ମୁମ୍ବାଇ: ଅଭୟ ସିଂହ ଜଗତାପ ଦଳର ନେତୃତ୍ୱ ପ୍ରତି ଅସନ୍ତୋଷ ଓ ଆଦର୍ଶଗତ ମତପାର୍ଥକ୍ୟ ଦର୍ଶାଇ ଏନସିପି (ଶରଦ) ପାର୍ଟିର ସାଙ୍ଗଠନିକ ପଦପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜଗତାପ ଶନିବାର ଏନସିପି (ଶରଦ) ରାଜ୍ୟସଭାପତି ଶଶିକାନ୍ତ ସିନ୍ଦେଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଜଗତାପ ମାନ-ଖଟାଭ ବିଧାନସଭା ନିର୍ବାଚନମଣ୍ଡଳିର ସଭାପତି ଓ ଏନସିପି(ଶରଦ) ପାର୍ଟିର ରାଜ୍ୟସମ୍ପାଦକ ଭାବେ କାର୍ଯ୍ୟ କରୁଥିଲେ।

ସେ ତାଙ୍କ ଇସ୍ତଫାପତ୍ରରେ ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ଓ ଆଦର୍ଶଗତ ନୀତିରେ ସାଲିସକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସେ ଇସ୍ତଫା ଦେବାର ନିଷ୍ପତ୍ତିର କାରଣ ସମ୍ପର୍କରେ ଉଲ୍ଲେଖ କରି ଡିଲିମିଟେସନ ବିଲ୍ କୁ ନେଇ ଦଳୀୟ ସ୍ଥିତର ମଧ୍ୟ ଉଲ୍ଲେଖ କରିଛନ୍ତି। ଏହା ଏପରି ସମୟରେ ହୋଇଛି ଯେତେବେଳେ ଅନେକ ନେତା ଆଦର୍ଶଗତ ମତପାର୍ଥକ୍ୟ ଲାଗି ଦଳ ଛାଡୁଛନ୍ତି। ବିଶେଷ କରି ଡିଲିମିଟେସନ ବିଲ୍ ଓ ପ୍ରସ୍ତାବିତ ବିଲ୍ ଉପରେ ଦଳର ଦର୍ଶାଯାଉଥିବା ସ୍ଥିତିକୁ ନେଇ ନେତାମାନେ ଦଳ ଛାଡିଛନ୍ତି।

ଏହା ପୂର୍ବରୁ ନଭେମ୍ବର ୨୭ ତାରିଖରେ ବରିଷ୍ଠ ଏନସିପି(ଶରଦ) ନେତା ଜିତେନ୍ଦ୍ର ଆହ୍ୱାଡ କହିଥିଲେ ଯେ ଦଳ ଡିଲିମିଟେସନ ବିଲକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ସେ ଏହାକୁ ଏକ ସାମ୍ବିଧାନିକ ଆବଶ୍ୟକତା ବୋଲି କହିଥିଲେ। ତେବେ ଦଳର ମୁଖ୍ୟ ଶରଦ ପାୱାରଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ। ହେଲେ କେବଳ ଜଗତାପ ନୁହନ୍ତି ଦଳର ସୋସିଆଲ ମିଡିଆ ସେଲ ମହାରାଷ୍ଟ୍ରର ରାଜ୍ୟ ସାଧାରଣ ସମ୍ପାଦକ ରାମେଶ୍ୱର ଖାମକର ମଧ୍ୟ ଦଳରେ ତାଙ୍କ ସାଙ୍ଗଠନିକ ପଦବୀ ଓ ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ। ଏହା ସତ୍ତ୍ୱେ ଏନସିପି(ଶରଦ)ର କାର୍ଯ୍ୟକାରୀ ସଭାପତି ସୁପ୍ରିୟା ସୁଲେ କହିଛନ୍ତି ଯେ ଦଳକୁ ତାର ଆନୁଷ୍ଠାନିକ ସ୍ଥିତି ଘୋଷଣା କରିବା ପୂର୍ବରୁ ପ୍ରାସ୍ତାବିତ ବିଲକୁ ବିସ୍ତୃତ ଭାବେ ଯାଞ୍ଚ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ପ୍ରସ୍ତାବିତ ବିଧେୟକର ବ୍ୟବସ୍ଥା ଅଧ୍ୟୟନ ପରେ ଦଳ ଏ ନେଇ ଏକମତ ନେବ।

ତେବେ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ପାର୍ଲ୍ୟାମେଣ୍ଟ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭରେ ସୋମବାର ଡିଲିମିଟେସନ ବିଲ୍ -୨୦୨୬ ଉପସ୍ଥାପନ କରିବେ। ଏଥି ପାଇଁ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ୧୩୨ତମ ସମ୍ବିଧାନ ସଂଶୋଧନ ବିଧେୟକ ଓ ଏହା ସହ ଜଡିତ ଡିଲିମିଟେସନ (ଦ୍ୱିତୀୟ ବିଲ୍) ୨୦୨୬କୁ ଅନୁମୋଦନ ମିଳିଥିଲା।