ୱାସିଂଟନ ୩।୧୨: ଆମେରିକା ୨ ଡିସେମ୍ବର ମଙ୍ଗଳବାର ଅଣ ୟୁରୋପୀୟ ଦେଶଙ୍କ ପ୍ରବାସୀଙ୍କ ଦ୍ୱାରା ଆବେଦନ କରାଯାଇଥିବା ସବୁ ଇମିଗ୍ରେସନ ଆବେଦନ ରଦ୍ଦ କରିଦେଇଛି। ଏହି ଆବେଦନକାରୀଙ୍କ ମଧ୍ୟରେ ଗ୍ରୀନ କାର୍ଡ ଓ ଆମେରିକୀୟ ନାଗରିକ ପ୍ରକ୍ରିୟାରେ ସାମିଲ ଲୋକେ ମଧ୍ୟ ଅଛନ୍ତି। ତେବେ ଟ୍ରମ୍ପ ପ୍ରଶାସନ ନିଜର ନିଷ୍ପତ୍ତିକୁ ସଠିକ ସାବ୍ୟସ୍ତ କରିବା ପାଇଁ ଜାତୀୟ ସୁରକ୍ଷା ଓ ନାଗରିଙ୍କ ସୁରକ୍ଷା ସମ୍ପର୍କିତ ଚିନ୍ତା ଉଦ୍ରେକ କରିଛି। ଏହି ରୋକ୍ ସେହି ୧୯ ଦେଶଙ୍କ ଲୋକଙ୍କ ଉପରେ ଲାଗୁ ହୋଇଛି ଯେଉଁମାନଙ୍କ ଉପରେ ଗତ ଜୁନରେ ଆଂଶିକ ଯାତ୍ରା କଟକଣା ଜାରି ହୋଇଥିଲା।

ଅଧିକାରୀକ ଜ୍ଞାପନରେ ଗତ ସପ୍ତାହରେ ୱାସିଂଟନନରେ ୟୁଏସ୍ ନ୍ୟାସନାଲ ଗାର୍ଡଙ୍କ ଉପରେ ହୋଇଥିବା ଆକ୍ରମଣର ଉଦାହରଣ ଦିଆଯାଇଛି, ଏଥିରେ ଜଣେ ଆଫଗାନୀ ବ୍ୟକ୍ତିଙ୍କୁ ସନ୍ଦିଗ୍ଧ ରୂପେ ଗିରଫ କରାଯାଇଛି। ଏଗି ଗୁଳିକାଣ୍ଡରେ ଜଣେ ନ୍ୟାସନାଲ ଗାର୍ଡ ସଦସ୍ୟ ପ୍ରାଣ ହରାଇଛନ୍ତି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ସୋମାଲିୟା ଲୋକଙ୍କ ବିରୋଧରେ ବୟାନବାଜୀ ଆରମ୍ଭ କରିଛନ୍ତି। ଟ୍ରମ୍ପ ସେମାନଙ୍କୁ ‘ଆବର୍ଜନା’ ଓ ତୁମକୁ ଆମ ଦେଶରେ ଚାହୁଁନା ବୋଲି କହିଛନ୍ତି। ଆମେରିକା ସରକାରଙ୍କ ନୂଆ ନୀତି ଦୀର୍ଘ ସମୟରୁ ଲମ୍ବିତ ଆବେଦନ ଉପରେ ମଧ୍ୟ ରୋକ ଲଗାଉଛି ଓ ଦେଶଙ୍କ ସୂଚୀରେ ସାମିଲ ସବୁ ପ୍ରବାସୀଙ୍କୁ ଏକବ୍ୟାପକ ପୁନରୀକ୍ଷଣ ପ୍ରକ୍ରିୟା ଦେଇଯିବା ବାଧ୍ୟତାମୂଳ କରିଛି।

ଗତ ଜାନୁୟାରୀରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଇମିଗ୍ରେସନ ଏନଫୋର୍ସମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥି ପାଇଁ ନିକଟ ଅତୀତରେ ଦେଶରେ ହୋଇଥିବା ବିଭିନ୍ନ ଘଟଣାରେ ପ୍ରବାସୀଙ୍କ ସଂଲିପ୍ତତାର ଉଦାହରଣ ଦେଉଛନ୍ତି। ତେବେ ଯେଉଁ ୧୯ ଦେଶଙ୍କ ପ୍ରବାସୀଙ୍କ ନିମନ୍ତେ ସଦ୍ୟ ପ୍ରକାଶିତ ତାଲିକାରେ ଭାରତର ନାମ ନାହିଁ। ହେଲେ ପଡୋଶୀ ଆଫଗାନିସ୍ତାନ, ମ୍ୟାଁମାର, ଭାରତର ମିତ୍ର ଦେଶ ଇରାନ ଆଦି ଦେଶ ଅଛନ୍ତି। ଏଣୁ ଏହି ୧୯ ଦେଶଙ୍କ ନାଗରିକଙ୍କ ଲାଗି ଏବେ ଆମେରିକା ଦୂର ଆକାଶର ତାରା ପାଲଟିଛି।