ନୂଆଦିଲ୍ଲୀ ୨୬।୦୭;ଚୀନ୍‌ରେ ପ୍ରକୃତିର କରାଳ ରୂପ । ରବିବାର ଦକ୍ଷିଣ ଚୀନ୍‌ ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ‘ନୌଲ୍’ ସ୍ଥଳଭାଗ ଛୁଇଁଛି। ଘଣ୍ଟା ପ୍ରତି ୧୪୫ କିଲୋମିଟର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗୁଆଙ୍ଗଡୋଙ୍ଗ ପ୍ରଦେଶର ହୁଇଡୋଙ୍ଗ କାଉଣ୍ଟିରେ ଭୋର ପ୍ରାୟ ୩ଟା ୫୦ ମିନିଟରେ ଏହି ଟାଇଫୁନ୍ ଲ୍ୟାଣ୍ଡଫଲ୍ କରିଛି। ଏହାର ପ୍ରଭାବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । 

ବିପର୍ଯ୍ୟୟର ଗମ୍ଭୀରତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଗୁଆଙ୍ଗଡୋଙ୍ଗ ପ୍ରଦେଶର ବିଭିନ୍ନ ବିପଦସଙ୍କୁଳ ଅଞ୍ଚଳରୁ ପ୍ରାୟ ୩ ଲକ୍ଷ ୪୦ ହଜାରରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଝଡ଼ର ସବୁଠାରୁ ଅଧିକ ପ୍ରଭାବ ପରିବହନ ସେବା ଉପରେ ପଡ଼ିଛି। ସୁରକ୍ଷା ଦୃଷ୍ଟିରୁ ହଂକଂ ବିମାନବନ୍ଦରରୁ ୧୫୦ରୁ ଅଧିକ ବିମାନ ଉଡ଼ାଣ ବାତିଲ କରାଯାଇଥିବା ବେଳେ ଗୁଆଙ୍ଗଡୋଙ୍ଗରେ ସମସ୍ତ ଟ୍ରେନ୍ ଚଳାଚଳକୁ ସାମୟିକ ଭାବେ ବନ୍ଦ ରଖାଯାଇଛି ।ଟାଇଫୁନ୍ ‘ନୌଲ୍’ ପ୍ରଭାବରେ କେବଳ ଚୀନ୍ ନୁହେଁ, ବରଂ ହଂକଂ ଏବଂ ତାଇୱାନରେ ମଧ୍ୟ ପାଗ ଶୋଚନୀୟ ହୋଇପଡ଼ିଛି। ହଂକଂରେ ପ୍ରବଳ ପବନ ଯୋଗୁଁ ଏକ ନିର୍ମାଣାଧୀନ ଉଚ୍ଚ କୋଠା ଭୁଶୁଡ଼ି ପଡ଼ିଥିବା ବେଳେ ତାଇୱାନର ଦକ୍ଷିଣ ଓ ପୂର୍ବ ଭାଗରେ ପ୍ରବଳ ବର୍ଷା ଜାରି ରହିଛି।

ସ୍ଥଳଭାଗ ଛୁଇଁବା ପରେ ଝଡ଼ଟି ଧୀରେ ଧୀରେ ଚୀନର ଆଭ୍ୟନ୍ତରୀଣ ଅଞ୍ଚଳ ଆଡ଼କୁ ଗତି କରୁଛି, ଯଦିଓ ଏହାର ତୀବ୍ରତା ପୂର୍ବ ଅପେକ୍ଷା ସାମାନ୍ୟ ହ୍ରାସ ପାଇଥିବା କୁହାଯାଉଛି ।ଚଳିତ ଜୁଲାଇ ମାସ ଚୀନ୍ ପାଇଁ ଅତ୍ୟନ୍ତ କଷ୍ଟକର ସାବ୍ୟସ୍ତ ହୋଇଛି।  ଏହା ପୂର୍ବରୁ ଟାଇଫୁନ୍ ‘ବାଭି’ ଏବଂ ‘ମାୟସାକ୍’ ଦେଶରେ ବ୍ୟାପକ ତାଣ୍ଡବ ରଚିଥିଲେ। ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଗୁଆଙ୍ଗଡୋଙ୍ଗ ଏବଂ ଦକ୍ଷିଣ-ପୂର୍ବ ଫୁଜିଆନ୍ ପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି, ତେଣୁ ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।