ନୂଆଦିଲ୍ଲୀ, ୩୦/୦୮: ରାଜ୍ୟରେ ଲଘୁଚାପ ସକ୍ରିୟ ରହିଛି । ପ୍ରବଳ ବର୍ଷା ହେଉଛି । ଅନେକ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ବର୍ଷା ସେପ୍ଟେମ୍ବର ପହିଲା ଯାଏଁ ଲାଗି ରହିବ ବୋଲି ଆକଳନ କରାଯାଉଛି । ବିଭିନ୍ନ ନଦୀରେ ଜଳସ୍ତର ଫୁଲିଲାଣି । ସେପଟେ ସମୁଦ୍ରରେ ଦାନା ବାନ୍ଧିଲାଣି ବାତ୍ୟା । ପ୍ରଶାନ୍ତ ମହାସାଗରରେ ମାଳମାଳ ବାତ୍ୟା, ଲଘୁଚାପ ଏବେ ଚିନ୍ତା ବଢାଇଛି । ଏପିରିକି ଏଠାରେ ଦୁଇଟି ବାତ୍ୟା ମିଶିବା ନେଇ ସାଟେଲାଇଟ୍ ଚିତ୍ର ସାମ୍ନାକୁ ଆସିଛି ।

ସମୁଦ୍ରରେ ମିଶିଗଲେ ଦୁଇଟି ବାତ୍ୟା । ଗତିପଥ ବଦଳାଇ ଏକାଠି ହୋଇଗଲେ । କିଛି ଏମିତି ଦେଖିବାକୁ ମିଳିଛି ପ୍ରଶାନ୍ତ ମହାସାଗରରେ । ଏଠାରେ ଅତି ପ୍ରବଳ ବାତ୍ୟା ବ୍ୟାଙ୍ଗଲାଙ୍ଗ୍ ସୃଷ୍ଟି ହୋଇଛି । ଏହା ଜାପାନ ଆଡକୁ ମୁହାଁଉଛି । ତେବେ ଏହାର ପ୍ରଭାବ ଜାପାନରେ ପଡିବା ନେଇ ଖୁବ୍ କମ୍ ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ରିପୋର୍ଟ ଅନୁସାରେ, ଅଗଷ୍ଟ ୨୮ ତାରିଖରେ ଜାପାନର ପୂର୍ବ ଦିଗରେ ବାତ୍ୟା ବ୍ୟାଙ୍ଗଲାଙ୍ଗ୍ ଦାନା ବାନ୍ଧିଛି । ଏହା ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ଆଗକୁ ବଢୁଛି । ଏହା ସିଧାସଳଖ ଜାପାନରେ ମାଡ ହେବ ନାହିଁ । କିନ୍ତୁ ଜାପାନର କିଛି ଦ୍ୱୀପରେ ଏହା ପ୍ରବଳ ବର୍ଷା କରିବ । ଏହାସହ ଘଣ୍ଟାପ୍ରତି ୧୧୦ କିମି ବେଗରେ ପବିନ ବହିପାରେ ।

Also Read :- ଆଉ ଜଣେ ଆଇଏଏସ୍ ଅଧିକାରୀଙ୍କ ଇସ୍ତଫା, ସୋସିଆଲ ମିଡିଆରେ ଲେଖିଲେ-ପଦବୀ ହରାଇଲି ସତ କିନ୍ତୁ ମୋ ସ୍ଵପ୍ନ…

ଜୁମ୍ ଡଟ୍ ଆର୍ଥର ସାଟେଲାଇଟ୍ ଫଟୋକୁ ଦେଖିଲେ ଜଣାପଡୁଛି ଯେ, ବାତ୍ୟାଟି ସମୁଦ୍ର ମଧ୍ୟରେ ରହିଛି । ଏହା ପ୍ରଶାନ୍ତ ମହାସାଗରରେ ହିଁ ଆଗକୁ ବଢୁଛି । ଏହାକୁ ଅନ୍ୟ ଏକ ସାମୁଦ୍ରିକ ଝଡ ‘ଇଟାୟୁ’ ସ୍ପର୍ଶ କରୁଛି । ଅର୍ଥାତ ଦୁଇଟି ବାତ୍ୟା ମିଶିଯାଇଛନ୍ତି । ହେଲେ ଏହା କୌଣସି ବିପଦ ସୃ୍ଷ୍ଟି କରିବ ନାହିଁ । ସମୁଦ୍ରରେ ଦାନା ବାନ୍ଧି ଏହା ସମୁଦ୍ରରେ ହିଁ ଶେଷ ହେବ ବୋଲି ଜାପାନ ମେଟେରୋଲୋଜିକାଲ ଏଜେନ୍ସି ପ୍ରକାଶ କରିଛି ।

ସମୁଦ୍ର ସାରା ବାତ୍ୟା

ସାମୁଦ୍ରିକ ଝଡ ‘ବ୍ୟାଙ୍ଗଲାଙ୍ଗ୍’ ଏବଂ ‘ଇଟାୟୁ’ ସହ ସମୁଦ୍ରରେ ମାଳମାଳ ବାତ୍ୟା ଦେଖିବାକୁ ମିଳିଛି । ଉତ୍ତର ପ୍ରଶାନ୍ତ ମହାସାଗରେର ଆଉ ଦୁଇଟି ସାମୁଦ୍ରିକ ଝଡ ଦାନା ବାନ୍ଧୁଛି । ଗୋଟିଏ ହେଲା ‘ଲୋଓ୍ୱେଲ’ ଏବଂ ଅନ୍ୟଟି ‘କରିନା’ । ଏହା ମେକ୍ସିକୋ ଉପକୂଳରେ ରହି ବଳ ଗୋଟାଉଛି । ଯାହା ଆଖପାଖ ଦ୍ୱୀପରେ ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ଯଦି ଲ୍ୟାଣ୍ଡଫଲ୍ କରେ ତାହାଲେ କରିନାରେ ପବନର ଘଣ୍ଟା ପ୍ରତି ବେଗ ୧୧୦ ରହିବ । ଅନ୍ୟ ଦିଗରେ ‘ଲୋଓ୍ୱେଲ’ରେ ପବନର ଘଣ୍ଟାପ୍ରତି ବେଗ 85 କିଲୋମିଟର ରହିବ ।