ଦୁଇ ଦୁଇ ଥର ବୋମାର ଆକ୍ରମଣ ତଥାପି ଜୀବିତ l ଜାପାନର ମହାପ୍ରଳୟ ଭିତରୁ ଜୀବିତ ଫେରିଥିଲେ ଇତିହାସର ଆମର ମାନବ l ଦ୍ୱିତୀୟ ବିଶ୍ବଯୁଦ୍ଧର ଏହି ଲୋମଟାଙ୍କୁରା କାହାଣୀ ଶୁଣିଲେ ଛାତି ଥରି ଉଠିବ l ୧୯୪୫ ଅଗଷ୍ଟ ମାସ, ଆମେରିକା ଦ୍ୱାରା ଜାପାନର ହିରୋସିମା ଓ ନାଗାସାକିରେ ପରମାଣୁ ବୋମା ବିସ୍ଫୋରଣ l ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ଏହି ମହାବିନାଶରେ ଲକ୍ଷ ଲକ୍ଷ ଲୋକ ନିମିଷକ ମଧ୍ୟରେ ଛାରଖାର ହୋଇଯାଇଥିଲେ। କିନ୍ତୁ ଆପଣ ଜାଣନ୍ତି କି, ଏପରି ଜଣେ ବ୍ୟକ୍ତି ଥିଲେ ଯିଏ ହିରୋସିମାରେ ପ୍ରଥମ ବୋମା ବିସ୍ଫୋରଣରୁ ବଞ୍ଚିବା ପରେ ନାଗାସାକିରେ ଦ୍ୱିତୀୟ ବୋମା ବିସ୍ଫୋରଣର ଶିକାର ହୋଇଥିଲେ l ଏବଂ ଦୁଇ ଦୁଇଟି ଆଣବିକ ଆକ୍ରମଣକୁ ମାତ୍ ଦେଇ ଜୀବିତ ରହିଥିଲେ! ସେହି ବିସ୍ମୟକର ମଣିଷ ଜଣକ ହେଉଛନ୍ତି ତ୍ସୁତୋମୁ ୟାମାଗୁଚି । ଆସନ୍ତୁ ଜାଣିବା ତାଙ୍କର ଏହି ଅବିଶ୍ୱସନୀୟ କାହାଣୀ

ତାରିଖ ଥିଲା ୬ ଅଗଷ୍ଟ ୧୯୪୫। ଜାପାନର 'ମିତ୍ସୁବିସି ହେଭି ଇଣ୍ଡଷ୍ଟ୍ରିଜ୍'ର ୨୯ ବର୍ଷୀୟ ଇଞ୍ଜିନିୟର ତ୍ସୁତୋମୁ ୟାମାଗୁଚି ନିଜର ୩ ମାସର କାମ ଶେଷ କରି ହିରୋସିମାରୁ ନିଜ ସହର ନାଗାସାକି ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଷ୍ଟେସନ୍ ଯିବା ବାଟରେ ସେ ନିଜର କିଛି ଜରୁରୀ ସାମଗ୍ରୀ ଅଫିସରେ ଛାଡ଼ି ଆସିଥିବା ମନେପଡ଼ିବାରୁ ପଛକୁ ଫେରିଥିଲେ। ସକାଳ ୮ଟା ୧୫ ମିନିଟ୍ରେ ଆମେରିକାର ବି-୨୯ ବୋମାବର୍ଷୀ ବିମାନ 'ଏନୋଲା ଗେ' ହିରୋସିମା ଉପରେ ପକାଇଥିଲା ପରମାଣୁ ବୋମା 'ଲିଟିଲ୍ ବୟ'।ବିସ୍ଫୋରଣ ସ୍ଥଳରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ୟାମାଗୁଚି ପ୍ରଚଣ୍ଡ ଶବ୍ଦ ଓ ଆଲୋକର ଝଲକ ସହ ତଳେ ପଡ଼ିଯାଇଥିଲେ। ତାଙ୍କ ଶରୀରର ବିଭିନ୍ନ ଅଂଶ ପୋଡ଼ିଯାଇଥିଲା ଏବଂ କାନର ଶ୍ରବଣ ଶକ୍ତି ବ୍ୟାହତ ହୋଇଥିଲା। ତଥାପି ସେହି ଭୟାନକ ସ୍ଥିତିରୁ ସେ କୌଣସି ମତେ ନିଜର ପ୍ରାଣ ବଞ୍ଚାଇ ପୋଡ଼ା ଦେହରେ ଗୋଟିଏ ରାତି ସୁରକ୍ଷିତ ଆଶ୍ରୟସ୍ଥଳୀରେ ବିତାଇଥିଲେ।

