ନୂଆଦିଲ୍ଲୀ: ରୁଷ ସହ ଆମେରିକାର ଡିଜେଲ୍‌ ଡିଲ୍‌କୁ ୟୁକ୍ରେନ ସମାଲୋଚନା କରିବା ପରେ ରାଷ୍ଟ୍ରପତି ଟ୍ରମ୍ପ ବଡ଼ ମନ୍ତବ୍ୟ ଦେଇଛନ୍ତି । ଯୁଦ୍ଧ ବନ୍ଦ କରିବାକୁ ଡିଲ୍‌ ପାଇଁ ଜେଲେନସ୍କି ଅଯୋଗ୍ୟ ଏବଂ ୟୁକ୍ରେନକୁ ନୂଆ ରାଷ୍ଟ୍ରପତି ମିଳିବାର ସମୟ ଆସିଯାଇଛି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଟାର୍ଗେଟ କରି ଏଭଳି  ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ଶନିବାର ହ୍ବାଇଟ୍ ହାଉସରେ ଗଣମାଧ୍ୟମ ସାମ୍ନାରେ ଟ୍ରମ୍ପ କହିଛନ୍ତି, ‘ମୁଁ ପରାମର୍ଶ ଦେଉଛି ଯେ, ସେମାନେ ଜଣେ ଏଭଳି ନୂତନ ନେତା ଆଣନ୍ତୁ ଯିଏ ଏକ ଚୁକ୍ତି କରିପାରିବେ। କାହିଁକି କେଜାଣି ଜେଲେନସ୍କି ଏଭଳି କରିପାରୁନାହାନ୍ତି ।’ ଯଦି ସେ ୨୦୨୨ ମସିହାରେ ଆମେରିକାର ରାଷ୍ଟ୍ରପତି ଥାଆନ୍ତେ, ତେବେ ଏହି ରୁଷ-ୟୁକ୍ରେନ ଯୁଦ୍ଧ କେବେବି ଆରମ୍ଭ ହୋଇନଥାନ୍ତା ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଟ୍ରମ୍ପ । ଏଥିରେ ୟୁକ୍ରେନ ୩୦ ପ୍ରତିଶତ ଅଞ୍ଚଳ ହରାଇସାରିଲାଣି ଏବଂ ଉଭୟ ପକ୍ଷରୁ ୨୦ ଲକ୍ଷରୁ ଅଧିକ ଜୀବନ ଗଲାଣି ବୋଲି ଟ୍ରମ୍ପ କହିଛନ୍ତି ।

 ଡିଜେଲ ଚୁକ୍ତିକୁ ଜେଲେନସ୍କିଙ୍କ ସମାଲୋଚନା 
ଆମେରିକା ଓ ରୁଷ ମଧ୍ୟରେ ହୋଇଥିବା ଡିଜେଲ ଚୁକ୍ତିକୁ ନେଇ ଜେଲେନସ୍କି ଆମେରିକାକୁ କଡ଼ା ସମାଲୋଚନା କରିଥିଲେ। ଆମେରିକାର ଏହି ଚୁକ୍ତି ଏକ ଦୁର୍ବଳ ନିଷ୍ପତ୍ତି ଏବଂ ରୁଷ ପାଇଁ ଏକ ଉପହାର ବୋଲି କହିଥିଲେ ଜେଲେନସ୍କି । ଏପରିକି ୟୁକ୍ରେନର ଜାପୋରିଝିଆ ସହରର ଆବାସିକ କୋଠାଗୁଡ଼ିକ ଉପରେ  ରୁଷ ବୋମା ପକାଇ ଧନ୍ୟବାଦ ଜଣାଇଛି ବୋଲି ଜେଲେନସ୍କି ଏକ୍ସରେ ପୋଷ୍ଟ କରିଥିଲେ।

ଟ୍ରମ୍ପ ଶୁକ୍ରବାର ଦିନ କହିଥିଲେ ଯେ, ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ତୈଳ  ମୂଲ୍ୟ ହ୍ରାସ କରିବା ପାଇଁ କଟକଣା କୋହଳ କରି ରୁଷ ସହ ଏକ ବଡ଼ ଡିଜେଲ ଚୁକ୍ତି କରିଛନ୍ତି। ଟ୍ରମ୍ପ ଘୋଷଣା କରିଥିଲେ ଯେ, ରୁଷ ତୁରନ୍ତ ଆମେରିକା ଏବଂ ବିଶ୍ୱ ବଜାରକୁ ୩,୦୦,୦୦୦ ଟନ୍ ରୁ ଅଧିକ ଡିଜେଲ ଇନ୍ଧନ ଯାଗାଣ କରିବ। ଆଗାମୀ ନଭେମ୍ବର ମାସରେ ୫,୦୦,୦୦୦ ଟନ୍ ଏବଂ ପରେ ଏହାକୁ ୧ ନିୟୁତ ଟନକୁ ବୃଦ୍ଧି କରାଯିବ ବୋଲି ରୁଷ ସହମତି ପ୍ରକାଶ କରିଛି ବୋଲି କ୍ରେମଲିନ ମଧ୍ୟ ସ୍ପଷ୍ଟ କରିଛି।

ସେପଟେ, ଟ୍ରମ୍ପ ଜେଲେନସ୍କିଙ୍କୁ ଅଯୋଗ୍ୟ ବୋଲି କହିଥିବା ବେଳେ ୟୁକ୍ରେନକୁ ନୂଆ ରାଷ୍ଟ୍ରପତି ବାଛିବାର ସମୟ ଆସିଛି ବୋଲି କହିଛନ୍ତି । ଏହାର ପାଲଟା ଜବାବ ମଧ୍ୟ ଦେଇଛି କିଭ୍‌ । ୟୁକ୍ରେନର ବୈଦେଶିକ ମନ୍ତ୍ରୀ ଆଣ୍ଡ୍ରି ସିବିଗା କହିଛନ୍ତି, ଜେଲନସ୍କିଙ୍କ ପ୍ରତି ୟୁକ୍ରେନ ଲୋକଙ୍କ ସମର୍ଥନ ରହିଛି ଏବଂ ସେ ଏହା ପାଇବାକୁ ହକ୍‌ଦାର । ତେବେ ରୁଷ ବିରୁଦ୍ଧରେ ଲଢ଼ିବାକୁ ୟୁକ୍ରେନକୁ ସମର୍ଥନ ଦେଇଆସିଥିବା ଆମେରିକାର ଏବେ ସ୍ବର ବଦଳିଯାଇଛି । ରୁଷ ସହ ହାତ ମିଳାଇବା ପରେ, ୟୁକ୍ରେନକୁ ଟାର୍ଗେଟ କରିଛନ୍ତି ଟ୍ରମ୍ପ । ଏଭଳି ସ୍ଥିତିରେ ୟୁକ୍ରେନ ଆଗକୁ ରୁଷ ସହ କିଭଳି ଲଢ଼ିବ ତାକୁ ନେଇ ମଧ୍ୟ ଆଶଙ୍କା ବଢ଼ିଯାଇଛି ।