କନ୍ଧମାଳ: ମାର୍ଚ୍ଚ ୩୧ ସୁଦ୍ଧା ମାଓ ମୁକ୍ତ ହେବ ଭାରତ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏହି ଲକ୍ଷ୍ୟ ହାସଲ ପାଇଁ ଆଉ ମାତ୍ର ଦିନ କେଇଟା। ଦିନ ପାଖେଇବା ସହ ପୋଲିସକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା। ଧୀରେ ଧୀରେ ଭୁଶୁଡ଼ିବାରେ ଲାଗିଛି ଲାଲବାହିନୀର ଗଡ଼। ଅନେକ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେଉଥିବା ବେଳେ, ଏହିକ୍ରମରେ ଆତ୍ମସମର୍ପଣ କରିଛି ଟପ୍ ମାଓନେତା ଶୁକ୍ରୁ।

ସୂଚନା ଅନୁସାରେ, ମଙ୍ଗଳବାର କନ୍ଧମାଳ ପୋଲିସ ନିକଟରେ ଶୁକ୍ରୁ ସମେତ ୫ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଶୁକ୍ରୁ ମୁଣ୍ଡ ଉପରେ ୫୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା। ସେମାନଙ୍କ ନିକଟରୁ ୫ଟି ଅତ୍ୟାଧୁନିକ ବନ୍ଧୁକ ଜବତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଣ୍ଟି ନକ୍ସଲ ଅପରେସନ ମୁଖ୍ୟ ସଞ୍ଜୀବ ପଣ୍ଡା। ସେ କହିଛନ୍ତି, ଶୁକ୍ରୁର ଆତ୍ମସର୍ମପଣ ପରେ ବର୍ତ୍ତମାନ ରାଜ୍ୟରେ ନକ୍ସଲଙ୍କ ସଂଖ୍ୟା ସିଙ୍ଗିଲ ଡିଜିଟ୍‌କୁ ଖସି ଯାଇଛି। ନକ୍ସଲଙ୍କ ପାଇଁ ଏହା ଝଟ୍‌କା। ଯେଉଁମାନେ ରହି ଯାଇଛନ୍ତି ସେମାନଙ୍କୁ ଆତ୍ମସମର୍ପଣ ପାଇଁ ଆମେ ଆହ୍ୱାନ କରିଛନ୍ତି ସଞ୍ଜୀବ ପଣ୍ଡା।

ସାଥୀ ନକ୍ସଲକୁ ମାରି ଚର୍ଚ୍ଚାରେ ଥିଲା ଶୁକ୍ରୁ

ସୂଚନାଯୋଗ୍ୟ, କନ୍ଧମାଳରେ ବେଶ୍‌ ସକ୍ରିୟ ଥିଲା ନକ୍ସଲ ନେତା ଶୁକ୍ରୁ। ଏଇଟ୍‌ଥ କମ୍ପାନୀ ନାଁରେ ନୂଆ ସଂଗଠନ ମଧ୍ୟ ଚଳାଇଥିଲା ଶୁକ୍ରୁ। ଖାଲି ସେତିକି ନୁହେଁ ଆତ୍ମସମର୍ପଣ କରିବାକୁ ଚାହୁଥିବାରୁ ସେ ତା’ର ସାଥୀ ନକ୍ସଲ ଅନ୍ୱେଷ ଓରଫ ରେଣୁଙ୍କୁ ହତ୍ୟା କରି ସେ ବେଶ୍ ଚର୍ଚ୍ଚାରେ ମଧ୍ୟ ଥିଲା। ତେବେ ଶୁକ୍ରୁ ଆତ୍ମସମର୍ପଣ କରିଥିବା ବେଳେ ଏବେବି ଶିଲା ସମେତ ୬ ଜଣ ନକ୍ସଲଙ୍କୁ ଧରିବା ପାଇଁ କମ୍ବିଂ ଅପରେସନ୍‌ କରୁଛନ୍ତି ସୁରକ୍ଷା କର୍ମୀ। ତେଣୁ ସେମାନଙ୍କୁ ଧରିବା ପାଇଁ ରାଜ୍ୟ ପୋଲିସର ଏହି ସୀମାନ୍ତବର୍ତ୍ତୀ ଜଙ୍ଗଲରେ ବଡ଼ କମ୍ବିଂ ଅପରେସନ ଜାରି ରହିଛି। SOG, CRPF ଏବଂ BSF ଯବାନ ମାନେ ମିଳିତ ଭାବେ କମ୍ବିଂ ଅପରେସନ କରୁଛନ୍ତି।

Also Read: Maoist Operations: କନ୍ଧମାଳ ଜିଲ୍ଲାରେ ଅଛନ୍ତି ୧୧ ମାଓବାଦୀ, ଧରିବା ପାଇଁ ଚାଲିଛି ବଡ଼ କମ୍ବିଂ ଅପେରସନ

​​​​​​​ମଙ୍ଗଳବାର ଆତ୍ମସମର୍ପଣ କରିଥିଲା ପାପା ରାଓ

ଏହା ପୂର୍ବରୁ ମଙ୍ଗଳବାର, ଛତିଶଗଡ଼ ଜଗଦଲପୁରରେ ଆତ୍ମସମର୍ପଣ କରିଛି ଟପ୍ ମାଓନେତା ତଥା ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟର ମୁଖ୍ୟ ପାପା ରାଓ। ତାଙ୍କ ସହ ଆଉ ୧୧ ମାଓବାଦୀ ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ବସ୍ତରର ଶେଷ ବରିଷ୍ଠ ମାଓ ନେତାମାନଙ୍କ ମଧ୍ୟରୁ ଜଣେ ପାପାରାଓ, ସୁନାମ ଚନ୍ଦ୍ରାୟ, ମାଙ୍ଗୁ ଦାଦା ଏବଂ ଚନ୍ଦ୍ରାନ୍ନା ଭଳି ଅନେକ ଛଦ୍ମନାମରେ ମଧ୍ୟ ଜଣାଶୁଣା। ପାପା ରାଓ ଉପରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା। ସେ ରାଜ୍ୟ ଜୋନାଲ କମିଟି ସଦସ୍ୟ (SZCM) ଏବଂ ପଶ୍ଚିମ ବସ୍ତର ଡିଭିଜନର ଇନଚାର୍ଜ ଭାବରେ କାର୍ଯ୍ୟ କରୁଥିଲା।