ଆନନ୍ଦପୁର ୧୬।୯: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ ବଜ୍ରାଘାତ ନେଇଛି ଦୁଇ ଜୀବନ । ଭିନ୍ନ ଭିନ୍ନ ଦୁଇଟି ଘଟଣାରେ ଜଣେ ଯୁବକ ଓ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ପ୍ରଥମ ଘଟଣା ଆନନ୍ଦପୁର ଥାନା ପଦ୍ମପୁର ଗାଁରେ ଘଟିଥିବା ବେଳେ ଦ୍ୱିତୀୟ ଘଟଣା କଣ୍ଟିପାଳ ଗାଁରେ ଘଟିଛି । ବିଲରେ କାମ କରିବାକୁ ଯାଇଥିବା ବେଳେ ହଠାତ୍ ବଜ୍ରାଘାତର ଶିକାର ହୋଇଥିଲେ ପଦ୍ମପୁର ଗାଁର ପପୁ ସାହୁ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି ।

ସେହିପରି କଣ୍ଟିପାଳ ଗାଁରେ ମଧ୍ୟ ବଜ୍ରାଘାତରେ ଜଣେ ମହିଳାଙ୍କ ଜୀବନ ଯାଇଛି । ମହିଳା ଜଣକ ଘର ଦୁଆରମୁହଁକୁ ବାହାରି ଆସିଥିବା ସମୟରେ ହଠାତ ବଜ୍ରାଘାତ ହୋଇଥିବା ଜଣାପଡ଼ିଛି । ଫଳରେ ତାଙ୍କର ମୃତ୍ୟୁ ଘଟିଛି । ମୃତା ମହିଳାଙ୍କ ନାମ ସବିତା ବାରିକ ବୋଲି ଜଣାପଡ଼ିଛି ।

ଗୋଟିଏ ଦିନରେ ଭିନ୍ନ ଦୁଇଟି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁକୁ ନେଇ ଆନନ୍ଦପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦୁଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।