ଆବୁଜା: ତେଲ୍ ପାଇପରୁ ତେଲ ଚୋରି କରିବା ବେଳେ ବିଷାକ୍ତ ଗ୍ୟାସ୍ ଲିକ୍ ହେବାରୁ ୩୭ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ନାଇଜେରିଆରେ ବଡ଼ ହଇଚଇ ସୃଷ୍ଟି କରିଛି। ନାଇଜେରିଆର ତୈଳସମୃଦ୍ଧ ଦକ୍ଷିଣ ଅଞ୍ଚଳରେ ଏକ ତେଲ ପାଇପ୍ରୁ ବେଆଇନ ଭାବେ ତେଲ ଚୋରି କରିବାକୁ ଉଦ୍ୟମ କରାଯାଉଥିବା ବେଳେ ଏଭଳି ଘଟଣା ଘଟିଛି। ଏନେଇ ନେଇ ଏକ ପରିବେଶ ସଂଗଠନ ଦାବି କରିଛି। ତେବେ ଏହି ମୃତ୍ୟୁସଂଖ୍ୟାକୁ ଯଦିଓ ଏପର୍ଯ୍ୟନ୍ତ ନାଇଜେରିଆ ସରକାର ସ୍ପଷ୍ଟ କରି ନାହାନ୍ତି, କିନ୍ତୁ ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେଖା ଦେଇଛି।

ରିଭର୍ସ ଷ୍ଟେଟ୍‌ର ଓକ୍ରିକା ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ଏହି ଘଟଣା ଘଟିଥିବା ନାଇଜେରିଆର ପରିବେଶ ସଂଗଠନ ଯୁବ ଏବଂ ପରିବେଶଗତ ପରାମର୍ଶ କେନ୍ଦ୍ର (YEAC-Nigeria) ସୂଚନା ଦେଇଛି।ପୁଲିସ ମଧ୍ୟ ତେଲ ଚୋରି କରିବା ଉଦ୍ୟମ ସମୟରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା କହିଛି। କିନ୍ତୁ ଏଥିରେ କେତେ ଜଣଙ୍କର ଜୀବନ ଯାଇଛି ସେ ନେଇ ପୁଲିସ ପକ୍ଷରୁ ସଠିକ୍ ସୂଚନା ଦିଆଯାଇ ନାହିଁ।

ପାଇପ୍ରୁ ତେଲ ଚୋରି ବେଳେ ଘଟିଲା ଅଘଟଣ

YEAC-Nigeria କହିଛି ଯେ, ନାଇଜର ଡେଲ୍ଟା ଅଞ୍ଚଳରେ କାମ କରୁଥିବା ଏହାର ଯୁବ ସ୍ୱେଚ୍ଛାସେବୀ ଏବଂ ମାନବାଧିକାର କର୍ମୀଙ୍କ ନେଟୱର୍କରୁ ଘଟଣା ସମ୍ପର୍କରେ ସୂଚନା ମିଳିଥିଲା। ସୂଚନା ଯାଞ୍ଚ କରିବା ପରେ ଅତିକମରେ ୩୭ ଜଣଙ୍କ ମୃତ୍ୟୁ ହୋଇଥିବା ସଂଗଠନ ଦାବି କରିଛି।

ଘଟଣାଟି ଓକାରି ଜେଟି ନିକଟରେ ଘଟିଥିବା କୁହାଯାଉଛି। ସେଠାରେ ଏକ ଜାହାଜରେ ପେଟ୍ରୋଲିୟମ୍ ଉତ୍ପାଦ ଲୋଡ୍ କରାଯାଉଥିଲା। ଏହି ସମୟରେ ତଥାକଥିତ ତେଲ ଚୋରମାନେ ଅତ୍ୟଧିକ ଚାପରେ ପାଇପ୍ରୁ ପ୍ରଡକ୍ଟକୁ ନିଜ ବୋଟ୍କୁ ସ୍ଥାନାନ୍ତର କରୁଥିବା ଅଭିଯୋଗ ହୋଇଛି। ଏହି ସମୟରେ ବିଷାକ୍ତ ଧୂଆଁ ବା ଗ୍ୟାସ୍ ନିର୍ଗତ ହୋଇଥିଲା,ଏଥିରେ ଅଣନିଃଶ୍ୱାସୀ ହୋଇ ଅନେକ ଲୋକ ଅସୁସ୍ଥ ହେବା ସହ ମୃତ୍ୟୁ ମୁଖରେ ପଡ଼ିଥିଲେ ବୋଲି ସଂଗଠନ କହିଛି।

ଅନେକ ଲୋକ ନିଖୋଜ, ନଦୀରେ ଭାସୁଛି ମୃତଦେହ!

