ନୂଆଦିଲ୍ଲୀ୦୧। ୧୦ :ଅକ୍ଟୋବର ୨ରେ ‘ନୋ ୟୁପିଆଇ ଦିବସ’ ପାଳନ ହେବ ନାହିଁ । ଏ ନିଷ୍ପତ୍ତିକୁ ପ୍ରତ୍ୟାହାର କରିଛନ୍ତି ବ୍ୟବସାୟୀ ସଂଘ । ବୁଧବାର ନୂଆଦିଲ୍ଲୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି ସଂଘ ସମୁଦାୟ । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ୟୁପିଆଇ ଦେୟକୁ ହଟାଇବାକୁ ଦାବି କରିଛନ୍ତି ବ୍ୟବସାୟୀ ସଂଘ । ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ କାରବାର ଉପରେ ୦.୪% ଏମଡିଆର୍ ଦେୟ ଅକ୍ଟୋବର ୧୫ରୁ ଲାଗୁ ହେବାକୁ ଯାଉଛି ।

ଏହାକୁ ବ୍ୟବସାୟୀ ମହଲରେ ପ୍ରବଳ ବିରୋଧ କରାଯାଉଛି । ଭିନ୍ନ ଭିନ୍ନ ରାଜ୍ୟର ପ୍ରାୟ ୨୦ ବଡ଼ ବ୍ୟବସାୟୀ ନେତା ଅର୍ଥମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ବୈଠକର ନେତୃତ୍ୱ ଚାନ୍ଦିନୀ ଚୌକର ସାଂସଦ ଏବଂ କନ୍ଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ରାଷ୍ଟ୍ରୀୟ ମହାସଚିବ ପ୍ରବୀଣ ଖଣ୍ଡେଲୱାଲ ନେଇଥିଲେ । ଖଣ୍ଡେଲୱାଲ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଆଶ୍ୱାସନା ଦିଆଯାଇଛି ଯେ, ବ୍ୟବସାୟୀ ସଂଘଙ୍କ ଦାବି ଏବଂ ଚିନ୍ତା ଉପରେ ବିଚାର କରାଯିବ । ଏହା ପରେ ହିଁ ‘ନୋ ୟୁପିଆଇ ଦିବସ’ ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି ।

ବ୍ୟବସାୟୀ ସଂଘଗୁଡ଼ିକ ପକ୍ଷରୁ ଦାବି ରଖାଯାଇଛି ଯେ, ପୂଜା ଋତୁରେ ବଜାରରେ କିଣାବିକା ଅଧିକ ହେଉଥିବାରୁ ଅକ୍ଟୋବର ୧୫ରୁ ୟୁପିଆଇ କାରବାର ଉପରେ ଏମଡିଆର୍ ଦେୟ ନ ଲଗାଯାଉ । ମର୍ଚ୍ଚାଣ୍ଟ-ଟୁ- ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନ ଉପରେ ବି କୌଣସି ଅତିରିକ୍ତ ଏମଡିଆର୍ ନ ଲଗାଇବାକୁ ଦାବି କରାଯାଇଛି । ବ୍ୟବସାୟୀଙ୍କ ସମସ୍ୟାକୁ ବୁଝିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି ।