CJP Protest News: ଆସନ୍ତାକାଲି (ଅକ୍ଟୋବର ୧୦) ଦିଲ୍ଲୀର ଜନ୍ତରମନ୍ତରେ ଆନ୍ଦୋଳନ କରିବାକୁ କକ୍ରୋଚ ଜନତା ପାର୍ଟିକୁ ଅନୁମତି ଦିଆଯାଇ ନାହିଁ। ଏନେଇ ପ୍ରଦର୍ଶନକାରୀ ଦିଲ୍ଲୀ ପୁଲିସକୁ ଅନୁମତି ମାଗିଥିଲେ। ହେଲେ ଦିଲ୍ଲୀ ପୁଲିସ ଏହାକୁ ଖାରଜ କରିଛି। ଏହାରି ଭିତରେ କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ପୁଲିସ ଓ ମୁଖ୍ୟଙ୍କୁ ଚିଠି ଲଖି ଆଇନ ବ୍ୟବସ୍ଥା କଡ଼ା କଡ଼ି କରିବା ସହ ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରି ସିଜେପି ଆନ୍ଦୋଳନକୁ ଓହ୍ଲାଇଛି। ଗତକାଲି ବେଙ୍ଗାଲୁରୁରେ ଦଳ ସୋସିଆଲ୍ ମିଡିଆ ଇନଫ୍ଲୁଏନ୍ସର ଧ୍ରୁବ ରାଠି, ଅଭିନେତା ପ୍ରକାଶ ରାଜଙ୍କ ସମେତ ବହୁ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଆକ୍ଟୋବର ୧୦ ତାରିଖରେ ଦିଲ୍ଲୀରେ ଆନ୍ଦୋଳନ କରିବାକୁ ଅନୁମତି ମାଗିଥିଲା।

Also Read- ରାଷ୍ଟ୍ରପତିଙ୍କୁ ଭେଟିଲେ ଇଣ୍ଡିମେଣ୍ଟର ୧୦ ନେତା, ସାକ୍ଷାତ ପରେ ରାହୁଲଙ୍କ ପ୍ରତିକ୍ରିୟାକୁ ନେଇ ଚର୍ଚ୍ଚା

ହେଲେ ସୁରକ୍ଷା ଦୃଷ୍ଟିରୁ ବିକ୍ଷୋଭ କରିବାକୁ ଅନୁମତି ଦିଆଯାଇ ନାହିଁ। ଗୃହ ସଚିବ ଗୋବିନ୍ଦ ମୋହନ ଲେଖିଥିବା ଚିଠିରେ ଆନ୍ଦୋଳନାକାରୀଙ୍କ ଭିଡ଼କୁ ଏକ ଗମ୍ଭୀର ଆଇନ ଶୃଙ୍ଖଳାର ବିଷୟ ବୋଲି କୁହାଯାଇଛି। ଚିଠିରେ କୁହାଯାଇଛି ଯେ ମିଳିଥିବା ଗୁଇନ୍ଦା ସୂଚନା ଅନୁସାରେ, ସିଜେପି ଏବଂ ତାଙ୍କ ସମର୍ଥକମାନେ ମନା କରିବା ସତ୍ତ୍ୱେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ଦିଲ୍ଲୀରେ ପ୍ରବେଶ କରିବାକୁ ଚେଷ୍ଟା କରିପାରନ୍ତି। ଏଥିରେ ସାର୍ବଜନୀନ ଶାନ୍ତି ଏବଂ ଶୃଙ୍ଖଳାକୁ ବ୍ୟାହତ ହେବାର ଆଶଙ୍କା ରହିଛି। ଏଣୁ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ଓ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶକୁ ଦିଲ୍ଲୀ ପୋଲିସ ସହିତ ସମନ୍ୱୟ ରଖି କାମ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ଆଇନର ଢାଞ୍ଚା ମଧ୍ୟରେ ବ୍ୟାପକ ବୈଧାନିକ ଏବଂ କାର୍ଯ୍ୟକ୍ଷମ ପାରାମିଟର ଅଧୀନରେ ତୁରନ୍ତ ପ୍ରତିରୋଧୀ ପଦକ୍ଷେପ କାର୍ଯ୍ୟକାରୀ କରିବାକୁ ଚିଠିରେ କୁହାଯାଇଛି। କେବଳ ସେତିକି ନୁହେଁ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ଗୁଇନ୍ଦା ସଂସ୍ଥା, ସୀମା ପରିବହନ କର୍ତ୍ତୃପକ୍ଷ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ନିରନ୍ତର ରିୟଲଟାଇମ ଇଣ୍ଟେଲିଜେନ୍ସ ଶେୟାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବ ଆନ୍ଦୋଳନରେ ନିୟମ ମାନି ନାହିଁ ସିଜେପି

ଗୃହ ସଚିବ ଲେଖିଥିବା ଚିଠିରେ ସିଜେପିର ପୂର୍ବ ଆନ୍ଦୋଳନରେ ସେ ନିୟମ ମାନି ନଥିବା କୁହାଯାଇଛି। ଅତୀତର ବିଭିନ୍ନ ସମାବେଶ ବା ଆନ୍ଦୋଳନ ସମୟରେ ଆଇନଗତ ନିର୍ଦ୍ଦେଶାବଳୀ ପାଳନ ନ କରିବାର ସିଜେପିର ଏକ "ଲିପିବଦ୍ଧ ଇତିହାସ" ରହିଛି। ଫଳରେ ସାର୍ବଜନୀନ ଶୃଙ୍ଖଳା ବ୍ୟାହତ ହେବା ସହ ସରକାରୀ ଓ ବେସରକାରୀ ସମ୍ପତ୍ତିର ନଷ୍ଟ ହୋଇଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। ଏଥିରେ ନୀଟ ପେପର ଲିକ୍ ମାମଲାରେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି କରାଯାଇଥିବା ଆନ୍ଦୋଳନକୁ ଉଦାହରଣ ଦିଆଯାଇଛି।

ଗତ ଆନ୍ଦୋଳନରେ ବିଭିନ୍ନ ରାଜ୍ୟରୁ ଦିଲ୍ଲୀକୁ ପ୍ରବେଶ କରିଥିବାରୁ ସାର୍ବଜନୀନ ଶୃଙ୍ଖଳାରେ ବ୍ୟାପକ ବାଧା ସୃଷ୍ଟି ହୋଇଥିଲା। ଏବଂ ସାର୍ବଜନୀନ ସମ୍ପତ୍ତି/ବ୍ୟକ୍ତିଗତ ସମ୍ପତ୍ତିର କ୍ଷତି ହୋଇଥିଲା। ଏହାର ଲିପିବଦ୍ଧ ପ୍ରମାଣ ରହିଛି ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଗୃହ ମନ୍ତ୍ରଣାଳୟ ଆଇନ-ଶୃଙ୍ଖଳା ଓ ସାର୍ବଜନୀନ ଶୃଙ୍ଖଳା ରକ୍ଷା କରିବାକୁ ଏକ ଅପରିହାର୍ଯ୍ୟ ସାମ୍ବିଧାନିକ ଦାୟିତ୍ୱ ଭାବରେ ବିବେଚନା କରେ। ଆଇନର ଶାସନ ବଜାୟ ରଖିବା ପାଇଁ ଏହାର କଠୋର ଓ ଦୃଢ଼ କାର୍ଯ୍ୟକାରିତା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି।