ନୂଆଦିଲ୍ଲୀ: ତୁର୍କୀର ଦକ୍ଷିଣ ସହର ମେର୍ସିନ୍ (Mersin) ରେ ସୋମବାର (୧୮ ମେ, ୨୦୨୬) ଭୟଙ୍କର ଗୁଳିକାଣ୍ଡ ଘଟିଛି। ଜଣେ ବନ୍ଧୁକଧାରୀ ଆତତାୟୀର ଆକ୍ରମଣରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୮ ଜଣ ଗୁରୁତର ହୋଇଛନ୍ତି। ତୁର୍କୀର ପ୍ରମୁଖ ଗଣମାଧ୍ୟମ DHA ଏବଂ IHA ପକ୍ଷରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ, ଆତତାୟୀ ଜଣକ ପ୍ରଥମେ ଏକ ରେଷ୍ଟୁରାଣ୍ଟକୁ ପ୍ରବେଶ କରି ଅତର୍କିତ ଗୁଳିଚାଳନା କରିଥିଲା। ସେଠାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସେ ବାହାରକୁ ଆସି ଅନ୍ୟ ସ୍ଥାନରେ ମଧ୍ୟ ଗୁଳିମାଡ଼ କରିଥିଲା ।

ଗୁଳିକାଣ୍ଡରେ ଆହତ ହୋଇଥିବା ୮ ଜଣଙ୍କୁ ତୁରନ୍ତ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଆକ୍ରମଣ ପରେ ଆତତାୟୀ ଜଣକ ଏକ କାର୍ ସାହାଯ୍ୟରେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି।

ତୁର୍କୀ ପୋଲିସ ଏବଂ ସୁରକ୍ଷା ବାହିନୀ ପକ୍ଷରୁ ସମଗ୍ର ସହରରେ ‘ମ୍ୟାନ୍ ହଣ୍ଟ (Manhunt) ବା ବ୍ୟାପକ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଅପରାଧୀକୁ ଧରିବା ପାଇଁ ସହରର ସମସ୍ତ ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍ କରିଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଏହା ଏକ ଆତଙ୍କବାଦୀ ଆକ୍ରମଣ କିମ୍ବା ବ୍ୟକ୍ତିଗତ ଶତ୍ରୁତା, ସେ ନେଇ ତଦନ୍ତ ଜାରି ରହିଛି।

ଏହି ଗୁଳିକାଣ୍ଡ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। ତୁର୍କୀ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ପୂର୍ବରୁ ଏପ୍ରିଲ ମାସରେ ମଧ୍ୟ ତୁର୍କୀର କାହାରାମନମାରାସ ଅଞ୍ଚଳରେ ଏକ ଗୁଳିକାଣ୍ଡ ଘଟିଥିଲା, ଏହା ପରେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।