ମତଭେଦକୁ ଆହୁରି ବଢ଼ାଇ ଦେଇପାରେ। ଗତ ମାସରେ ଜିତନରାମ ମାଝୀଙ୍କ ଦଳ ଏଚଏଏମ୍(S) ପକ୍ଷରୁ ଏସସି/ଏସଟି ସଂରକ୍ଷଣରେ ଉପ-ବର୍ଗୀକରଣ ଦାବି ପୁଣିଥରେ ଉଠାଯାଇଥିଲା।

ଏଚଏଏମ୍(ଏସ) ସଭାପତି ତଥା ବିହାର ସରକାରର ମନ୍ତ୍ରୀ ସନ୍ତୋଷ କୁମାର ସୁମନଙ୍କ ମତରେ, ସାମାଜିକ ଓ ଆର୍ଥିକ ଭାବେ ଅଧିକ ପଛୁଆ ସମ୍ପ୍ରଦାୟଗୁଡ଼ିକୁ ସଂରକ୍ଷଣର ଲାଭରେ ଅଧିକ ଅଂଶ ମିଳିବା ଉଚିତ। ୨୦୨୪ ଅଗଷ୍ଟ ୧ରେ ସୁପ୍ରିମକୋର୍ଟର ସମ୍ବିଧାନ ପୀଠ ରାଜ୍ୟଗୁଡ଼ିକୁ ଏସସି ଓ ଏସଟି ସଂରକ୍ଷଣ ମଧ୍ୟରେ ଉପ-ବର୍ଗୀକରଣ କରିବାର ଅନୁମତି ଦେଇଥିଲେ। ଏହା ପରେ ସଂରକ୍ଷଣକୁ ନେଇ ଚର୍ଚ୍ଚା ଆହୁରି ତୀବ୍ର ହୋଇଛି।

ତେବେ ଚିରାଗ ପାସୱାନ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷାକୁ ଦୃଢ଼ ବିରୋଧ କରିଛନ୍ତି। ତାଙ୍କ ମତରେ, ଏସସି/ଏସ୍‌ଟି ସଂରକ୍ଷଣ ସାମାଜିକ ଭେଦଭାବ ଉପରେ ଆଧାରିତ, ଆର୍ଥିକ ସ୍ଥିତି ଉପରେ ନୁହେଁ। ସଂରକ୍ଷଣ ବ୍ୟବସ୍ଥାରେ ପରିବର୍ତ୍ତନ ନେଇ ଯଦି ଆଲୋଚନା କରିବାର ଆବଶ୍ୟକତା ଅଛି, ତେବେ ସଂସଦରେ ଏନେଇ ଚର୍ଚ୍ଚା ହେବା ଉଚିତ ବୋଲି ସେ କହିଛନ୍ତି।

ଚିରାଗଙ୍କ ମତାମତରେ ପ୍ରତିକ୍ରିୟା ଦେଇ ସନ୍ତୋଷ ସୁମନ କହିଥିଲେ ଯେ ସେ ଇସ୍ତଫା ଦେବାକୁ ପ୍ରସ୍ତୁତ। ତେବେ ସୁମନ ସ୍ପଷ୍ଟ କରିଥିଲେ ଯେ ସଂରକ୍ଷଣର ସମୀକ୍ଷା କରିବାର ଅର୍ଥ ଏହାକୁ ଶେଷ କରିଦେବା ନୁହେଁ। ତାଙ୍କ ଦଳ ‘କୋଟା ଭିତରେ କୋଟା’ ଅର୍ଥାତ୍ ସବ୍-କାଟାଗୋରାଇଜେସନ୍ ଦାବି କରୁଛି। ସେ ମୁସାହର, ଭୁଇଁୟା, ଡୋମ୍, ହାଲଖୋର ଓ ନଟ୍‌ ଭଳି ସମ୍ପ୍ରଦାୟ ଏବେ ମଧ୍ୟ ସାମାଜିକ ଓ ଆର୍ଥିକ ଭାବେ ବଞ୍ଚିତ ବୋଲି ଉଲ୍ଲେଖ କରିଥିଲେ।

Also Read- ବିଜେପି ମୋତେ ପଚାରୁ ନାହିଁ: ଦଳ ଉପରେ ଅସନ୍ତୋଷ କାରଣ କହିଲେ କ୍ୟାପ୍ଟେନ ଅମରିନ୍ଦର ସିଂହ

ଅନ୍ୟପଟେ, JD(U) ଜାତୀୟ ସାଧାରଣ ସମ୍ପାଦକ ତଥା ବିଧାୟକ ଶ୍ୟାମ ରଜକ ସଂରକ୍ଷଣ ବ୍ୟବସ୍ଥାର ସମୀକ୍ଷାକୁ ନେଇ କୌଣସି ଆଲୋଚନାର ବିରୋଧ କରିଛନ୍ତି। ତାଙ୍କ କହିବା ଅନୁସାରେ, ସଂରକ୍ଷଣ ସାମ୍ବିଧାନିକ ଅଧିକାର, କୌଣସି ଦାନ ନୁହେଁ।

ବିହାରରେ ଦଳିତ ସମ୍ପ୍ରଦାୟଗୁଡ଼ିକ ସାମାଜିକ ଭାବେ ବିଭିନ୍ନ ହୋଇଥିବାରୁ ସଂରକ୍ଷଣର ଏହି ପ୍ରସଙ୍ଗ ରାଜ୍ୟରେ ବିଶେଷ ଗୁରୁତ୍ୱ ବହନ କରୁଛି। ୨୦୦୭ରେ ନୀତୀଶ କୁମାର ସରକାର ସବୁଠାରୁ ଅଧିକ ବଞ୍ଚିତ ଦଳିତ ସମ୍ପ୍ରଦାୟଗୁଡ଼ିକୁ ଚିହ୍ନଟ କରିବା ପାଇଁ ‘ମହାଦଳିତ’ ବର୍ଗ ପ୍ରଚଳନ କରିଥିଲେ।