ଭୁବନେଶ୍ୱର ୨୩।୬: ଆଜି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ଭିଡ଼ିଓ କନଫରେନ୍ସିଂ ବୈଠକରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଖରିଫ୍ ୨୦୨୬ ପାଇଁ ପ୍ରସ୍ତୁତି ଏବଂ ଏଲ୍ ନିନୋର ପ୍ରଭାବକୁ ମୁକାବିଲା କରିବା ପାଇଁ ରାଜ୍ୟର ରଣନୀତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ କୃଷି ନିର୍ଦ୍ଦେଶକ ଶୁଭମ ସକ୍ସେନା, ମୃତ୍ତିକା ସଂରକ୍ଷଣ ନିର୍ଦ୍ଦେଶକ ସୁବ୍ରତ କୁମାର ପଣ୍ଡା ଏବଂ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ବାମନ ପ୍ରମୁଖ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ଭାରତୀୟ ପାଣିପାଗ ବିଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୀର୍ଘକାଳୀନ ହାରାହାରିର ୯୨% ରହିବ ବୋଲି ପୂର୍ବାନୁମାନ କରିଥିବାରୁ, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଏବଂ ନବରଙ୍ଗପୁର ଆଦି ୮ଟି ଜିଲ୍ଲା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି। ରାଜ୍ୟ ପ୍ରଶାସନ ପକ୍ଷରୁ ବିଳମ୍ବରେ ରୁଆ, ଆର୍ଦ୍ରତାର ଅଭାବ, ଜଳଭଣ୍ଡାରରେ ଜଳସ୍ତର ହ୍ରାସ ଏବଂ ରୋଗପୋକ ସଂକ୍ରମଣ ଭଳି ସମ୍ଭାବ୍ୟ ବିପଦକୁ ମୁକାବିଲା କରିବା ପାଇଁ ସଜାଗ ରହିଛି।

କୃଷି ଉତ୍ପାଦନକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ୫୭.୮୮ ଲକ୍ଷ ହେକ୍ଟର ଜମିରେ ଚାଷ ପାଇଁ ଚୂଡ଼ାନ୍ତ କରିଛି। ଏଥିପାଇଁ ସବସିଡ଼ି ଦରରେ ପ୍ରାମାଣିକ ବିହନ ବଣ୍ଟନ ଏବଂ ସଙ୍କଟ ସମୟରେ ବ୍ୟବହାର ପାଇଁ ୧୪,୩୫୦ କ୍ୱିଣ୍ଟାଲ (୭,୫୦୦ କ୍ୱିଣ୍ଟାଲ ଧାନ ଏବଂ ୬,୮୫୦ କ୍ୱିଣ୍ଟାଲ ଅଣ-ଧାନ ବିହନ)ର ଏକ ବିହନ ଭଣ୍ଡାର ପ୍ରତିଷ୍ଠା କରାଯାଇଛି। ଏହାଛଡ଼ା, ଚାଷୀମାନଙ୍କୁ ସାର ଯୋଗାଇବା ପାଇଁ ୧୧.୪୨ ଲକ୍ଷ ମେଟ୍ରିକ ଟନ୍ ଚାହିଦା ବିପକ୍ଷରେ ୬.୪୦ ଲକ୍ଷ ମେଟ୍ରିକ ଟନ୍ ସାର ଉପଲବ୍ଧ କରାଯାଇଛି।

Also Read:- ତ୍ରୁଟି ଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ବ : ସବୁ ବିଭାଗକୁ ନିଜ କାର୍ଯ୍ୟ ସମ୍ପନ୍ନ କରିବାକୁ ଆଇନ ମନ୍ତ୍ରୀଙ୍କ ନିର୍ଦ୍ଦେଶ

କୃଷି କ୍ଷେତ୍ରରେ ସ୍ଥିରତା ଏବଂ ଚାଷୀଙ୍କ ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ସରକାର ପ୍ରଯୁକ୍ତିବିଦ୍ୟା ଓ ସାମୁଦାୟିକ ସହଭାଗିତାକୁ ବ୍ୟବହାର କରୁଛନ୍ତି। 'କୃଷି ସମୃଦ୍ଧି ହେଲ୍ପଲାଇନ୍'ର IVRS ବ୍ୟବସ୍ଥା ମାଧ୍ୟମରେ ଚାଷୀଙ୍କୁ ସମୟାନୁସାରେ ପାଣିପାଗ ସମ୍ବନ୍ଧୀୟ ପରାମର୍ଶ ଦିଆଯାଉଛି। ଏଥିସହିତ, ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇବା ଏବଂ ସ୍ଥାୟୀ ଚାଷ ପଦ୍ଧତିକୁ ପ୍ରୋତ୍ସାହିତ କରିବା ପାଇଁ ସମସ୍ତ ଜିଲ୍ଲା ଓ ବ୍ଲକରେ 'ଖେତ ବଞ୍ଚାଅ ଅଭିଯାନ' ଏବଂ ପ୍ରାକୃତିକ ଚାଷ ଉପରେ କର୍ମଶାଳା ଆୟୋଜନ କରାଯାଉଛି।

ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ କହିଛନ୍ତି ଯେ, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଓଡ଼ିଶା କୃଷକମାନଙ୍କ ସ୍ୱାର୍ଥ ରକ୍ଷା ଓ ଆର୍ଥିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଉଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ଟିମ୍ଗୁଡ଼ିକ ରୋଗପୋକ ନିୟନ୍ତ୍ରଣ ଓ ତଦାରଖ ପାଇଁ ସଜାଗ ରହିଛନ୍ତି। ସେହିପରି 'ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା'ରେ ଅଧିକରୁ ଅଧିକ ଚାଷୀଙ୍କୁ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଛି। ଏହି ସମନ୍ୱିତ ପ୍ରୟାସ ମାଧ୍ୟମରେ ଏଲ୍ ନିନୋର ପ୍ରଭାବରୁ ଚାଷୀଙ୍କୁ ରକ୍ଷା କରିବା ଏବଂ ରାଜ୍ୟରେ ନିରନ୍ତର କୃଷି ବିକାଶ ସୁନିଶ୍ଚିତ କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅଭିହିତ କରିଛନ୍ତି।ରାଜ୍ୟ ଏବଂ ଜିଲ୍ଲା ସ୍ତରରେ ଫସଲ ଆପଦକାଳୀନ ମୁକାବିଲା ପାଇଁ ଯୋଜନା (Crop Contingency Plan) ପୂର୍ବରୁ ପ୍ରସ୍ତୁତ ରହିଛି। ବ୍ଲକ ସ୍ତରରେ ମଧ୍ୟ ଏହିପରି ଯୋଜନା ପ୍ରସ୍ତୁତ କରିବା ପାଇଁ ଜିଲ୍ଲାଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।