ନୂଆଦିଲ୍ଲୀ: ମୋଦି ସରକାର ଡି ଲିମିଟେସନ (ପରିସୀମନ) ବିଧେୟକ ଲାଗି ଖୁବ୍ ଶୀଘ୍ର ସଂସଦର ବିଶେଷ ଅଧିବେଶନ ଡକାଇ ପାରନ୍ତି। ଗତ ଏପ୍ରିଲ ମାସରେ ଉପସ୍ଥାପନ କରାଯାଇଥିବା ଡି ଲିମିଟେସନ ବିଲ୍ ସଂସଦରେ ଗୃହୀତ ହୋଇ ପାରିନଥିଲା, ଏଣୁ ଏଡିଏ ସରକାରଙ୍କୁ ଝଟକା ଲାଗିଥିଲା। ତେବେ ମେ ମାସରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଏନଡିଏର ତାକତ ବଢାଇଥିବା ବେଳେ ସଂସଦରେ ଦୁଇତୃତୀୟାଂଶ ବହୁମତ ପାଖାପାଖି ପହଞ୍ଚି ଯାଇଛି। ଏଣୁ ନ୍ୟୁଜ୍ ୧୮ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ଖୁବ୍ ଶୀଘ୍ର ଡିଲିମିଟେସନ ବିଲ୍ ଗୃହୀତ କରିବା ପାଇଁ ସଂସଦର ବିଶେଷ ଅଧିବେଶନ ଆହ୍ୱାନ କରିପାରନ୍ତି।

ଏହି ବିଧେୟକ ଗୃହୀତ କରିବା ପାଇଁ ସରକାରଙ୍କୁ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ରହିଛି। ଏହା ପୂର୍ବରୁ ସଂସଦର ମୌସୁମୀ ଅଧିବେଶନ ଅଗଷ୍ଟ ମଝି ସପ୍ତାହରୁ ସମାପ୍ତ ହୋଇଯାଇଥିଲା, ହେଲେ ସଂସଦକୁ ଏ ପର୍ଯ୍ୟନ୍ତ ଔପଚାରିକ ରୂପେ ସ୍ଥଗିତ କରାଯାଇ ନାହିଁ। ଏହାକୁ ନେଇ ସମୟ ସମୟରେ କଂଗ୍ରେସ ପ୍ରଶ୍ନ ଉଠାଉଛି ଓ ସଂସଦ କାହିଁକି ପ୍ରୋରଗ ହେଉନି ସେ ନେଇ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ମଧ୍ୟ ଲେଖିଛନ୍ତି।

କେନ୍ଦ୍ର ସରକାର ଗତ ଏପ୍ରିଲ ମାସରେ ଲୋକସଭା ଓ ବିଧାନସା ନିର୍ବାଚନମଣ୍ଡଳି ପରିସୀମନ (ଡିଲିମିଟେସନ)କୁ ନେଇ ସଂସଦରେ ୩ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପସ୍ଥାପନ କରିଥିଲେ। ଏଥିରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଧେୟକ ୨୦୨୬, ପରିସୀମନ ବିଧେୟକ ୨୦୨୬ ଓ କେନ୍ଦ୍ରଶାସିତ ପ୍ରଦେଶ ଆଇନ (ସଂଶୋଧନ) ବିଧେୟକ ସାମିଲ ଥିଲା। ସରକାରଙ୍କ ପ୍ରସ୍ତାବ ଥିଲା ଯେ ଲୋକସଭାର ଏବେକା ୫୪୩ ସିଟ୍ କୁ ବଢାଇ ଅଧିକତମ ୮୫୦ କରିବା ଓ ରାଜ୍ୟ ବିଧାନସଭା ସିଟ୍ ମଧ୍ୟ ପରିବର୍ତ୍ତନ କରିବା। ଏଥିଲା ୨୦୧୧ର ଜନଗଣନାକୁ ଆଧାର କରି ନିର୍ବାଚନ କ୍ଷେତ୍ରକୁ ନୂଆ କରି ନିର୍ଦ୍ଧାରଣ କରିବାର ଯୋଜନା । ଏଥିରେ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ଲାଗୁ କରିବାକୁ ମଧ୍ୟ ଯୋଡା ଯାଇଥିଲା। ୨୦୨୩ରେ ଗୃହୀତ ମହିଳା ସଂରକ୍ଷଣ ଆଇନରେ ଲୋକସଭା ଓ ବିଧାନସଭାମାନଙ୍କରେ ମହିଳାଙ୍କ ଲାଗି ୩୩% ସିଟ୍ ସଂରକ୍ଷିତ କରିବାର ପ୍ରାବଧାନ ରହିଛି। ତେବେ ଏହାକୁ ଜନଗଣନା ଓ ପରିସୀମନ ବାଦେ କାର୍ଯ୍ୟାନ୍ୱୟନ କରାଯିବାର ଥିଲା।

ତେବେ ସରକାରଙ୍କ ଏହି ପ୍ରସ୍ତାବ ୧୭ ଏପ୍ରିଲ ୨୦୨୬ରେ ଲୋକସଭାରେ ଗୃହୀତ ହୋଇ ପାରିନଥିଲା। ବିରୋଧୀ ଦଳଙ୍କ ବିରୋଧ ଓ ସମ୍ବିଧାନ ସଂଶୋଧନ ଲାଗି ଜରୁରି ଦୁଇ ତୃତୀୟାଂଶ ବହୁମତ ନଥିଲା। ବିରୋଧୀ ଦଳମାନେ ମହିଳା ସଂରକ୍ଷଣ ସମର୍ଥନରେ ଥିଲେ, ହେଲେ ସେମାନେ ଅଭିଯୋଗ କରିଥିଲେ ଯେ ସରକାର ପରିସୀମନ ମାଧ୍ୟମରେ ରାଜନୈତିକ ଲାଭ ନେବାକୁ ଚାହୁଁଛନ୍ତି। ଏଥିରେ ଦକ୍ଷିଣ ଭାରତୀୟ ରାଜ୍ୟ ଆଶଙ୍କା କରୁଛନ୍ତି ଯେ ଜନସଂଖ୍ୟା ଆଧାରରେ ପୁଣି ସିଟ୍ ନିର୍ଦ୍ଧାରଣ ହେଲେ ଲୋକସଭାରେ ଉତ୍ତର ଭାରତୀୟ ରାଜ୍ୟଙ୍କ ଭାଗିଦାରୀ ବଢିବ ଓ ଦକ୍ଷିଣ ଭାରତୀୟ ରାଜ୍ୟଙ୍କ ପ୍ରତିନିଧିତ୍ୱ ହ୍ରାସ ହେବ। ଏଣୁ କଂଗ୍ରେସ ସମେତ ସବୁ ବିରୋଧୀ ବିଧେୟକକୁ ବିରୋଧ କରିଥିଲେ। ଏଣୁ ମତଦାନରେ ବିଧେୟକ ସପକ୍ଷରେ ୨୯୮ ଟି ଭୋଟ ପଡିଥିବା ବେଳେ ବିରୋଧରେ ୨୩୦ଟି ଭୋଟ ପଡିଥିଲା। ତେବେ ଏହାକୁ ଗୃହୀତ କରିବା ପାଇଁ ୫୨୮ ସଦସ୍ୟଙ୍କ ସଂସଦରେ ଦୁଇତୃତୀୟାଂଶ ଅର୍ଥା ୩୫୨ ଭୋଟର ଆବଶ୍ୟକତା ଥିଲା। ଏଣୁ କେନ୍ଦ୍ର ସରକାର ବିଧେୟକ ଗୃହୀତ କରିବାରେ ବିଫଳ ହୋଇଥିଲେ।

ଗତ ମେ ମାସରେ ହୋଇଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ସଂସଦରେ ମଧ୍ୟ ତଥ୍ୟ ବଦଳାଇ ଦେଇଛି। ମମତା ବାନାର୍ଜୀଙ୍କ ଟିଏମସି ଭାଗଭାଗ ହୋଇଯାଇଥିବା ବେଳେ ୨୦ ସାଂସଦ ପାର୍ଟିରୁ ଅଲଗା ହୋଇଯାଇ ନୂଆ ପାର୍ଟି କରିଛନ୍ତି। ସେହିପରି ତାମିଲନାଡୁ ନିର୍ବାଚନ ଫଳାଫଳରେ କଂଗ୍ରେସ ଟିଭିକେକୁ ସମର୍ଥନ କରିବାରୁ ରାଜ୍ୟରେ ବିଜୟଙ୍କ ସରକାର ହୋଇଥିବା ବେଳେ ଡିଏମକେ ଓ କଂଗ୍ରେସ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏହା ଛଡା ଶିବସେନା(ଉଦ୍ଧବ)ରେ ମଧ୍ୟ ବିଦ୍ରୋହ ହୋଇଛି ଓ ୬ ସାଂସଦ ଏକନାଥ ସିନ୍ଦେଙ୍କ ଶିବସେନାକୁ ଚାଲି ଯାଇଛନ୍ତି। ଏଣୁ ସଂସଦରେ ଏନଡିଏ ସ୍ଥିତି ଆହୁରି ଦୃଢ ହୋଇଛି।

ନମ୍ବର ଗେମରେ ବଦଳିଛି କ’ଣ?
ଏନଡିଏର ନିଜର ୨୯୩ ସାଂସଦ ଅଛନ୍ତି। ଏଥିରେ ଟିଏମସିର ୨୦ ଜଣ ବିଦ୍ରୋହୀ ସାଂସଦ ବିଜେପିକୁ ସମର୍ଥନ କରିଛନ୍ତି। ଶିବସେନା(ଉଦ୍ଧବ)ର ୬ ସାଂସଦ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ଯାଇଥିବା ବେଳେ ସେମାନେ ସଂସଦରେ ଏନଡିଏକୁ ସମର୍ଥନ କରିବେ। ଏହା ଛଡା ଏପ୍ରିଲରେ ଏନଡିଏକୁ ଅଧିକ ୫ଟି ଭୋଟ ମିଳିଥିଲା, ଏଣୁ ସେମାନେ ମଧ୍ୟ ସାଙ୍ଗରେ ଆସିବେ। ଯଦି ଡିଏମକେ ସମର୍ଥନ କରେ ତେବେ ଆଉ ୨୨ ସାଂସଦଙ୍କ ସମର୍ଥନ ମିଳିଯିବ।

ମୋଟ ସଂଖ୍ୟା ହେଉଛି ୩୪୬
ଏହି ସବୁ ନମ୍ବରକୁ ମିସାଇ ସଂଖ୍ୟା ୩୪୬ ହୋଇ ଯାଉଛି। ପିଛିଲା ଥର ଯେତେବେଳେ ବିଧେୟକ ଉପସ୍ଥାପନ କରାଯାଇଥିଲା ସେତେବେଳେ ଉପସ୍ଥିତ ଥିବା ସାଂସଦଙ୍କ ସଂଖ୍ୟାର ଦୁଇ ତୃତୀୟାଂଶ ସମର୍ଥନ ଆବଶ୍ୟକ। ଏଣୁ ଏହି ହିସାବରୁ ଦେଖିଲେ ମୋଦି ସରକାର ବିଧେୟକ ଗୃହୀତ କରିବା ପାଇଁ ଦୁଇ ତୃତୀୟାଂଶ ବହୁମତ ପାଖାପାଖି ଅଛନ୍ତି। ଆଗାମୀ ସମୟରେ ଯେତେବେଳେ ସଂସଦରେ ଡିଲିମିଟେସନ ବିଧେୟକ ଉପସ୍ଥାପନ ହେବ ସେତେବେଳେ କିଛି ସାଂସଦ ସଂସଦକୁ ନ ଆସି ମଧ୍ୟ ସରକାରଙ୍କୁ ସହଯୋଗ କରିପାରିବେ।