ନୟାଗଡ଼: ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ହେଲା ବିସ୍ଫୋରଣ। ଏଥିରେ ଦଦା ପୁତୁରା ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଗୁରୁତର ହେଲେ ଦଦା ପ୍ରକାଶ ମହାରଣା ଏବଂ ପୁତୁରା କାଳୁ ମହାରଣା। ନୟାଗଡ଼ ଓଡ଼ଗାଁ ଥାନା ଘସାଦେଇପୁର ଗ୍ରାମରେ ଘଟିଛି ଦୁର୍ଘଟଣା। ଗ୍ୟାସ ସିଲିଣ୍ଡର ସଂଯୋଗ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ସନ୍ଧ୍ୟା ବେଳେ ନୂଆ ସିଲିଣ୍ଡର ଖୋଲିବା ସମୟରେ କୌଣସି କାରଣରୁ ଏଥିରୁ ଗ୍ଯାସ୍ ଲିକ୍ ହୋଇଥିଲା । ପାଖରେ ଚୁଲିରେ ରୋଷେଇ ଚାଲୁଥିବାରୁ ହଠାତ୍ ସିଲିଣ୍ଡରରେ ନିଆଁ ଲାଗି ପ୍ରକାଶଙ୍କ ଦେହରେ ନିଆଁ ଲାଗିଯାଇଥିଲା । ସେ ଜୀବନ ବିକଳରେ ଦୌଡ଼ି ବାହାରକୁ ଆସୁଥିବା ବେଳେ ପାଖରେ ଛିଡା ହୋଇଥିବା ପୁତୁରା କାଳୁଙ୍କ ଦେହରେ ମଧ୍ଯ ନିଆଁ ଲାଗିଯାଇଥିଲା । ଫଳରେ ଉଭୟ ଗୁରୁତର ହୋଇପଡ଼ିଥିଲେ। ତେବେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଓଡ଼ଗାଁ ଏବଂ ପରେ ନୟାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

Also Read: ସ୍କୁଟି ଯୋଗେ ମାଆଙ୍କୁ ହସ୍ପିଟାଲ ଛାଡ଼ିବାକୁ ଯାଉଥିଲେ, ଅଧାରାସ୍ତାରେ ମାଆ-ଝିଅଙ୍କୁ ଚାପିଦେଲା ଦ୍ରୁତଗାମୀ ଟ୍ରକ