ଜଗତସିଂହପୁର ୧୬।୫: ଜଗତସିଂହପୁର ଜିଲ୍ଲା ସଦର ଥାନା କାଠିଆପଡ଼ା ଗାଁର ସସ୍ମିତା ଦାସ ହତ୍ୟାକାଣ୍ଡ ଘଟଣାରେ ଶୁକ୍ରବାର ଜଗତସିଂହପୁର ପୋଲିସ ସୁପାରୀ କିଲର ଲଲୁ କୁମାର ଓରଫ ଲାଲୁ ଜାଦବକୁ ବିହାରର କଇମୁଡରୁ ଗିରଫ କରିଛି । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯାଇଥିବା ସହ ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯିବ । ଏହି ବାବଦରେ ଜଗତସିଂହପୁର ଏସ୍‌ପି ପ୍ରେସମିଟରେ ସବିଶେଷ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, କାଠିଆ ପଡ଼ା ଗାଁର ସସ୍ମିତା ଦାସଙ୍କର ଅନ୍ୟତ୍ର ନିର୍ବନ୍ଧ ହେବା ପରେ ଗତ ମାସ ୨୦ ତାରିଖ ତଥା ନିର୍ବନ୍ଧ ପରଦିନ ସସ୍ମିତାଙ୍କୁ ତାଙ୍କର ପୂର୍ବତନ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁ ଘର ପାଖ ମୁଗ ବିଲକୁ ଡାକିଥିଲେ । ସୁପରୀ କିଲର ସହ ମିଶି ଅତି ନିର୍ମମ ଭାବରେ ତାଙ୍କୁ ହତ୍ୟା କରିଥିଲା । ହତ୍ୟାକାଣ୍ଡ ପରେ ଉଭୟ ଫେରାର ହୋଇଯାଇଥିବା ବେଳେ ଜାମସେଦପୁରରୁ ହତ୍ୟାକାରୀ ପ୍ରେମିକ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ଦୁଇ ଦିନ ମଧ୍ୟରେ ଗିରଫ କରିଥିଲା ପୋଲିସ । ମାତ୍ର ସୁପାରୀ କିଲର ଲାଲୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା । ତେବେ ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିହାର ଜାମସେଦପୁର ଠାରେ ପହଞ୍ଚି ଧରିବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ତାଙ୍କୁ କାଇମୁଦରୁ ଗିରଫ କରିଛି ପୋଲିସ ।

Also Read:- ଖୁସିରେ ବାପା କିଣି ଆଣିଥିଲେ ତରଭୁଜ, ଖାଇବା ପରେ ଚାଲିଗଲା ନାବାଳକଙ୍କ ଜୀବନ

ପ୍ରେମିକ ସୂର୍ଯ୍ୟକାନ୍ତ ସ୍ବାଇଁ ଏବଂ ସୁପାରୀ କିଲର ଲାଲୁ ଯାଦବ ଗୋଟିଏ ଅଟୋୱାର୍କସ ସଂସ୍ଥାରେ କାମ କରନ୍ତି । ସୂର୍ଯ୍ୟକାନ୍ତ ପ୍ରେମିକା ଠାରୁ ଧୋକା ପାଇବା ଯୋଗୁଁ ପ୍ରେମିକା ସସ୍ମିତାଙ୍କୁ ହତ୍ୟା କରିବା ପାଇଁ ଲାଲୁକୁ ଦୁଇ ଲକ୍ଷ ଟଙ୍କାର ସୁପାରୀ ଦେବାକୁ ଡିଲ୍ ହେବା ସହିତ ୨୦ ହଜାର ଆଡଭାନ୍ସ ଦେଇଥିଲା ସୂର୍ଯ୍ୟକାନ୍ତ । ଥରେ ଉଦ୍ୟମ କରି ବିଫଳ ହେବା ପରେ ଗତ ୨୦ ତାରିଖ ଦିନ ହତ୍ୟା କରିବାରେ ସଫଳ ହୋଇଥିଲେ । ତେବେ ସୁପାରୀ କିଲର ଠାରୁ ଗୋଟିଏ ହ୍ୟୁଣ୍ଡାଇ କାର୍, ଗୋଟିଏ ମୋବାଇଲ, ଏଟିଏମ୍ କାର୍ଡ, ଆଧାର କାର୍ଡ ଆଦି ଜବତ କରିଛି ପୋଲିସ ।