ଏହି ଘଟଣା ଅତି ଭୟଙ୍କର ପରିବେଶ ସୃଷ୍ଟି କରିଛି।ଏନ୍ଜିଓ ସଂସ୍ଥା YEAC-Nigeria ଅନୁସାରେ, ଘଟଣା ପରେ ଅନେକ ଲୋକଙ୍କର କୌଣସି ପତ୍ତା ମିଳୁନାହିଁ। ଏପରିକି କିଛି ମୃତଦେହ ନଦୀରେ ଭାସୁଥିବା ଦେଖାଯାଇଛି। ତେବେ ଏପର୍ଯ୍ୟନ୍ତ ସମସ୍ତ ମୃତଦେହ ଉଦ୍ଧାର କରାଯାଇନାହିଁ। ତେଣୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ କି ନାହିଁ, ସେନେଇ ମଧ୍ୟ ଆଶଙ୍କା ରହିଛି।

ମୃତ୍ୟୁସଂଖ୍ୟା ନେଇ ଅଧିକାରୀଙ୍କ ଭିନ୍ନ ମତ

ରିଭର୍ସ ଷ୍ଟେଟ୍ ପୁଲିସର ମୁଖପାତ୍ର ଏସ୍ପି ବ୍ଲେସିଂ କାବୋର୍ଲୋ ଆଗାବେ କହିଛନ୍ତି ଯେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଘଟଣାର ପ୍ରକୃତ କାରଣ ଏବଂ ଏଥିରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ଯାଞ୍ଚ କରାଯାଉଛି।

ଅନ୍ୟପକ୍ଷରେ ନାଇଜେରିଆ ସୁରକ୍ଷା ଏବଂ ନାଗରିକ ପ୍ରତିରକ୍ଷା ବାହିନୀ (NSCDC) କହିଛି ଯେ ସୋସିଆଲ ମିଡିଆରେ ପ୍ରଚାରିତ ମୃତ୍ୟୁସଂଖ୍ୟା ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ। ଘଟଣାରେ କେଉଁ ପଦାର୍ଥ ନିର୍ଗତ ହୋଇଥିଲା, ତାହା ମଧ୍ୟ ବୈଷୟିକ ଭାବେ ଚିହ୍ନଟ କରାଯିବା ଆବଶ୍ୟକ ବୋଲି NSCDC କହିଛି। ଏହି ପଦାର୍ଥର ପ୍ରଭାବ କ’ଣ ଥିଲା, ତାହା ଜାଣିବା ପାଇଁ ମଧ୍ୟ ଯାଞ୍ଚ ଚାଲିଛି।ପ୍ରକୃତରେ ଘଟଣାରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, କେତେ ଜଣ ଆହତ ଏବଂ କେତେ ଜଣ ନିଖୋଜ ଅଛନ୍ତି, ସୁରକ୍ଷା ଏଜେନ୍ସିଗୁଡ଼ିକ ସହ ମିଶି ତାହା ନିର୍ଦ୍ଧାରଣ କରାଯାଉଛି ବୋଲି କହିଛି ସୁରକ୍ଷା ସଂସ୍ଥା।

ତେଲ ପାଇପ୍‌ରେ ବେଆଇନ ଭାବେ ଲଗାଇଥିଲେ ପାଇପ୍

YEAC-Nigeriaର ଦାବି ଅନୁସାରେ, କିଛି ଯୁବକ ଏକ ତେଲ ପାଇପର ଟ୍ୟାପିଂ ପଏଣ୍ଟରେ ନିଜସ୍ୱ ପାଇପ୍ ଯୋଡ଼ି ତେଲ ଚୋରି କରିବାକୁ ଚେଷ୍ଟା କରିଥିଲେ। ଏହି ପାଇପ୍ ଦେଇ ଇଣ୍ଡୋରାମା ଏଲିମ୍ ପେଟ୍ରୋକେମିକାଲ୍ରୁ ପୋର୍ଟ ହାରକୋର୍ଟ ରିଫାଇନାରୀ ଦେଇ ତୈଳ ରପ୍ତାନି ପାଇଁ ଜାହାଜଗୁଡ଼ିକୁ ନିଆଯାଉଥିବା ଉତ୍ପାଦ ପରିବହନ କରାଯାଏ ବୋଲି ସଂଗଠନ କହିଛି। ତଥାକଥିତ ତେଲ ଚୋରମାନେ ଏହି ଉତ୍ପାଦକୁ ବେଆଇନ ଭାବେ ନିଜ ବୋଟ୍କୁ ଡାଇଭର୍ଟ କରୁଥିଲେ। ଏହି ସମୟରେ ହିଁ ବିଷାକ୍ତ ଧୂଆଁ ନିର୍ଗତ ହୋଇଥିବା ଅଭିଯୋଗ ହୋଇଛି।

