ଜଳେଶ୍ବର ୩।୧୦: ଦୁଃଖ ଦେଇଗଲା ସୁବର୍ଣ୍ଣରେଖା । ଗାଧୋଇବା ବେଳେ ଜୀବନ ହରାଇଲେ ପର୍ଯ୍ୟଟକ । ଅନ୍ୟ ଏକ ଘଟଣାରେ ବୁଡ଼ିଯାଇ ଦୁଇ ନାବାଳକ ନିଖୋଜ । ଗୋଟିଏ ଘଟଣା ବସ୍ତା ରାଜଘାଟ ଠାରେ ଘଟିଥିବା ବେଳେ ଅନ୍ୟ ଘଟଣାଟି ଘଟିଛି ଶେଖବାଡ଼ି ନିକଟରେ । ଜଣେ ନାବାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

​​​​​​​

ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ବୁଡ଼ିଯାଇ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଦୁଇ ଘଣ୍ଟା ଖୋଜାଖୋଜି ପରେ ମିଳିଲା ମୃତଦେହ । ମୃତକ ହେଲେ ଅଯୋଧ୍ୟାର ଅଶୋକ ପାଠକର । ବାଲେଶ୍ବର ବସ୍ତା ଥାନା ରାଜଘାଟ ଠାରେ ଘଟିଛି ଏଭଳି ଦୁର୍ଘଟଣା । ଉତ୍ତର ପ୍ରଦେଶ ଅଞ୍ଚଳର କିଛି ପର୍ଯ୍ୟଟକ ଏକ ବସ୍‌ରେ ପୁରୀ ବୁଲିବା ପାଇଁ ଆସିଥିଲେ । କିନ୍ତୁ ବସ୍ତା ଥାନା ରାଜଘାଟ ଠାରେ ନଦୀରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ ଅଶୋକ । ଘଟଣା ଜଣାପଡ଼ିବା ପରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ୨ ଘଣ୍ଟା ଯାଏ ଚାଲିଥିଲା ଏହି ଉଦ୍ଧାର ଅପରେସନ । ତେବେ ପାଣି ଭିତରୁ ତାଙ୍କ ମୃତଦେହ ମିଳିଥିଲା । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।

Also Read:- ସୂର୍ଯ୍ୟ ମନ୍ଦିର ପ୍ରସ୍ଥାନ ଗେଟ୍ ବନ୍ଦ: ପ୍ରଭାବିତ ସେବାୟତ, ନବଗ୍ରହ ମନ୍ଦିର ପରିଦର୍ଶନ କଲେ ମନମୋହନ ସାମଲ

ସେପଟେ ସୁବର୍ଣ୍ଣରେଖା ନଦୀରେ ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି । ବାଲେଶ୍ବର ଜିଲ୍ଲା ଶେଖବାଡ଼ି ନିକଟରେ ଘଟିଛି ଅଘଟଣ । ଶନିବାର ଅପରାହ୍ନ ପାଖାପାଖି ସାଢେ ୧୨ଟା ବେଳେ ୩ ଜଣ ନାବାଳକ ସାଙ୍ଗ ହୋଇ ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ୨ ଜଣ ବୁଡ଼ି ଯାଇଥିବା ବେଳେ ଜଣେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଜଳେଶ୍ବର ଅଗ୍ନିଶମ ବାହିନୀ ପକ୍ଷରୁ ଘଟଣାସ୍ଥଳରେ ଚାଲିଛି ସର୍ଚ୍ଚ ଅପରେସନ । ନିଖୋଜ ଦୁଇ ନାବାଳକ ହେଉଛନ୍ତି ୧୫ ବର୍ଷୀୟ ସାମସେଦ ଏବଂ ଅନ୍ୟ ଜଣେ ୧୧ ବର୍ଷୀୟ ଜିସାନ । ଉଭୟଙ୍କ ଘର ଝାଡେଶ୍ବରପୁର ଅଞ୍ଚଳରେ । ସେମାନେ ଜଳେଶ୍ବର ନିଜ ବନ୍ଧୁ ଘରକୁ ବୁଲିବାକୁ ଆସିଥିବା ବେଳେ ଘଟିଛି ଅଘଟଣ ।

Watch Video: