ଭୁବନେଶ୍ବର ୨୬।୧୦: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଅଧିକ ଘନୀଭୂତ ହୋଇ ବାତ୍ୟା ‘ଅର୍ଣ୍ଣବ’ରେ ପରିଣତ ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗତ ୬ ଘଣ୍ଟା ମଧ୍ୟରେ ଏହା ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରି ସୋମବାର ସକାଳ ସାଢ଼େ ୫ଟା ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ଏହା ବିଶାଖାପାଟଣା ଠାରୁ ୬୫୦ କିଲୋମିଟର ଦୂରରେ ରହିଛି ।

ସୋମବାର ମଧ୍ୟରାତ୍ରି ସୁଦ୍ଧା ଏହା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟା ଏବଂ ମଙ୍ଗଳବାର ସୁଦ୍ଧା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହାପରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୮ ଅକ୍ଟୋବର ପୂର୍ବାହ୍ନ ସୁଦ୍ଧା ଆନ୍ଧ୍ରପ୍ରଦେଶର ବାପଟ୍ଟଲା ଏବଂ ବିଶାଖାପାଟନମ୍ ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କି.ମି. ଏବଂ ସର୍ବାଧିକ ୧୪୦ କି.ମି. ପର୍ଯ୍ୟନ୍ତ ରହିବ । ଏହାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଏବଂ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ପାଇଁ ‘ରେଡ୍ ୱାର୍ଣ୍ଣିଂ’ ଜାରି କରାଯାଇଛି ।

ବାତ୍ୟା ଅର୍ଣ୍ଣବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ସହ ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିସିଓଡିଏଲ୍ ମଧ୍ୟ ହାଇ ଆଲର୍ଟରେ । ସେଣ୍ଟ୍ରାଲ ଓଡ଼ିଶାରେ ବିଦ୍ୟୁତ୍ ଯୋଗାଣ ଦାୟିତ୍ୱରେ ଥିବା TPCODL ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାତ୍ୟାର ମୁକାବିଲା ପାଇଁ କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ୨୪ ଘଣ୍ଟିଆ କେନ୍ଦ୍ରୀୟ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ କାର୍ଯ୍ୟକ୍ଷମ କରାଯାଇଛି । ରିୟଲ୍-ଟାଇମ୍ ସ୍କାଡା ନେଟୱାର୍କ ଜରିଆରେ ବିଦ୍ୟୁତ୍ ପରିସ୍ଥିତି ଉପରେ ନଜର ରଖାଯାଉଛି । ସମସ୍ତ ସର୍କଲ ଏବଂ ଡିଭିଜନରେ କୁଇକ୍-ରେସପନ୍ସ ଟିମ୍, ମୋବାଇଲ୍ ଇମରଜେନ୍ସି ଭ୍ୟାନ୍ ଏବଂ ଦକ୍ଷ କର୍ମଚାରୀଙ୍କୁ ନେଇ ଟିମ୍ ଗଠନ ହେବା ସହ ସେମାନଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।

Also Read:- ଓଡ଼ିଶାକୁ ବାତ୍ୟା ଭୟ ! ୮ NDRF, ୪୦ ODRAF ଟିମ୍ ମୁତୟନ, ୧୩୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ପ୍ରଭାବିତ ଅଞ୍ଚଳରେ ଶୀଘ୍ର ବିଦ୍ୟୁତ୍ ସେବା ପୁନଃ ସ୍ଥାପନ କରାଯିବ ସେନେଇ ଟିପିସିଓଡିଏଲ ପକ୍ଷରୁ ଟ୍ରାନ୍ସଫର୍ମର, ବିଦ୍ୟୁତ୍ ଖୁଣ୍ଟ, ତାର ଏବଂ ଡିଜି ସେଟ୍ ଭଳି ଜରୁରୀ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରଖାଯାଇଛି । ଡାକ୍ତରଖାନା, ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପାନୀୟ ଜଳ ଯୋଗାଣ ଭଳି ଅତ୍ୟାବଶ୍ୟକ ସେବାକୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ପ୍ରାଥମିକତା ଦିଆଯାଉଛି । ବିଦ୍ୟୁତ୍ ବିଭ୍ରାଟ କିମ୍ବା ଛିଣ୍ଡି ପଡ଼ିଥିବା ତାର ଦେଖିଲେ ତୁରନ୍ତ TPCODLର ଟୋଲ୍ ଫ୍ରି ନମ୍ବର ୧୯୧୨ ଏବଂ ୧୮୦୦-୨୦୨-୭ ରେ ଯୋଗାଯୋଗ କରିପାରିବେ ।

Watch Video: