ଅବୁଧାବୀ: ୟୁନାଇଟେଡ ଆରବ ଏମିରେଟ (ୟୁଏଇ)ରେ ଆମେରିକୀୟ ସାମରିକ ଘାଟିର ଭବିଷ୍ୟତକୁ ନେଇ ଜାରି ବିତର୍କ ନିକଟରେ ଇରାନ ଆକ୍ରମଣ ପରେ ଜୋର ଧରିଛି। ଏଥିରେ ୟୁଏଇର ମୁଖ୍ୟ ଟିପ୍ପଣୀକାର ଦେଶରେ ଏପରି ବିଦେଶୀ ସୈନ୍ୟ ଘାଟିର ଆବଶ୍ୟକତା ପୁନର୍ମୂଲ୍ୟାନ ପାଇଁ ଆହ୍ୱାନ ଦେଇଛନ୍ତି। ଅବଦୁଲଖଲେକ ଅବଦୁଲ୍ଲା କହିଛନ୍ତି ଯେ ଦେଶରେ ଆମେରିକା ସାମରିକ ଘାଟି ବନ୍ଦ କରିବା ନେଇ ବିଚାର କରିବାର ସମୟ ଆସିଯାଇଛି। ସେ ତର୍କ ଦେଇଛନ୍ତି ଯେ ଏହି ସାମରିକ ଆଡ୍ଡା ଦେଶର ‘ରଣନୈତିକ ସମ୍ପତ୍ତି’ ନୁହେଁ ବରଂ ‘ବୋଝ’ ପାଲଟି ଯାଇଛି।

ସୋସିଆଲ ମିଡିଆରେ ସେୟାର କରିଥିବା ଟିପ୍ପଣୀ ଓ ରୟଟର୍ସକୁ ଦେଇଥିବା ବୟାନରେ ଅବଦୁଲ୍ଲା କହିଛନ୍ତି ଯେ ନିକଟରେ ଇରାନ ସମ୍ପର୍କିତ ଉତ୍ତେଜନା କାଳରେ ୟୁଏଇ ଆତ୍ମରକ୍ଷା ଲାଗି ନିଜର କ୍ଷମତା ପ୍ରଦର୍ଶନ କରିଛି। ଅବଦୁଲ୍ଲା କହିଛନ୍ତି ଯେ ଏବେ ୟୁଏଇକୁ ନିଜର ସୁରକ୍ଷା ପାଇଁ ଆଉ ଆମେରିକାର ଆବଶ୍ୟକତା ନାହିଁ। ଦେଶ ବିଦେଶୀ ସୈନ୍ୟ ଘାଟି ରଖିବା ବଦଳେ ଉନ୍ନତ ସୈନ୍ୟ ପ୍ରଣାଳୀ ହାସଲ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଚର୍ଚ୍ଚା ଇରାନର ସେହି ଦାବି ପରେ ଆରମ୍ଭ ହୋଇଛି ଯେଉଁଥିରେ ପଶ୍ଚିମ ଏସିୟା ଉତ୍ତେଜନା କାଳରେ ୟୁଏଇରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଥିବାର ଦାବି କରୁଛି।

