ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ବିରୋଧରେ ବିପକ୍ଷ ଦଳର ୧୦ ନେତା ଶୁକ୍ରବାର ସନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ଇଣ୍ଡିଆ ମେଣ୍ଟର ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ମମତା ବାନାର୍ଜୀ, ରାଜୀବ ରାୟ, ମନୋଜ ଝା, ଏମ.ଏ.ବେବି, ଡି.ରାଜା, ଉମର ଅବଦୁଲ୍ଲା ଓ ଟୋଲ ତିରୁମାବଲମ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା ପରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସହ ଭେଟ ହେଲା ଓ ଆମେ ଜ୍ଞାପନ ପ୍ରଦାନ କରିଛୁ, ରାଷ୍ଟ୍ରପତି ଜନତାଙ୍କ ସ୍ୱର ଶୁଣିଛନ୍ତି।

ଏହା ଛଡା ବିରୋଧୀ ଦଳମାନେ ଜ୍ଞାନେଶ କୁମାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବାଲଟ ପେପରରେ ନିର୍ବାଚନ ଦାବି କରିଥିବା ଓ ରାଷ୍ଟ୍ରପତି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଖଡଗେ କହିଛନ୍ତି। ସେ କହିଛନ୍ତି ଯେ ‘ଆମେ ଭୋଟ ଚୋରି ଓ ଜ୍ଞାନେଶ କୁମାରଙ୍କ ପ୍ରସଙ୍ଗ ହାଇଲାଇଟ କରିଛୁ। ଆମେ ଦାବି କରିଛୁ ଯେ ଇଭିଏମକୁ ଅଲଗା ରଖା ଯାଉ ଓ ବାଲଟ ପେପରରେ ନିର୍ବାଚନ କରାଯାଉ। ଏହି ଅବସରରେ ରାଷ୍ଟ୍ରପତି ଭୋଟ ଚୋରି ଅଭିଯୋଗର ପ୍ରମାଣ ମାଗିଥିଲେ, ଆମେ ଏବେ ପ୍ରମାଣ ଏକତ୍ର କରୁଛୁ ଓ ଜମା କରାଯିବା ବୋଲି ରାଷ୍ଟ୍ରପତିଙ୍କୁ କହିଥିବା ଖଡଗେ କହିଛନ୍ତି’। ବିରୋଧୀଙ୍କ ଅଭିଯୋଗ ରାଷ୍ଟ୍ରପତି ଧ୍ୟାନ ପୂର୍ବକ ଶୁଣିବା ସହ ମାମଲାର ସମ୍ପୂର୍ଣ୍ଣ ଯାଞ୍ଚ କରିବେ ବୋଲି କହିଛନ୍ତି।

ସେହିପରି ମମତା ବାନାର୍ଜୀ କହିଛନ୍ତି ଯେ ଆମେ ମିଳିତ ଜ୍ଞାପନ ପ୍ରଦାନ କରିଛୁ ଓ ଏହାକୁ ଆମେ ପଜେଟିଭ ଆଉଟ ଲୁକ୍ ରେ ଦେଖୁଛୁ। ରାଷ୍ଟ୍ରପତି ପୁରା ମାମଲା ଦେଖିବେ ବୋଲି କହିଛନ୍ତି। ଏହା ବାଦେ ଯଦି ରାଷ୍ଟ୍ରପତି ପ୍ରମାଣ ଚାହିଁବେ ଆମେ ବିସ୍ତୃତ ପ୍ରମାଣ ପଠାଇବୁ। ମମତା କହିଛନ୍ତି ଯେ ଗଣତନ୍ତ୍ର କାୟମ ରହିବା ଦରକାର, ଇଣ୍ଡି ମେଣ୍ଟ ଏବେ ପୁରା ଏକଜୁଟ ଓ ମେଣ୍ଟ ଏବେ ଦେଶର ସ୍ୱର ପାଲଟିଛି। ଅନ୍ୟପଟେ କଂଗ୍ରେସ ନେତାମାନେ ବିଜୟ ଚୌକରେ ଧାରଣା ପ୍ରଦର୍ଶନ କରିଛନ୍ତି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି ଯେ ରାଷ୍ଟ୍ରପତିଙ୍କ ସହ ଆମର ଭେଟ ହେଲା। ଏହି ଅବସରରେ ରାଷ୍ଟ୍ରପତି ଭୋଟ ଚୋରିର ପ୍ରମାଣ ମାଗିଲେ। ରାହୁଲ କହିଛନ୍ତି ଯେ ପୁରା ଦେଶ ଜାଣିଛି ଭୋଟ ଚୋରି ହେଉଛି, ନରେନ୍ଦ୍ର ମୋଦି ଏହାର ସ୍ଥପତି, ଅମିତ ଶାହ ଓ ଜ୍ଞାନେଶ କୁମାର ଏହାକୁ କାର୍ଯ୍ୟକାରୀ କରୁଛନ୍ତି. ଏଣୁ ରାଷ୍ଟ୍ରପତି ଅଭିଯୋଗକୁ ଖଣ୍ଡନ କରି ନାହାନ୍ତି। ତେବେ ବିରୋଧୀ କେବଳ ଏତିକିରେ ଚୁପ ରହିବେ ନାହିଁ, ମାମଲାରେ ସୋମବାର ସୁପ୍ରିମକୋର୍ଟଙ୍କୁ ମଧ୍ୟ ଜ୍ଞାପନ ପ୍ରଦାନ କରିବେ।