ୱାସିଂଟନ: ନିକଟରେ ମିଳିଥିବା ଆମେରିକା ଗୁଇନ୍ଦା ସୂଚନା ଓ ସରକାରଙ୍କ କଥାରେ ତାଳମେଳ ଥିବା ଭଳି ଜଣା ପଡୁ ନାହିଁ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହୁଛନ୍ତି ଇରାନର ଯୁଦ୍ଧ କ୍ଷମତା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ତାଙ୍କ କଥାକୁ ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ ମଧ୍ୟ ସମର୍ଥନ କରୁଛନ୍ତି। ହେଲେ ଆମେରିକା ଗୁଇନ୍ଦା ଏବେବି ଇରାନର ମିଜାଇଲ ଓ ଡ୍ରୋନ କ୍ଷମତା ସମାପ୍ତ ହୋଇ ନଥିବା ଦାବି କରୁଛି। ଗୁଇନ୍ଦା ରିପୋର୍ଟ ଅନୁସାରେ ଗତ ୫ ସପ୍ତାହ ହେଲା ଇରାନ ଉପରେ ଆମେରିକା ଓ ଇସ୍ରାଏଲର ଜାରି ଆକ୍ରମଣ ସତ୍ତ୍ୱେ ଏବେବି ଅଧାରୁ ଅଧିକ ମିଜାଇଲ ଲଞ୍ଚର ଓ ହଜାର ହଜାର ଏକତରଫା ଡ୍ରୋନ ସୁରକ୍ଷିତ ଅଛି।

ଟ୍ରମ୍ପ କହୁଛନ୍ତି ଆକ୍ରମଣରେ ହ୍ରାସ ହୋଇଛି
ଏହି ରିପୋର୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୁଥିବା ବାରମ୍ବାର ଦାବି ମଧ୍ୟରେ ଆସିଛି। ଟ୍ରମ୍ପ କହୁଛନ୍ତି ଯେ ୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଆକ୍ରମଣରେ ତେହେରାନର ଆକ୍ରମକତାକୁ ନଷ୍ଟ କରିଦିଆଯାଇଛି ଓ ଆକ୍ରମଣରେ ହ୍ରାସ ଦେଖା ଯାଇଛି। ଟ୍ରମ୍ପ ଏହି ଦାବି ଏପରି ସମୟରେ କରୁଛନ୍ତି ଯେତେବେଳେ ପଶ୍ଚିମ ଏସିୟାରେ ଶତ୍ରୁତା ଲଗାତାର ବଢିବାରେ ଲାଗିଛି ଓ ଆକ୍ରମଣ କ୍ରମଶଃ ବେସାମରିକ ଭିତ୍ତିଭୂମି ଆଡକୁ ବଢିଛି।

ଇରାନ ଏବେବି ସକ୍ଷମ
ସିଏନଏନର ଏକ ରିପୋର୍ଟ ଅନୁସାରେ ଗୁଇନ୍ଦା ସହ ସମ୍ପୃକ୍ତ ଲୋକଙ୍କ ସୂତ୍ରରୁ ଆମେରିକା ଗୁଇନ୍ଦା ଆକଳନରେ ଏପରି ଲଞ୍ଚର ସବୁ ରହିଛି ଯାହା ଏବେବି ଦୁର୍ଗମ। ଏ ଗୁଡିକ ଆକ୍ରମଣ କାଳରେ ମାଟି ତଳେ ରହୁଛି ହେଲେ ଏ ପର୍ଯ୍ୟନ୍ତ ନଷ୍ଟ ହୋଇ ନାହିଁ। ସୂତ୍ର ମଧ୍ୟରୁ ଜଣେ ଇରାନ ସମ୍ପର୍କରେ ସୂଚିତ କରିବାକୁ ଯାଇ କହିଛନ୍ତି ଯେ ଇରାନ ଏବେବି ସକ୍ଷମ ଓ ପୁରା କ୍ଷେତ୍ରରେ ବ୍ୟାପକ ବିନାଶଲିଳା ରଚିପାରେ। ଗୁଇନ୍ଦା ସୂଚନାରୁ ଏହା ବି ଜଣାପଡିଛି ଯେ ଇରାନର ଉପକୂଳ ରକ୍ଷା ଲାଗି ମୁତୟନ କୃଜ ମିଜାଇଲର ଏକ ବଡ଼ ଭାଗ ଏବେବି ସୁରକ୍ଷିତ ଅଛି।

ହୋର୍ମୁଜ ଉପରେ ରଖିଛି ପ୍ରଭାବ
ମନେ କରାଯାଉଛି ଏହି ମିଜାଇଲ ଯୋଗୁ ଇରାନ ହୋର୍ମୁଜ ଉପରେ ନିଜ ପ୍ରଭାବ କାୟମ ରଖିବାରେ ସକ୍ଷମ ହୋଇଛି। ତେବେ ଆମେରିକାର ଯୁଦ୍ଧ ବିମାନ ଆକ୍ରମଣରେ ଏପର୍ଯ୍ୟନ୍ତ ଉପକୂଳ ସାମରିକ ଘାଟିକୁ ଟାର୍ଗେଟ କରାଯାଇ ନାହିଁ। ହେଲେ ଏଠାରେ ଇରାନ ଜାହାଜଙ୍କୁ ଟାର୍ଗେଟ କରୁଛି। ଏହି ଗୁଇନ୍ଦା ସୂଚନା ଟ୍ରମ୍ପଙ୍କ ସେହି ଦାବିକୁ ଖଣ୍ଡନ କରୁଛି ଯେଉଁଥିରେ ସେ ଇରାନ ସମ୍ପୂର୍ଣ୍ଣ ଧ୍ୱଂସ ପାଇଥିବା ଦାବି କରୁଛନ୍ତି। ୧ ଏପ୍ରିଲ ବୁଧବାର ଟ୍ରମ୍ପ ରାଷ୍ଟ୍ର ଉଦ୍ଦେଶ୍ୟରେ ତାଙ୍କ ସମ୍ବୋଧନରେ କହିଥିଲେ ଯେ ତେହେରାନର ମିଜାଇଲ ଓ ଡ୍ରୋନ ଲଞ୍ଚ କ୍ଷମତା ହ୍ରାସ ହୋଇଛି। ତାର ଅସ୍ତ୍ରଶସ୍ତ୍ର କାରଖାନା ଓ ରକେଟ ଲଞ୍ଚର ନଷ୍ଟ ହେବାରେ ଲାଗିଛି। ଏବେ ତା ପାଖରେ ଯାହା ବି ଅଛି ବହୁତ କମ୍ ଅଛି।

୯୦ ପ୍ରତିଶତ କମିଛି ଆକ୍ରମଣ
ସେହିପରି ଆମେରିକା ସେଣ୍ଟ୍ରାଲ କମାଣ୍ଡ ୧ ଏପ୍ରିଲ ପର୍ଯ୍ୟନ୍ତ ଆମେରିକା ସେନା ଇରାନ ଭିତରେ ଥିବା ୧୨,୩୦୦ରୁ ଅଧିକ ଠିକଣା ଉପରେ ଆକ୍ରମଣ କରାଯାଇଥିବା ଦାବି କରୁଛି। ଡିଫେନ୍ସ ସେକ୍ରେଟାରୀ ପିଟ୍ ହେଗସେଥ୍ ମଧ୍ୟ ଇରାନ ଆକ୍ରମଣରେ ୯୦% ପର୍ଯ୍ୟନ୍ତ ହ୍ରାସ ହୋଇଥିବା କହିଥିଲେ। ତେବେ ସେ ନଷ୍ଟ କରାଯାଇଥିବା ଇରାନ କ୍ଷେତ୍ରର ବିସ୍ତୃତ ସୂଚନା ଦେଇ ପାରିନଥିଲେ। ମାର୍ଚ୍ଚ ୧୯ ତାରିଖ ଦିନ ଏକ ବ୍ରିଫିଙ୍ଗରେ ହେଗସେଥ କହିଥିଲେ ଯେ ଯୁଦ୍ଧ ପ୍ରାରମ୍ଭିକ ଦିନମାନଙ୍କରେ ଆମ ଉପରେ ଇରାନ ଆରମ୍ଭ କରିଥିବା ବାଲିଷ୍ଟିକ୍ ମିଜାଇଲ ଆକ୍ରମଣ ୯୦ ପ୍ରତିଶତ ପର୍ଯ୍ୟନ୍ତ କମିଲାଣି। ସେହିପରି ଏକତରଫା ଆକ୍ରମଣ କରୁଥିବା ୟୁଏଭି (ଡ୍ରୋନ) ଆକ୍ରମଣ ମଧ୍ୟ ୯୦ ପ୍ରତିଶତ କମିଛି।