୮ ଅଗଷ୍ଟରେ କ୍ଷତଚିହ୍ନ ଓ ବ୍ୟାଣ୍ଡେଜ୍ ନେଇ ୟାମାଗୁଚି ନାଗାସାକିରେ ପହଞ୍ଚିଥିଲେ। ୯ ଅଗଷ୍ଟ ସକାଳେ ସେ ଅଫିସରେ ନିଜ ବସ୍ଙ୍କୁ ବୁଝାଉଥିଲେ ଯେ କିପରି ଗୋଟିଏ ବୋମା ସମ୍ପୂର୍ଣ୍ଣ ସହରକୁ ଧ୍ୱଂସ କରିଦେଲା। ତାଙ୍କ ବସ୍ ଏହାକୁ ବିଶ୍ୱାସ କରୁନଥିବା ବେଳେ, ଠିକ୍ ସେତିକି ବେଳେ ନାଗାସାକି ଆକାଶରୁ ଖସିଥିଲା ଦ୍ୱିତୀୟ ପରମାଣୁ ବୋମା 'ଫ୍ୟାଟ୍ ମ୍ୟାନ୍'। ପୁଣି ଥରେ ବିସ୍ଫୋରଣର ତରଙ୍ଗ ତାଙ୍କୁ ତଳେ କଚାଡ଼ି ଦେଇଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ, ଏହି ଦ୍ୱିତୀୟ ମହାବିନାଶରୁ ମଧ୍ୟ ସେ ଏବଂ ତାଙ୍କ ପରିବାର ବଞ୍ଚିଯାଇଥିଲେ! ଉଭୟ ଆକ୍ରମଣରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ, ୟାମାଗୁଚି ଦୁଇ ଦୁଇଟି ମାତ୍ରାଧିକ ବିକିରଣ ଓ ବିସ୍ଫୋରଣକୁ ସହି ମଧ୍ୟ ବଞ୍ଚିରହି ଏକ ସୃଷ୍ଟି କରିଥିଲେ ଅଦ୍ଭୁତ ଇତିହାସ।

ଜାପାନ ସରକାର ୨୦୦୯ ମସିହାରେ, ଯେତେବେଳେ ତାଙ୍କୁ ୯୩ ବର୍ଷ ହୋଇଥିଲା, ତାଙ୍କୁ ବିଧିବଦ୍ଧ ଭାବେ ଉଭୟ ହିରୋସିମା ଓ ନାଗାସାକି ପରମାଣୁ ବୋମା ବିସ୍ଫୋରଣର ଏକମାତ୍ର ସରକାରୀ ସ୍ୱୀକୃତିପ୍ରାପ୍ତ 'ଡବଲ ସରଭାଇଭର' ଭାବେ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷକତା କରିବା ସହ ଜାତିସଂଘ ରେ ଯୋଗଦେଇ ପରମାଣୁ ଅସ୍ତ୍ର ମୁକ୍ତ ପୃଥିବୀ ପାଇଁ ନିଜର ସ୍ୱର ଉତ୍ତୋଳନ କରିଥିଲେ। ସେ ନିଜ ଜୀବନୀ ଓ ସାକ୍ଷାତକାର ମାଧ୍ୟମରେ ଆଗାମୀ ପିଢ଼ିକୁ ପରମାଣୁ ଯୁଦ୍ଧର ଭୟାବହତା ବିଷୟରେ ସଚେତନ କରାଇଥିଲେ।୨୦୧୦ ମସିହା ଜାନୁଆରୀ ୪ ତାରିଖରେ ୯୩ ବର୍ଷ ବୟସରେ ତ୍ସୁତୋମୁ ୟାମାଗୁଚି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁକୁ ଦୁଇ ଦୁଇ ଥର ମାତ୍ ଦେଇଥିବା ଏହି ବ୍ୟକ୍ତିଙ୍କ କାହାଣୀ ଆଜି ବି ବିଶ୍ୱ ବାସୀଙ୍କୁ ଯୁଦ୍ଧ ବିରୋଧରେ ଏବଂ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ବାର୍ତ୍ତା ଦେଉଛି।