ମୁମ୍ୱାଇ: ମୁମ୍ୱାଇର ପାଲଘର ଜିଲ୍ଲାରେ ମୁମ୍ୱାଇ-ଅହମ୍ମଦାବାଦ ହାଇୱେ ଉପରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ବରଯାତ୍ରୀଙ୍କୁ ନେଉ ଯାଉଥିବା ଟ୍ରକର କଣ୍ଟେନର ସହ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ୨୫ ଜଣ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ଘଟଣା ପରେ ବିବାହର ଖୁସିର ମାହୋଲ ଦୁଃଖରେ ବଦଳି ଯାଇଥିଲା । ପୋଲିସ ଦୁର୍ଘଟଣାର କାରଣ ଖୋଜୁଛି ।

ସୂଚନା ଅନୁସାରେ, ଦୁର୍ଘଟଣା ପାଲଘର ଜିଲ୍ଲାର ଧାନିବରୀ ଗାଁ ନିକଟରେ ହୋଇଛି । ପ୍ରାୟ ୧୦୦ ଜଣ ଲୋକ ବିବାହ ସମାରୋହରେ ସାମିଲ ହେବା ପାଇଁ ଟ୍ରକରେ ଯାତ୍ରା କରୁଥିଲେ । ଏହି ସମୟରେ ମୁମ୍ୱାଇ-ଅହମ୍ମଦାବାଦ ହାଇୱେ ଉପରେ ଟ୍ରକ ସାମନାରେ ଯାଉଥିବା କଣ୍ଟେନର ସହ ଜୋରଧାର ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏକ ଭୀଷଣ ଥିଲା ଯେ ଟ୍ରକ୍ ଅନିୟନ୍ତ୍ରିତ ହୋଇ ରାସ୍ତାରେ ଓଲଟି ପଡ଼ିଥିଲା ।

ପ୍ରାଥମିକ ତଦନ୍ତରେ ଜଣାପଡ଼ିଥିଲା ଯେ ଟ୍ରକରେ କ୍ଷମତାରୁ ଅଧିକ ଲୋକ ଯାତ୍ରା କରୁଥିଲେ । ଦ୍ରୁତ ଗତିରେ ଚାଳନା, ଚାଳକଙ୍କ ଅବହେଳା ନା ଅନ୍ୟ କିଛି ବୈଷୟକ କାରଣରୁ ଦୁର୍ଘଟଣା ହୋଇଛି ପୋଲିସ ତାହା ତଦନ୍ତ କରୁଛି । ପ୍ରଶାସନ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛି ଏବଂ ଆହତଙ୍କୁ ସମସ୍ତ ପ୍ରକାର ଚିକିତ୍ସା ଯୋଗାଇବା ପାଇଁ ଆଶ୍ୱାସନା ଦେଇଛି ।