ଗଣମାଧ୍ୟମ ରିପୋର୍ଟ ଭ୍ରମାତ୍ମକ
ଏଥିରେ ପେଣ୍ଟାଗନ ମୁଖପାତ୍ର ସନ ପର୍ଣ୍ଣେଲ ସିଏନଏନ ରିପୋର୍ଟକୁ ଭ୍ରାମକ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଆମେରିକା ସେନା ଇରାନ ଶାସନକୁ ଜୋରଦାର ଝଟକା ଦେଇଛି। ସେହିପରି ହ୍ୱାଇଟ ହାଉସ ମୁଖପାତ୍ର ଅନ୍ନା କେଲି କହିଛନ୍ତି ଯେ ‘ଅନାମ ସୂତ୍ର ରାଷ୍ଟ୍ରପତି ଟ୍ରମ୍ପଙ୍କ ଆକ୍ରମଣ କରିବାକୁ ଓ ଅପେରସନ ଏପିକ ଫ୍ୟୁରିକୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି’। ସେ କହିଛନ୍ତି ଯେ ଇରାନ ବାଲିଷ୍ଟିକ୍ ମିଜାଇଲ ଓ ଡ୍ରୋନ ଆକ୍ରମଣ ୯୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ହେଲାଣି। ଏହା ଛଡା ଇରାନର ନୌସେନା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ସେମାନଙ୍କ ଦୁଇ ତୃତୀୟାଂଶ ଉତ୍ପାଦନ କେନ୍ଦ୍ର ହୁଏତ ନଷ୍ଟ ଅଥବା କ୍ଷତିଗ୍ରସ୍ତ ହୋଇଛି।

ପର୍ଣ୍ଣେଲ କହିଛନ୍ତି ଯେ ଆମେ ଆମର ସାମରିକ ଉଦ୍ଦେଶ୍ୟ ପୂରା କରିବାରେ ନିର୍ଦ୍ଧାରିତ ସମୟଠାରୁ ଢେର ଆଗରେ ଅଛୁ। ଇରାନର ମିଜାଇଲ ଭଣ୍ଡାର ନଷ୍ଟ କରିବା, ତାଙ୍କ ନୌସେନାକୁ ସମାପ୍ତ କରିବା, ଆତଙ୍କବାଦୀ ସହଯୋଗୀଙ୍କୁ ନଷ୍ଟ କରିବା ଓ ଇରାନ ଯେପରି ଭବିଷ୍ୟତରେ କେବେ ପରମାଣୁ ଅସ୍ତ୍ର ପ୍ରାପ୍ତ କରି ନପାରେ ତାହା ସୁନିଶ୍ଚିତ କରିବାରେ ଆମେ ସଫଳ ହୋଇଛୁ।

Also Read..ଆମେରିକାର ଆଉ ଗୋଟିଏ F-35 ବିମାନ ଧ୍ବଂସ, ପୁଣି ବଡ଼ ଦାବି କଲା ଇରାନ୍‌