ଭୁବନେଶ୍ବର ୧୧।୭: ପାଇଖାନା ଟାଙ୍କି ସଫା କରିବା ବେଳେ ଅଘଟଣ । ଟାଙ୍କି ସଫା କରିବା ବେଳେ ଜଣକ ଉପରେ ଜଣେ ପଡ଼ି ଯାଇଥିଲେ । କିଛି ସମୟରେ ଅକାଳରେ ଚାଲିଗଲା ଦୁଇ ଜୀବନ । ଭୁବନେଶ୍ୱର ବିଜେବି ନଗର ଅଞ୍ଚଳରେ ଏଭଳି ଦୁଃଖଦ ଘଟଣା ଘଟିଛି । ମୃତ ଦୁଇ ଶ୍ରମିକଙ୍କ ମଧ୍ୟରୁ ଜଣେ ମୟୁରଭଞ୍ଜର ଧୂମା ଟୁଡୁ ଆଉ ଜଣେ ପଶ୍ଚିମବଙ୍ଗର ପ୍ରବୀର ଦାସ ।

 

ନୂଆ ପାଇଖାନା ଟାଙ୍କି ଭିତରେ ଥିବା ପାଣି ସଫା ସହ ସେଟରିଙ୍ଗ ଖୋଲିବାକୁ ଯାଇଥିବା ବେଳେ ଅଚେତ୍ ହୋଇଥିବା ଖବର ପାଇ ସ୍ଥାନୀୟ ଭୁବନେଶ୍ବର ଫାୟାର ଷ୍ଟେସନ୍ ଅଧିକାରୀ ଓ କର୍ମଚାରୀ ମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ବିଏ ସେଟ୍, ରୋପ୍ ଲ୍ୟାଡର ସାହାଯ୍ୟରେ ତୁରନ୍ତ ଉଦ୍ଧାର କରି ମେଡିକାଲ ପଠାଇଥିଲେ । କ୍ୟାପିଟାଲ ହସ୍ପିଟାଲରେ ଦୁଇ ଶ୍ରମିକଙ୍କୁ ମୃତ ଘୋଷଣା କରାଯାଇଛି । ଅମ୍ଳଜାନ ଅଭାବରୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜଣାପଡିଛି ।