ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ସୋମବାର ଉମର ଖାଲିଦ ଦ୍ୱାରା ରୁଜୁ ପୁନର୍ବିଚାର ଆବେଦନକୁ ଅସ୍ୱୀକାର କରିଦେଇଛନ୍ତି। ଏହି ପିଟିସନରେ ଖାଲିଦ ୫ ଜାନୁୟାରୀର ସେହି ଆଦେଶକୁ ଚ୍ୟାଲେଞ୍ଜ କରିଥିଲା ଯେଉଁଥିରେ ୨୦୨୦ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ଏକ ବଡ଼ ଷଡ଼ଯନ୍ତ୍ର ମାମଲାରେ ଜାମିନ ଦେବାକୁ ମନା କରିଦିଆଯାଇଥିଲା। ତେବେ ସୁପ୍ରିମକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର ଓ ଜଷ୍ଟିସ ଏନ.ଭି.ଅଞ୍ଜାରିଆଙ୍କ ପୀଠ ଏହି ଆବେଦନକୁ ଖାରଜ କରି କହିଛନ୍ତି ଯେ ମାମଲାର ପୁନର୍ବିଚାର ନିମନ୍ତେ ଏଥିରେ କୌଣସି ମଜଭୁତ ଆଧାର ନାହିଁ।

ପୀଠ କହିଛନ୍ତି ଯେ ପୁନର୍ବିଚାର ପିଟିସନ ଓ ଏହା ସହିତ ପ୍ରସ୍ତୁତ ଡକ୍ୟୁମେଣ୍ଟ ସମୀକ୍ଷା ପରେ ଆମେ ୫ ଜାନୁୟାରୀ ୨୦୨୬ନିଷ୍ପତ୍ତିର ପୁନର୍ବିଚାର ଲାଗି ଉଚିତ କାରଣ ମିଳି ନାହିଁ। ଏଣୁ ପିଟିସନକୁ ଖାରଜ କରାଯାଉଛି। ସୁପ୍ରିମକୋର୍ଟ ପୁନର୍ବିଚାର ପିଟିସନ ଉପରେ ମୌଖିକ ଶୁଣାଣିକୁ ମଧ୍ୟ ମନା କରିଦେଇଛନ୍ତି। ଏହା ପୂର୍ବରୁ ଏପ୍ରିଲ ୧୩ ତାରିଖ ଦିନ ଉମର ଖାଲିଦଙ୍କ ଓକିଲ କପିଲ ଶିବଲ ଏହି ମାମଲାର ଉଲ୍ଲେଖ କରି ଓପନ କୋର୍ଟରେ ଶୁଣାଣି ନିବେଦନ କରିଥିଲେ। ଶିବଲ କହିଥିଲେ ସେ ଏହି ମାମଲାରେ ପୁନର୍ବିଚାର ପିଟିସନ ଉପରେ ଶୁଣାଣି ଲାଗି ଓପନ କୋର୍ଟକୁ ଯିବାକୁ ଅନୁରୋଧ କରୁଛି। ଜଷ୍ଟିସ୍ କୁମାରଙ୍କ ପୀଠ କହିଥିଲେ ଯେ ଏହି ଅନୁରୋଧ ଉପରେ ବିଚାର କରିବେ ଓ ଆବଶ୍ୟକ ହେଲେ ତାଙ୍କୁ ଶୁଣାଣି ପାଇଁ ଡକାଇବେ।

ଏମିତିରେ ପୁନର୍ବିଚାର ଆବେଦନ ଉପରେ ସୀମିତ ଆଧାରରେ ନିଷ୍ପତ୍ତି ହୋଇଥାଏ ଓ ଏଥିରେ ଓପନ କୋର୍ଟରେ ଶୁଣାଣି ଲାଗି କ୍ୱଚିତ ସୂଚୀବଦ୍ଧ କରାଯାଏ। ଚଳିତ ବର୍ଷ ଜାନୁୟାରୀ ମାସରେ ସୁପ୍ରିମକୋର୍ଟ ୨୦୨୦ ଦିଲ୍ଲୀ ଦଙ୍ଗା ସମ୍ପର୍କିତ ମାମଲାରେ ଖାଲିଦ ଓ ସହ ଅଭିଯୁକ୍ତ ସର୍ଜିଲ ଇମାମ ଜାମିନ ଦେବାକୁ ମନା କରିଥିଲେ। ତେବେ ଶୀର୍ଷ ନ୍ୟାୟାଳୟ ଏହି ମାମଲାର ଅନ୍ୟ ୫ ଅଭିଯୁକ୍ତଙ୍କୁ ଜାମିନ ମଞ୍ଜୁର କରିଥିଲେ।