ଯାଜପୁର : "ଯାହାକୁ ରଖିବେ ଅନନ୍ତ, ତାକୁ କି କରିପାରେ ବଳବନ୍ତ" ଏହି ଲୋକୋକ୍ତିର ଅର୍ଥ ହେଉଛି, ଯାହାଙ୍କୁ ଭଗବାନ ବା ଅନନ୍ତ ରକ୍ଷା କରନ୍ତି, ତାଙ୍କର କେହି କିଛି ଅନିଷ୍ଠ କରିପାରିବେ ନାହିଁ। ଏହି ଉକ୍ତିଟି ଏଇଠି ସତ ହୋଇଥିବା ଦେଖିବାକୁ ମିଳିଛି। କୁମ୍ଭୀର ଆକ୍ରମଣ ଅଳ୍ପକେ ବର୍ତ୍ତି ଯାଇଛି ଦୁଇ ବ୍ୟକ୍ତିଙ୍କ ଜୀବନ। ଉଭୟ କ୍ଷତାକ୍ତ ହୋଇ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି । ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କରୁ ଘଟିଛି ଏଭଳି ଅଘଟଣ ।

​​​​​​​

ଆକ୍ରମଣରୁ କେମିତି ବର୍ତ୍ତିଥିଲେ ଉଭୟ

ସୂଚନା ଅନୁସାରେ ଗତ ଏପ୍ରିଲ ୧ତାରିଖରେ ରସୁଲପୁର ବ୍ଲକ୍ କୁଜିବରରେ ଖରସ୍ରୋତା ଶାଖା ନଦୀ ପାଟିଆ ନଈରେ ଗାଧୋଇବା ପାଇଁ ଯାଇଥିଲେ ଯୁବକ ଜଣକ। ଏହି ସମୟରେ ତାଙ୍କୁ ଆକ୍ରମଣ କରିଥିଲା କୁମ୍ଭୀର। କିନ୍ତୁ କୁହନ୍ତିନା ଜନ୍ମ ମରଣ ସବୁ ତ ଠାକୁରଙ୍କ ହାତରେ। ଆଉ ଭାଗ୍ୟ ଜୋର ଥିବାରୁ କୁମ୍ଭୀକ କବଳରୁ ଜୀବନ ବଞ୍ଚାଇ ଫେରି ଆସିଥିଲେ ବ୍ୟକ୍ତି ଜଣକ। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳର ଗୁରୁଚରଣ ଦେହୁରୀ।

ସେହିପରି ଗୁରୁବାର ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଘଟିଥିଲା ଆଉ ଏକ ଅଘଟଣ । ନଦୀରେ ପଶିବା ମାତ୍ରେ ଆକ୍ରମଣ କରିଥିଲା କୁମ୍ଭୀର। ଯୁବକ ଜଣକ ହେଉଛନ୍ତି କୁଆଖିଆ ଥାନା ଅନ୍ତର୍ଗତ ଘୋଳପୁର ଗ୍ରାମର ପ୍ରତାପ ମଲ୍ଲିକ। କୁମ୍ଭୀର ତାଙ୍କ ପଛପଟୁ ଆକ୍ରମଣ କରିଥିବା ବେଳେ ଜୀବନ ବିକଳରେ ପାଖରେ ପଡ଼ିଥିବା ଏକ ପଥର ହାତରେ ପଡ଼ିବାରୁ ତାର ମୁହିଁକୁ ଛେଚି ନିଜକୁ ଉଦ୍ଧାର କରିଥିଲେ। ତେବେ ଉଭୟଙ୍କ ଶରୀରର ଏକାଧିକ ସ୍ଥାନରେ ଗଭୀର ଦାନ୍ତ କ୍ଷତଚିହ୍ନ ଅଛି। ଉଭୟ ଯାଜପୁର ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଛନ୍ତି । ଭଗବାନଙ୍କ ଦୟାରୁ ଜୀବନ ବଞ୍ଚିଲା ବୋଲି କହିଛନ୍ତି କୁମ୍ଭୀର ଆଁରୁ ବର୍ତ୍ତି ଯାଇଥିବା ଦୁଇ ଆହତ ବ୍ୟକ୍ତି । ସେପଟେ ବନ ବିଭାଗ ପକ୍ଷରୁ ଲୋକଙ୍କ ସୁରକ୍ଷା ପ୍ରତି ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ନଦୀକୂଳିଆ ବାସିନ୍ଦା ।

Also Read- ଖଣି ଅଞ୍ଚଳ ମୁହାଁ ଗଜରାଜ, ସିସିଟିଭିରେ ଭିଡିଓ ରେକର୍ଡ, ସ୍ଥାନୀୟ ଲୋକେ ଆତଙ୍କିତ