ଭୁବନେଶ୍ବର ୧।୬: ପୋଲିସ କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ତଦନ୍ତ କରିବ NHRC ଟିମ୍ । ଭୁବନେଶ୍ଵରରେ ପହଞ୍ଚିଲେ NHRC ଟିମ୍ । ଦୁଇ ଜଣିଆ NHRC ଟି ଅଛନ୍ତି ରାଜେନ୍ଦ୍ର ସିଂ ଓ ଅବିନାଶ କୁମାର । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଟିମ୍ ଭୁବନେଶ୍ବରରେ ରହି ଘଟଣାର ତଦନ୍ତ କରିବେ । NHRC ଟିମ୍ ପୋଲିସ କମିସନର ଓ ଭୁବନେଶ୍ବର DCPଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ସୌମ୍ୟଙ୍କ ସାଙ୍ଗ, ବାପା-ମାଆ ଓ ମାମୁଙ୍କୁ ପଚରା ଉଚରା କରିବେ ।

ବର୍ତ୍ତମାନ ସୁଦ୍ଧା କେଶର ଷ୍ଟାଟସ ସମ୍ପର୍କରେ କ୍ରାଇମବ୍ରାଞ୍ଚ ତଦନ୍ତ ଅଧିକାରୀଙ୍କ ନିକଟରୁ ତଥ୍ୟ ସଂଗ୍ରହ କରିବେ । ଏହି ଘଟଣାରେ ଜିଆରପି ଏସ୍‌ପିଙ୍କ ସମେତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନୋଟିସ ହୋଇଛି । ସେମାନଙ୍କ ସହିତ ଘଟଣାରେ କେହି କିଛି ତଥ୍ୟ ଦେବାକୁ ଚାହିଁଲେ ଆଫିଡେଭିଟ୍ ମାଧ୍ୟମରେ NHRC ନିକଟରେ ଦେଇପାରିବେ ।

Also Read:- ସୌମ୍ୟ ହତ୍ୟା ଘଟଣାରେ ତଦନ୍ତ କରିବ ଏନଏଚଆରସି, ଗ୍ରାଉଣ୍ଡ ଜିରୋରୁ ଆରମ୍ଭ କରିବେ ଯାଞ୍ଚ

ସୂଚନାଯୋଗ୍ୟ ଯେ, ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଜଣେ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଥିବା ବେଳେ, ଏପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବେ ବୋଲି କହିଥିଲେ ଡିଆଇଜି ।