ଭୁବନେଶ୍ୱର: କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଜାତୀୟ ତଥା ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ମୋଦୀ ସରକାରଙ୍କ ଏହି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳରେ ଓଡ଼ିଶାରୁ ୨ ରୁ ୩ ଜଣ ସାଂସଦଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଗଣମାଧ୍ୟମରେ କଳ୍ପନାଜଳ୍ପନା ପ୍ରକାଶ ପାଉଛି। ଏହି ପ୍ରସଙ୍ଗରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ପ୍ରତିକ୍ରିୟାରେ କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରିମଣ୍ଡଳ କେବେ ସମ୍ପ୍ରସାରିତ ହେବ, ସେ ସମ୍ପର୍କରେ ସୂଚନା ଓ ଚୂଡ଼ାନ୍ତ ନିଷ୍ପତ୍ତି କେବଳ ପ୍ରଧାନମନ୍ତ୍ରୀ ହିଁ ନେବେ।

ଦୀର୍ଘ ଦିନ ହେବ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣକୁ ନେଇ ଗଣମାଧ୍ୟମରେ ବିଭିନ୍ନ ଆଲୋଚନା ଚାଲିଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ଚେହେରାମାନଙ୍କୁ ସୁଯୋଗ ଦେଇ ନୂତନ ମନ୍ତ୍ରିମଣ୍ଡଳ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଓଡ଼ିଶାର ପ୍ରଦର୍ଶନ ଏବଂ ପ୍ରତିନିଧିତ୍ୱ ସମ୍ପର୍କରେ କହିବାକୁ ଯାଇ ସାଂସଦ ପ୍ରଦୀପ ପୁରୋହିତ ପ୍ରକାଶ କରିଛନ୍ତି ଯେ, ପୂର୍ବରୁ ଓଡ଼ିଶାରୁ କମ୍ ସାଂସଦ ଥିବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟକୁ ବିଶେଷ ଗୁରୁତ୍ୱ ଦେଉଥିଲେ। ଓଡ଼ିଶା ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରାଥମିକତା ଓ ଫୋକସ୍ରେ ରହିଆସିଛି।

Also Read: ଦିଲ୍ଲୀ କୋଠା ଭୁଶୁଡ଼ିବା ପରେ ଚେତିଲେ ରାଜ୍ୟ ସରକାର: ୧୫ ଦିନ ଭିତରେ ଚିହ୍ନଟ ହେବ ବିପଦପୂର୍ଣ୍ଣ କୋଠା, ଭଙ୍ଗାଯିବ ଅସୁରକ୍ଷିତ ନିର୍ମାଣ

ମନ୍ତ୍ରିମଣ୍ଡଳରେ କାହାକୁ ସାମିଲ କରାଯିବ, ସେ ନେଇ ପ୍ରଧାନମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଅନୁଧ୍ୟାନ କରୁଛନ୍ତି। ସାଂସଦମାନଙ୍କ କାର୍ଯ୍ୟଦକ୍ଷତା, କ୍ଷେତ୍ରସ୍ତରରେ ସେମାନଙ୍କ ଗ୍ରହଣଯୋଗ୍ୟତା, ପ୍ରଦର୍ଶନ ଏବଂ ସାଧାରଣରେ ସେମାନଙ୍କ ଚେହେରା ଓ ଛବି କିପରି ରହିଛି, ଏହି ସବୁ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯାଇ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।