ଇରାନୀ ଅଧିକାରୀ କହିଛନ୍ତି ଯେ ଅଲ-ମିନହାଦ ନିକଟରେ ଥିବା ଏକ ଆମେରିକୀୟ କମାଣ୍ଡ ସ୍ଥଳକୁ ଟାର୍ଗେଟ କରାଯାଇଥିଲା ଓ ଏଥିରେ ଆମେରିକୀୟ ସୈନିକ ହତାହତ ମଧ୍ୟ ହୋଇଛନ୍ତି । ତେବେ ଯୁକ୍ତରାଷ୍ଟ୍ର ଆମେରିକା ଇରାନର ଏହି ଦାବିକୁ ପୁଷ୍ଟି କରି ନାହିଁ। ୟୁଏଇ କହିଛି ଯେ ଏହି ଘଟଣା କାଳରେ ବହୁ ସଂଖ୍ୟାରେ ଇରାନୀ ମିଜାଇଲ ଓ ଡ୍ରୋନକୁ ଅଟକା ଯାଇଥିଲା। ତେବେ ଏଥିରେ ସ୍ୱତନ୍ତ୍ର ଟାର୍ଗେଟର କ୍ଷୟକ୍ଷତି ନେଇ ବିସ୍ତୃତ ସୂଚନା ଦିଆଯାଇ ନାହିଁ। ଇରାନ ଏହା ବି କହିଛି ଯେ ସେ ଯୁଦ୍ଧ କାଳରେ ବ୍ୟାପକ ପ୍ରତିକ୍ରିୟା କାର୍ଯ୍ୟାନୁଷ୍ଠାନରେ ବାହାରୀନ, ଇରାକ ଓ କ୍ୱେତ ସମେତ ଅନ୍ୟ ଗଲଫ ଦେଶରେ ଥିବା ଆମେରିକୀୟ ସାମରିକ ଆଡ୍ଡାକୁ ଟାର୍ଗେଟ୍ କରିଛି। ଏହି ସବୁ ଆକ୍ରମଣ ଆମେରିକା, ଇସ୍ରାଏଲ ଓ ଇରାନ ଉତ୍ତେଜନା ମଧ୍ୟରେ ହୋଇଛି।

ତେବେ ୱାସିଂଟନ ସହିତ ୟୁଏଇ ଦୀର୍ଘକାଳୀକ ସୁରକ୍ଷା ସହଯୋଗ ଚୁକ୍ତି କରିଛି। ଏଣୁ ଦେଶରେ ଆମେରିକୀୟ ସାମରିକ ଘାଟିକୁ ପ୍ରଶୟ ଦେଇଛି, ଯାହା ଉପସାଗରୀୟ କ୍ଷେତ୍ରର ବ୍ୟାପକ ପ୍ରତିରକ୍ଷା ବ୍ୟବସ୍ଥାକୁ ଦର୍ଶାଉଛି। ଏହି ସବୁ କ୍ଷେତ୍ରରେ ଆମେରିକୀୟ ସୈନ୍ୟ ଘାଟି ସାମୁଦ୍ରିକ ସୁରକ୍ଷା, ବାୟୁରକ୍ଷା ଓ କ୍ଷେତ୍ରିୟ ପ୍ରତିରୋଧ ସମ୍ପର୍କିତ ଅଭିଯାନରେ ସହଯୋଗ ଦେଉଛି। ଏହା ଛଡା ୟୁଏଇ ସମେତ ଉପସାଗରୀୟ ଦେଶମାନେ ପିଛିଲା ଏକ ଦଶନ୍ଧୀ ହେଲା ଉନ୍ନତ ମିଜାଇଲ ପ୍ରତିରକ୍ଷା ପ୍ରଣାଳୀ ଓ ଏୟାର ଡିଫେନ୍ସ ସିଷ୍ଟମରେ ମଧ୍ୟ ନିବେଶ କରିଛନ୍ତି। ଅବଦୁଲ୍ଲା କହିଛନ୍ତି ଯେ ୟୁଏଇ ନିଜର ପ୍ରତିରକ୍ଷା ପ୍ରଣାଳୀ ମଜଭୁତ କରିବା ପାଇଁ ଆଧୁନିକ ଓ ଉନ୍ନତ ସାମରିକ ଉପକରଣ ଆମଦାନୀକୁ ପ୍ରାଥମିକତା ଦେବା ଦରକାର। ତେବେ ଦେଶରେ ସ୍ଥାୟୀ ସାମରିକ ଘାଟି ନେଇ ପୁନର୍ବିଚାର କାରଯିବା ଆବଶ୍ୟକ ବୋଲି ସେ କହିଛନ୍ତି।