ନୂଆଦିଲ୍ଲୀ: ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ କଂଗ୍ରେସକୁ ଆଉ ଏକ ବଡ଼ ଝଟକା ଲାଗିବାର ଆଶଙ୍କା ଦେଖାଦେଇଛି । ଝାଡ଼ଖଣ୍ଡରେ କ୍ଷମତାସୀନ ହେମନ୍ତ ସୋରେନଙ୍କ ଦଳ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସଠାରୁ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିପାରେ । ଏପରିକି କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ବିଧେୟକକୁ ସମର୍ଥନ କରିବାର ସମ୍ଭାବନା ରହିଛି ।

ଏନଡିଟିଭିର ସୂତ୍ର ଅନୁସାରେ, ଇଣ୍ଡି ମେଣ୍ଟ ଏହି ବିଲକୁ ବିରୋଧ କରୁଥିବାବେଳେ ଜେଏମଏମ୍ ଏପର୍ଯ୍ୟନ୍ତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହିଁ । ଶନିବାର ଦଳ ପକ୍ଷରୁ କୁହାଯାଇଥିଲା ଯେ, ପ୍ରସ୍ତାବିତ ବିଲ୍‌ ଝାଡ଼ଖଣ୍ଡର ସ୍ୱାର୍ଥ ଉପରେ କି ପ୍ରଭାବ ପକାଇବ, ତାହା ଅନୁଧ୍ୟାନ କରିବା ପରେ ଦଳ ନିଜର ନିଷ୍ପତ୍ତି ନେବ । ତେବେ ସୂତ୍ର ଅନୁସାରେ, ଜେଏମଏମ୍ ଏହି ବିଲକୁ ସମର୍ଥନ କରିବାର ସମ୍ଭାବନା ଅଧିକ । ଯଦି ଏପରି ହୁଏ, ତେବେ ଏହା କଂଗ୍ରେସ ପାଇଁ ଏକ ବଡ଼ ରାଜନୈତିକ ଝଟକା ହେବ ।

ହେମନ୍ତ ସୋରେନଙ୍କ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଇଣ୍ଡି ମେଣ୍ଟର ଏକ ପ୍ରମୁଖ ସହଯୋଗୀ ଦଳ । ଏହି ଦଳର ମୋଟ ୬ ଜଣ ସାଂସଦ ଅଛନ୍ତି । ସେଥିମଧ୍ୟରୁ ୩ ଜଣ ଲୋକସଭା ଏବଂ ୩ ଜଣ ରାଜ୍ୟସଭାର ସଦସ୍ୟ । ବିଧେୟକକୁ ନେଇ ସଂସଦରେ ପ୍ରତ୍ୟେକଟି ଭୋଟ୍ ଗୁରୁତ୍ୱ ରଖୁଥିବାରୁ ଜେଏମଏମର ଏହି ୬ ଜଣ ସାଂସଦଙ୍କ ନିଷ୍ପତ୍ତି ବେଶ୍ ମହତ୍ତ୍ୱପୂର୍ଣ୍ଣ ହୋଇପାରେ ।

ବୈଠକ ପରେ ଦଳ ପକ୍ଷରୁ କୁହାଯାଇଥିଲା ଯେ, ପ୍ରସ୍ତାବିତ ପରିବର୍ତ୍ତନ ଝାଡ଼ଖଣ୍ଡର ସ୍ୱାର୍ଥକୁ ସୁରକ୍ଷା ଦେବ କି ନାହିଁ, ତାହା ଦଳ ଅନୁଧ୍ୟାନ କରୁଛି । ବିଶେଷକରି ସଂସଦରେ ରାଜ୍ୟର ପ୍ରତିନିଧିତ୍ୱ ଏବଂ ଅନୁସୂଚିତ ଜନଜାତି (ST)ଙ୍କ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ଉପରେ ଦଳ ଗୁରୁତ୍ୱ ଦେଉଛି ।

ସହଯୋଗୀଙ୍କୁ ନେଇ ଚିନ୍ତାରେ କଂଗ୍ରେସ

ସୀମା ପୁନଃନିର୍ଦ୍ଧାରଣ ବିଲକୁ ନେଇ କଂଗ୍ରେସର ଅଡ଼ୁଆ ବଢ଼ିବାରେ ଲାଗିଛି । ଦଳର ପୁରୁଣା ସହଯୋଗୀମାନେ ଏହି ପ୍ରସଙ୍ଗରେ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଥିବା ଦେଖାଯାଉଛି । ଡିଏମକେ ମୁଖ୍ୟ ଏମ୍.କେ. ଷ୍ଟାଲିନଙ୍କୁ ମନାଇବା ପାଇଁ କଂଗ୍ରେସର ବଡ଼ ନେତାମାନେ ଚେନ୍ନାଇରେ ପହଞ୍ଚିଛନ୍ତି । ସୋନିଆ ଗାନ୍ଧୀ ମଧ୍ୟ ଡିଏମକେ ଓ କଂଗ୍ରେସ ମଧ୍ୟରେ ଦୂରତା କମାଇବାକୁ ଉଦ୍ୟମ କରୁଛନ୍ତି ।

ଅନ୍ୟପଟେ ଶରଦ ପାୱାରଙ୍କ ଏନସିପି (ଏସପି) ମଧ୍ୟ କେନ୍ଦ୍ର ବିଲକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି । ଏହାକୁ ନେଇ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ଶରଦ ପାୱାରଙ୍କୁ ବୁଝାଇବାକୁ ଉଦ୍ୟମ କରିଛନ୍ତି । ଏହି ବିଲ୍‌କୁ ସମର୍ଥନ କଲେ ମହାରାଷ୍ଟ୍ରର କ୍ଷତି ହେବ ବୋଲି ସେ କହିଛନ୍ତି ।