ନୂଆଦିଲ୍ଲୀ : ଶିବସେନା ମୁଖ୍ୟ ତଥା ପୂର୍ବତନ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସାନ ପୁଅ ତେଜସ୍ ଠାକରେ  ଅସୁସ୍ଥ । ମୁମ୍ବାଇର ଗିରଗାଓଁସ୍ଥିତ ସାର୍ ଏଚ୍.ଏନ୍. ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ଗତ ତିନି ଦିନ ଧରି ସେ ସେଠାରେ ଚିକିତ୍ସା ହେଉଥିବା ଜଣାପଡ଼ିଛି। ରବିବାର ସକାଳ ୧୦ଟାରେ ଉଦ୍ଧବ ଠାକରେ  ହସ୍ପିଟାଲକୁ ଯାଇ ତାଙ୍କ ପୁଅଙ୍କର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ତେଜସ୍ ଠାକରେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ବିଶେଷଜ୍ଞଙ୍କ ତତ୍ତ୍ୱାବଧାନରେ ରଖାଯାଇଛି।

ରିପୋର୍ଟ ଅନୁଯାୟୀ, ତେଜସ୍ ଠାକରେଙ୍କୁ ତିନି ଦିନ ପୂର୍ବରୁ ହସ୍ପିଟାଲକୁ ଅଣାଯାଇଥିଲା। କିନ୍ତୁ ତାଙ୍କ ଅସୁସ୍ଥତାର କାରଣ ସମ୍ପର୍କରେ ହସ୍ପିଟାଲ ପ୍ରଶାସନ କିମ୍ବା ଠାକରେ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇ ନାହିଁ। ହସ୍ପିଟାଲ ସୂତ୍ର ଅନୁଯାୟୀ କିଛି ଶାରୀରିକ ସମସ୍ୟା ଯୋଗୁ ତାଙ୍କୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ, ଡାକ୍ତରଙ୍କ ଏକ ସ୍ପେଶାଲ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଉପରେ ନିରନ୍ତର ନଜର ରଖିଛନ୍ତି । ଏହାସହ ଆବଶ୍ୟକୀୟ ଡାକ୍ତରୀ ପରୀକ୍ଷା କରୁଛନ୍ତି । ଉଦ୍ଧବ ଠାକରେ ଏଚ୍.ଏନ୍. ରିଲାଏନ୍ସ ହସ୍ପିଟାଲରେ ପହଞ୍ଚି ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ବିସ୍ତୃତ ଆଲୋଚନା କରି ପୁଅ ବିଷୟରେ ପଚାରି ବୁଝିଛନ୍ତି। ଉଦ୍ଧବ ଠାକରେ ତାଙ୍କ ପୁଅ ସହିତ ପ୍ରାୟ ଗୋଟିଏ ଘଣ୍ଟା ବିତାଇଥିଲେ । ହସ୍ପିଟାଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ା କଡ଼ିଥିବାବେଳେ  କିଛି ଘନିଷ୍ଠ ଶିବସେନା ନେତା ମଧ୍ୟ ସେଠାରେ ପହଞ୍ଚିଥିଲେ।

ତେଜସ ଠାକରେ କିଏ?

ତେଜସ ଠାକରେ ପ୍ରାୟତଃ ସକ୍ରିୟ ରାଜନୀତିରୁ ଦୂରରେ ରୁହନ୍ତି । ସେ ଜୟ ହିନ୍ଦ କଲେଜ ଏବଂ ବମ୍ବେ ସ୍କଟିସ୍ ସ୍କୁଲରେ ପାଠପଢ଼ା ଶେଷ କରିଥିଲେ। ସେ ପେଶାରେ ଜଣେ ସଂରକ୍ଷଣବାଦୀ ଏବଂ ବନ୍ୟପ୍ରାଣୀ ଗବେଷକ । ସେ  ମୁଖ୍ୟତଃ ବନ୍ୟପ୍ରାଣୀ ସଂରକ୍ଷଣ ପଦକ୍ଷେପ ସହ ଜଡିତ ଥାଆନ୍ତି। ଯଦିଓ ସେ ସାଧାରଣତଃ ଲାଇମଲାଇଟରୁ ଦୂରରେ ରୁହନ୍ତି, କିନ୍ତୁ ୨୦୨୪ ମସିହାରେ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବର ଉତ୍ସବରେ ସେ ନାଚୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ ପରିବାର ତାଙ୍କର ଆଶୁଆରୋଗ୍ୟ କାମନା କରିଛନ୍ତି।