• ବୈଠକକୁ ଋଷିଆ ଅଧିକାରୀମାନେ ସକରାତ୍ମକ ଓ ଉପଯୋଗୀ ବୋଲି କହିଛନ୍ତି
  • ଋଷିଆ ରାଷ୍ଟ୍ରପତି କିଭ୍ ଉପରେ ୩ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ଆଦେଶ ଦେଇଛନ୍ତି
  • ଉଭୟପକ୍ଷର ରାଜଧାନୀକୁ ଟାର୍ଗେଟ ନ କରିବା ପାଇଁ ଏହି ପଦକ୍ଷେପ ଯୋଗୁ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ମିଳିଛି

କିଭ୍: ଋଷିଆ ଓ ୟୁକ୍ରେନ ମଧ୍ୟରେ ଦୀର୍ଘ ବର୍ଷରୁ ଜାରି ଯୁଦ୍ଧ ରୋକିବାକୁ ପୁଣି କୂଟନୈତିକ ଉଦ୍ୟମ ଆରମ୍ଭ ହୋଇଛି। ଆମେରିକା ରାଷ୍ଟ୍ରପତିଙ୍କ ବିଶେଷ ଦୂତ ଷ୍ଟିଭ ଭିଟକଫ ଓ ଜେରେଡ କୁଶ୍ନର ରବିବାର ୟୁକ୍ରେନ ରାଜଧାନୀ କିଭ ପହଞ୍ଚିଛନ୍ତି। ଏହାର ଦିନକ ପୂର୍ବରୁ ଶନିବାର ସେମାନେ ମସ୍କୋ କ୍ରେମଲିନରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିଥିଲେ। ପ୍ରାୟ ୩ ଘଣ୍ଟା ଧରି ଜାରି ରୁଦ୍ଧଦ୍ୱାର ବୈଠକକୁ ଋଷିଆ ଅଧିକାରୀମାନେ ସକରାତ୍ମକ ଓ ଉପଯୋଗୀ ବୋଲି କହିଛନ୍ତି।

ତେବେ ପୁଟିନଙ୍କ ସହ ଆଲୋଚନା ପରେ କୌଣସି ବଡ଼ ବୁଝାମଣା ନେଇ ତୁରନ୍ତ ଘୋଷଣା ହୋଇନି, ତେବେ ଉଭୟପକ୍ଷ ମଧ୍ୟରେ ଯୁଦ୍ଧ ସହିତ ଆର୍ଥିକ ଓ ବାଣିଜ୍ୟିକ ପ୍ରସଙ୍ଗରେ ଖୋଲାଖୋଲି ଚର୍ଚ୍ଚା ହୋଇଛି। ତେବେ ସବୁଠୁ ବଡ଼ ଆଶ୍ୱସ୍ତିର କଥା ହେଉଛି ଏହି କୂଟନୈଚିକ ଗସ୍ତ ସମ୍ମାନରେ ଓ ଆଲୋଚନାକୁ ଅନୁକୂଳ ପରିବେଶ ପ୍ରଦାନ ନିମନ୍ତେ ୩ ଦିନର ଅସ୍ଥାୟୀ ବାୟୁ ଯୁଦ୍ଧ ବିରତୀ ନିମନ୍ତେ ସହମତି ହୋଇଛି। ଋଷିଆ ରାଷ୍ଟ୍ରପତି କିଭ୍ ଉପରେ ୩ ଦିନ ପର୍ଯ୍ୟନ୍ତ କୌଣସି ପ୍ରକାରର ଆକ୍ରମଣ ନ କରିବାକୁ ଆଦେଶ ଦେଇଛନ୍ତି।

ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେନସ୍କି ଆମେରିକୀୟ ଦୂତଙ୍କ ସହ କଥାବାର୍ତ୍ତା ପରେ ୟୁକ୍ରେନ ଶନିବାର, ରବିବାର ଓ ସୋମବାର ମସ୍କୋ ଉପରେ କୌଣସି ପ୍ରକାରର ଜବାବୀ ଆକ୍ରମଣ କରିବ ନାହିଁ ବୋଲି ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ଉଭୟପକ୍ଷର ରାଜଧାନୀକୁ ଟାର୍ଗେଟ ନ କରିବା ପାଇଁ ଏହି ପଦକ୍ଷେପ ଯୋଗୁ ସାଧାରଣ ନାଗରିକଙ୍କୁ ଆଶ୍ୱସ୍ତି ମିଳିଛି। ଇରାନ ସହ ଯୁଦ୍ଧ କାରଣରୁ ଉତ୍ତେଜନା ଯୋଗୁ ଗତ ୬ ମାସ ହେଲା ଅଟକି ରହିଥିବା ଏହି ଶାନ୍ତି ଉଦ୍ୟମ ଏବେ ଏକ ନୂଆ ପର୍ଯ୍ୟାୟକୁ ପହଞ୍ଚିଛି।

ତେବେ ଆମେରିକାର ଉଦ୍ୟମ ଉଭୟପକ୍ଷକୁ କୌଣସି ପ୍ରକାର ବୁଝାମଣାକୁ ଆଣିବା। ତେବେ ଏହା ଏବେ ଏତେ ସହଜ ନୁହେଁ। ୟୁକ୍ରେନ ଏ ପର୍ଯ୍ୟନ୍ତ ପୂର୍ବ ଡୋନେଟସ୍କ ଓ ଲୁହାନସ୍କର ସେହି ସବୁ ଅଞ୍ଚଳରୁ ନିଜ ସେନା ହଟାଇବାକୁ ଋଷିଆ ଦାବିକୁ ଖାରଜ କରିଦେଇଛି ଯେଉଁ ସବୁ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି। ତେବେ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହିତ ଭିଟକଫ ଓ କୁଶ୍ନରଙ୍କ ଏହି ବୈଠକ ଯୁଦ୍ଧ ରୋକିବା ଦିଗରେ କେତେବଡ଼ ମୋଡ ଆଣିପାରିବ ତାହା ଏବେ ଦେଖିବାକୁ ବାକି।