ନାଇଜର ଡେଲ୍ଟାରେ ତେଲ ଚୋରି ବଡ଼ ସମସ୍ୟା

ଏହି ଘଟଣା ନାଇଜେରିଆର ତୈଳସମୃଦ୍ଧ ନାଇଜର ଡେଲ୍ଟା ଅଞ୍ଚଳରେ ଚାଲିଥିବା ବେଆଇନ ତେଲ ଚୋରି ଓ ପାଇପ୍ଲାଇନ୍ ଭାଙ୍ଗିବାର ଭୟଙ୍କର ପରିଣାମକୁ ପୁଣିଥରେ ସାମ୍ନାକୁ ଆଣିଛି। ନାଇଜେରିଆରେ ବେଆଇନ ଭାବେ ପାଇପ୍ରୁ ତେଲ ନେବା ଘଟଣାରେ ପୂର୍ବରୁ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଇଛି। ଏହା ସହିତ ତୈଳ ପ୍ରଦୂଷଣ ଏବଂ ଦେଶର ତୈଳ ଶିଳ୍ପକୁ ବଡ଼ ଆର୍ଥିକ କ୍ଷତି ମଧ୍ୟ ହେଉଛି।

ନାଇଜର ଡେଲ୍ଟା ନାଇଜେରିଆର ବହୁ ବିଲିୟନ୍ ଡଲାରର ତୈଳ ଓ ଗ୍ୟାସ୍ ସମ୍ପଦର କେନ୍ଦ୍ର ହୋଇଥିଲେ ମଧ୍ୟ ଏଠାକାର ଅନେକ ସମୁଦାୟ ଦୀର୍ଘଦିନ ଧରି ଦାରିଦ୍ର୍ୟ, ପ୍ରଦୂଷଣ ଏବଂ ତୈଳ ଅନ୍ୱେଷଣର ପ୍ରଭାବ ସହ ଲଢ଼ୁଛନ୍ତି। ରିପୋର୍ଟ ଅନୁସାରେ, ୨୦୨୩ ଅକ୍ଟୋବର ପରଠାରୁ ଏହା ଏହି ପ୍ରକାରର ସବୁଠାରୁ ଭୟଙ୍କର ଘଟଣା ହୋଇପାରେ।

ଆର୍ଥିକ ସଙ୍କଟକୁ ଦାୟୀ କଲା ବିରୋଧୀ ଦଳ

ଏହି ଘଟଣା ପାଇଁ ନାଇଜେରିଆର ବିରୋଧୀ ଦଳ ଆଫ୍ରିକୀୟ ଗଣତାନ୍ତ୍ରିକ କଂଗ୍ରେସ (ADC) ଦେଶର ଖରାପ ଆର୍ଥିକ ପରିସ୍ଥିତିକୁ ଦାୟୀ କରିଛି। ଦଳର ଯୁକ୍ତି ହେଉଛି, ଆର୍ଥିକ ସଙ୍କଟ ଏବଂ ବଢ଼ୁଥିବା ଦାରିଦ୍ର୍ୟ ଯୋଗୁ ଲୋକମାନେ ବାଧ୍ୟ ହୋଇ ଏଭଳି ବିପଜ୍ଜନକ କାର୍ଯ୍ୟରେ ଜଡ଼ିତ ହେଉଛନ୍ତି।

୨୦୨୩ରେ ରାଷ୍ଟ୍ରପତି ବୋଲା ଟିନୁବୁ କ୍ଷମତାକୁ ଆସିବା ପରେ ନାଇଜେରିଆରେ ବିଭିନ୍ନ ଆର୍ଥିକ ସୁଧାର ଲାଗୁ ହୋଇଛି। ଏହାପରେ ଦେଶରେ ଉଚ୍ଚ ମୁଦ୍ରାସ୍ଫୀତି, ବଢ଼ୁଥିବା ଇନ୍ଧନ ମୂଲ୍ୟ ଏବଂ ଦାରିଦ୍ର୍ୟ ଭଳି ସମସ୍ୟା ବଢ଼ିଥିବା ନେଇ ବିରୋଧୀ ଦଳ ଅଭିଯୋଗ କରିଛି।

ସରକାରଙ୍କୁ ନୂଆ ରୋଜଗାର ସୁଯୋଗ ଦେବାକୁ ଦାବି

YEAC-Nigeria ସରକାରଙ୍କୁ ନାଇଜର ଡେଲ୍ଟାର ଲୋକଙ୍କ ପାଇଁ ବିକଳ୍ପ ଜୀବିକା ଓ ରୋଜଗାର ସୁଯୋଗ ସୃଷ୍ଟି କରିବାକୁ ଦାବି କରିଛି। ବିଶେଷକରି ଅଞ୍ଚଳରେ ଚାଲୁଥିବା ବେଆଇନ ପାରମ୍ପରିକ ତୈଳ ବିଶୋଧନ କୁ ଆଇନଗତ ମାନ୍ୟତା ଦେବା ସହ ଲୋକଙ୍କୁ ସୁରକ୍ଷିତ ଓ ବୈଧ ଜୀବିକାର ସୁଯୋଗ ଦେବା ପାଇଁ ସଂଗଠନ ଆହ୍ୱାନ କରିଛି।

ତେବେ ଏହି ଘଟଣାରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, କେଉଁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥିଲା ଏବଂ ତେଲ ଚୋରି ଘଟଣାରେ କାହାର ସମ୍ପୃକ୍ତି ଥିଲା ସେସବୁ ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ନାଇଜେରିଆନ ପୁଲିସ କହିଛି।