ୱାସିଂଟନ: ଆମେରିକା ଓ ଇରାନ ମଧ୍ୟରେ ନିକଟରେ ହୋଇଥିବା ଯୁଦ୍ଧବିରାମ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଇରାନରେ ଏକ ସକରାତ୍ମକ ସରକାର ପରିବର୍ତ୍ତନ ହୋଇଛି ଓ ଅମେରିକାର ୧୫ଟି ସର୍ତ୍ତ ମଧ୍ୟରୁ ଅନେକକୁ ଇରାନ ସହମତି ଦେଇଛି। ଏହି ନୂଆ ବୁଝାମଣା ଅନୁସାରେ ଇରାନରେ ୟୁରେନିୟମର ସମ୍ବର୍ଦ୍ଧନ ହେବନି ଓ ଆମେରିକା ଇରାନକୁ ସହଯୋଗ କରିବ। ଏଥିରେ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯେଉଁ ଦେଶ ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଣ କରିବ ତା ଉପରେ ୫୦%ର ଟାରିଫ ଲଗାଯିବ।

ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଟ୍ରୁଥ ସୋସାଲରେ ଏକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇରାନକୁ ଅସ୍ତ୍ର ଯୋଗାଣକାରୀ ଦେଶଙ୍କୁ ଏବେ ଛଡାଯିବ ନାହିଁ। ଏପରି ଦେଶମାନଙ୍କରୁ ଆମେରିକାକୁ ଆସୁଥିବା ସବୁ ସାମଗ୍ରୀ ଉପରେ ୫୦%ର କଡ଼ା ଟାରିଫ ଲଗାଯିବ ଓ ଏହି ମାମଲାରେ କୌଣସି ଦେଶକୁ ଛାଡ ମିଳିବ ନାହିଁ। ଟ୍ରମ୍ପଙ୍କ ଏହି ଚେତାବନୀ ବିଶ୍ୱ ବାଣିଜ୍ୟ ଉପରେ ଗଭୀର ପ୍ରଭାବ ପକାଇପାରେ। କାରଣ ଏହା ଦ୍ୱାରା ସେହି ସବୁ ଦେଶଙ୍କ ସାମଗ୍ରୀ ଆମେରିକାରେ ମହଙ୍ଗା ହୋଇଯିବ। ପଶ୍ଚିମ ଏସିୟାରେ ଜାରି ଉତ୍ତେଜନା ମଧ୍ୟରେ ଟ୍ରମ୍ପଙ୍କ ଏହି କଡ଼ା ଆଭିମୁଖ୍ୟ ବିଶ୍ୱକୂଟନୀତି ଓ ବାଣିଜ୍ୟ ସମ୍ପର୍କକୁ ଅଧିକ ଜଟିଳ କରିପାରେ।

ପରମାଣୁ ଅବଶେଷ ଉପରେ ରହିବ କଡ଼ା ନଜର
ପରମାଣୁ ଅସ୍ତ୍ର ପ୍ରସଙ୍ଗରେ ଟ୍ରମ୍ପ କହିଛନ୍ତି ଯେ ଇରାନରେ ୟୁରେନିୟମ ସମ୍ବର୍ଦ୍ଧନକୁ ସମ୍ପୂର୍ଣ୍ଣ ରୋକାଯିବ। ସେ ଏହା ବି କହିଛନ୍ତି ଯେ ଇରାନରେ ଥିବା ବଳକା ପରମାଣୁକୁ ଆମେରିକା ମାଟି ତଳୁ ଉଦ୍ଧାର କରିବ। ଟ୍ରମ୍ପ କହିଛନ୍ତି ଯେ ଇରାନର ସବୁ ପରମାଣୁ ଆଡ୍ଡା ଉପରେ ହାଇଟେକ୍ ସାଟେଲାଇଟ ମାଧ୍ୟମରେ ୨୪ ଘଣ୍ଟା ନଜର ରଖାଯିବ ଓ ଏବେ ସେଠାରେ କୌଣସି ଜିନିଷ ସହ କୌଣସି ପ୍ରକାରର ହସ୍ତକ୍ଷେପ କରାଯିବନି। ଆମେରିକା ଏହା ବି କହିଛି ଯେ ଯଦି ଇରାନ ଏହି ସବୁ ସର୍ତ୍ତ ପାଳନ କରିବ ତେବେ ଆମେରିକା ତାକୁ ସହଯୋଗ କରିବ ଓ ଏହା ବଦଳେ ଇରାନ ଉପରେ ଜାରି ଆର୍ଥିକ କଟକଣା କୋହଳ କରାଯିବ।

Also Read..

ସିଜଫାୟାର ମଧ୍ୟରେ ଆସିଲା ଇରାନ ନେଭିର ଧମକ୍, କହିଲା- ବିନା ଅନୁମତିରେ ପାର ହେବନି ଗୋଟେ ବି ଜାହାଜ